ତାଳୁକ ଆଇନ ସେବା ସମିତି ପକ୍ଷରୁ ମାନବ ଅଧିକାର ଦିବସ ପାଳିତ

ପଟ୍ଟାମୁଣ୍ଡାଇ ୧୦/୧୨ – ମାନବାଧିକାର ଦିବସ କେବଳ ଏକ ସ୍ମୃତିଚାରଣ ନୁହେଁ ବରଂ ଦୈନନ୍ଦିନ ଜୀବନରେ ମର୍ଯ୍ୟାଦା ପ୍ରତିଫଳିତ କରିବା ପାଇଁ ଏକ ଆମନ୍ତ୍ରଣ ବୋଲି ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ପଟ୍ଟାମୁଣ୍ଡାଇ କଲେଜ ପରିସରରେ ବୁଧବାର ଅନୁଷ୍ଠିତ ମାନବ ଅଧିକାର ଆଇନ ସଚେତନତା ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ବିଚାରପତି ବିଦ୍ୟାଧର ପୃଷ୍ଟି କହିବା ସହିତ ସମାଜରେ ଯେପରି କୌଣସି ବ୍ୟକ୍ତିଙ୍କ ସମ୍ମାନ କ୍ଷୁର୍ଣ୍ଣ ହେବନାହିଁ, କାହାରିକୁ ବି ନିର୍ଯାତନା ଦିଆଯାଇପାରିବ ନାହିଁ, ସମ୍ମାନ କ୍ଷୁର୍ଣ୍ଣ ହେବାଭଳି ବ୍ୟବହାର ସହ ଦଣ୍ଡବିଧାନ ନ କରିବା ଲାଗି ବିଭିନ୍ନ ପରାମର୍ଶମାନ ଦେଇ ସମସ୍ତେ କିପରି ସମାଜରେ ଆତ୍ମସମ୍ମାନର ସହ ସୁରକ୍ଷିତ ଭାବେ ବଞ୍ଚିପାରିବେ ସେଥିନେଇ ଗୁରୁତ୍ୱାରୋପ କରି ମାନବାଅଧିକାର ଆଇନମାନ ସମ୍ପର୍କରେ ବୁଝାଇବା ସହ ଏହାକୁ ଉଲଂଘନ କଲେ କ’ଣ ହୁଏ ସେଥିନେଇ ଗୁରୁତ୍ୱାରୋପ କରିଥିଲେ।

ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟକ୍ଷ ପ୍ରଫେସର ଉମାକାନ୍ତ ପାତ୍ରଙ୍କ ପୌରହିତରେ ଆଇନଜୀବୀ ଧୀରେନ୍ଦ୍ରନାଥ ସାହୁଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ବିଚାରପତି ବିଦ୍ୟାଧର ପୃଷ୍ଟି କହିଥିଲେ ଯେ ମାନବ ଅଧିକାର ଦିବସ ହେଉଛି ଏକ ଐତିହାସିକ ଦିବସ , ସ୍ୱାଧୀନ ଚେତନା ନେଇ ସମ୍ମାନର ସହ ବଂଚିବାର ଅଧିକାର ହେଉଛି ପ୍ରତ୍ୟେକ ମଣିଷର ମାନବୀୟ ଅଧିକାର। ଯାହା ବ୍ୟକ୍ତିର ଜୀବନ, ସ୍ୱତନ୍ତ୍ରତା, ସମ୍ମାନତା ଓ ପ୍ରତିଷ୍ଠା ସହ ଜଡ଼ିତ । ଏହି ସମସ୍ତ ଅଧିକାର ଭାରତୀୟ ସମ୍ବିଧାନର ତୃତୀୟ ଭାଗରେ ମୌଳିକ ଅଧିକାର ନାଁରେ ରହିଛି ଏବଂ ଏହି ଅଧକାରର ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ କୋର୍ଟ ଦ୍ୱାରା ଦଣ୍ଡ ଦିଆଯାଇଥାଏ । ଆମର ସମ୍ବିଧାନ ବହୁସଶକ୍ତ, ଯାହାକି ସମାଜର ଧନୀ କି ଦରିଦ୍ର ସମସ୍ତ ବ୍ୟକ୍ତିଙ୍କୁ ସମାନ ନ୍ୟାୟ ଓ ସମାନ ଅଧିକାର ପ୍ରଦାନ କରିଥାଏ ବୋଲି ମତ ପ୍ରକାଶ କରିଥିଲେ। ଏହି ସଭାରେ ବିଚାରପତି ଡି. କେ. ବାଳକ୍ରୀଷ୍ଣନ ଯୋଗଦେଇ ମାନବୀୟ ଅଧିକାର, ଆଇନଗତ ବ୍ୟବସ୍ଥା ଓ ସହାୟତା ସମ୍ପର୍କରେ ଆଲୋକପାତ କରିଥିଲେ ।
ଶିକ୍ଷାବିତ ତଥା ଆଇନଜୀବୀ ବିଜୟ କୁମାର ରାଉତ ଯୋଗ ଦେଇ ସମ୍ପ୍ରତି ବିଶ୍ୱର ବିଭିନ୍ନ ସ୍ଥାନରେ ମାନବାଧିକାରର ଖୋଲା ଉଲ୍ଲଂଘନ ହେଉଛି। କୋଟି କୋଟି ଶିଶୁ ଅବହେଳାର ଶିକାର ହେଉଛନ୍ତି। ମାନବ ଚାଲାଣକାରୀଙ୍କ ନିର୍ଯାତନା ବଢ଼ି ବଢ଼ିି ଚାଲିଛି। ମାନବ ଜାତି ଜଳବାୟୁ ପରିବର୍ତନ, ଆତଙ୍କବାଦ, ସାମାଜିକ ଓ ଅର୍ଥନୈତିକ ଅସମାନତା ଆଦି ଅନେକ ଆହ୍ୱାନର ସମ୍ମୁଖୀନ ହେଉଛି। ଯଦି ଭାରତରେ ମାନବ ଅଧିକାର ବିଷୟରେ ଆଲୋଚନା କରାଯାଏ, ତେବେ ପ୍ରାୟତଃ ଦେଖାଯାଉଛି ଯେ ଦଳିତ, ଆଦିବାସୀ, ମହିଳା, ସଂଖ୍ୟାଲଘୁ, ଭିନକ୍ଷମ, ତୃତୀୟଲିଙ୍ଗୀ ଇତ୍ୟାଦି ସେମାନଙ୍କର ମାନବ ଅଧିକାରକୁ ସୁରକ୍ଷିତ କରି ସମ୍ମାନର ସହିତ ବଂଚିବାରେ ଆଜି ବି ସକ୍ଷମ ନୁହନ୍ତି। ଆମ ସମାଜରେ ସାଧାରଣ ଲୋକମାନଙ୍କ ପାଖରେ ମାନବାଧିକାର ସମ୍ପର୍କରେ ସଚେତନତା ବିଶେଷ ଭାବେ ଦେଖାଯାଏ ନାହିଁ। ତେଣୁ ଏନେଇ ସଚେତନତା ସୃଷ୍ଟି କରିବା ଆଜିର ଦିବସର ମୂଳ ଉଦ୍ଦେଶ୍ୟ ବୋଲି ସେ ଉପସ୍ଥିତ ଛାତ୍ରୀଛାତ୍ର ମାନଙ୍କୁ କହିଥିଲେ ।
ଏହି ସଭାରେ ପଟ୍ଟାମୁଣ୍ଡାଇ ଓକିଲ ସଂଘ ଉପସଭାପତି ସୁରେଶ କୁମାର ନରେନ୍ଦ୍ର ସ୍ୱାଗତଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଓକିଲ ସଂଘ ସମ୍ପାଦକ ରବୀନ୍ଦ୍ର ଦାଶ, ଆଇନଜିବୀ ଭବାନୀଶଙ୍କର ପଣ୍ଡା, ହୃଦାନନ୍ଦ ମହାନ୍ତି , ମନୋଜ ନାୟକ ସତ୍ୟରଞ୍ଜନ ନାୟକ ପ୍ରମୁଖ ଭାଷଣ ଦେଇ କଲେଜ ଛାତ୍ରୀଛାତ୍ର ମାନଙ୍କ ମଧ୍ୟରେ ସଚେତନତା ସଡଷ୍ଠି କରିଥିଲେ । ଏହି କାର୍ଯ୍ୟକ୍ରମରେ କଲେଜ ବହୁ ଛାତ୍ରୀଛାତ୍ର ଓ ଅଧ୍ୟାପିକା/ ଅଧ୍ୟାପକ ମାନେ ଉପସ୍ଥିତ ଥିଲେ ।
