
ପଟ୍ଟାମୁଣ୍ଡାଇ୨୨/୯ – ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ସ୍ଥାନୀୟ ବ୍ଲକ ପରିସରରେ ବେଟି ବଚାଓ, ବେଟି ପଢାଓ ସମ୍ପର୍କିତ ଏକ ଆଇନଗତ ସଚେତନତା ଶିବିର ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଜଜ୍ ବିଦ୍ୟାଧର ପୃଷ୍ଟିଙ୍କ ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ସଚେତନତା ଶିବିରରେ ପଟ୍ଟାମୁଣ୍ଡାଇ ସିଭିଲ କୋର୍ଟର ଏପିପି ଧିରେନ୍ଦ୍ରନାଥ ସାହୁ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କନ୍ୟା ସନ୍ତାନମାନଙ୍କ ସୁରକ୍ଷା, ଅଧିକାର ଓ ସେମାନଙ୍କ ଶିକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେହିପରି ଏବିଡିଓ ନନ୍ଦନୀ ସତପଥି ଯୋଗ ଦେଇ ସମାଜରେ କନ୍ୟା ଭ୍ରୂଣହତ୍ୟା ରୋକିବା, ଲିଙ୍ଗଗତ ବୈଷମ୍ୟ ଦୂର କରିବା ଏବଂ ପ୍ରତ୍ୟେକ କନ୍ୟା ସନ୍ତାନକୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଆମ ସମସ୍ତଙ୍କର ସାମାଜିକ ଓ ଆଇନଗତ ଦାୟିତ୍ୱ। ସରକାରଙ୍କ ପକ୍ଷରୁ କନ୍ୟା ସନ୍ତାନମାନଙ୍କ ସୁରକ୍ଷା ଓ ଅଧିକାର ପାଇଁ ରହିଥିବା ବିଭିନ୍ନ ଆଇନଗତ ପ୍ରାବଧାନ ଏବଂ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସେ ସଚେତନ ଇଥିଲେ।ଏହି ସଚେତନତା ଶିବିରରେ ଉପଖଣ୍ଡ ଚିକିତ୍ସାଳୟର ଚକ୍ଷୁ ଡାକ୍ତର ସନ୍ତୋଷ ବିଶ୍ୱାଳ, ବିପିଏମ ଚିତ ରଞ୍ଜନ ଚାନ୍ଦ, ସିଡିପିଓ ଲକ୍ଷ୍ମୀମଣୀ ସିଂ, ସ୍ଥାନୀୟ ବ୍ଲକର କର୍ମଚାରୀ, ଆଇନଜୀବୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଯୋଗ ଦେଇଥିଲେ। କନ୍ୟା ସନ୍ତାନମାନଙ୍କୁ ସମାଜରେ ସମାନ ଅଧିକାର ଓ ସୁଯୋଗ ଦେବା ପାଇଁ ଶିବିରରେ ସଙ୍କଳ୍ପ ଗ୍ରହଣ କରାଯାଇଥିଲା।
