କଖାରୁଣୀ ସ୍କୁଲରେ ଶିକ୍ଷକ ଅଭାବ ଘଟଣା ; ଶ୍ରେଣୀ ଗୃହରେ ଶିକ୍ଷକଙ୍କୁ ତାଲା , ସ୍କୁଲ ବାରଣ୍ଡାରେ ଛାତ୍ରୀଛାତ୍ର ଅଭିଭାବକଙ୍କ ଧାରଣା

blank
ପଟ୍ଟାମୁଣ୍ଡାଇ ୧୨/୨ – ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କଖାରୁଣୀ ୟୁଜିୟୁପି ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ବୁଧବାର ଛାତ୍ରୀଛାତ୍ର ମାନେ ମଧ୍ୟାହ୍ନ ଭୋଜନ ବର୍ଜନ କରିବା ସହିତ ସ୍କୁଲରୁ ମିଳିଥିବା ଡ୍ରେସକୁ ଫେରାଇ ଦେଇଥିବା ଘଟଣା ଗୁରୁବାର ଭିନ୍ନ ମୋଡ଼ ନେଇଛି । ସ୍କୁଲ ଛାତ୍ରୀଛାତ୍ର, ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି ସଦସ୍ୟମାନେ ସ୍କୁଲର ଶ୍ରେଣୀ ଗୃହ ମଧ୍ୟରେ ସିଆରସିସି, ପ୍ରଧାନଶିକ୍ଷକ ଓ ଅନ୍ୟ ଶିକ୍ଷୟତ୍ରୀ/ଶିକ୍ଷକଙ୍କୁ ତାଲା ପକାଇ ଦେଇଛନ୍ତି । ସ୍କୁଲ ବାରଣ୍ଡାରେ ସ୍କୁଲ ଛାତ୍ରୀଛାତ୍ର, ପରିଚାଳନା କମିଟି ସଦସ୍ୟ ଓ ଅଭିଭାବକମାନେ ଧାରଣା ଦେଇଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇଛି ।

blank

ସରକାରୀ ପ୍ରଥମିକ ଶିକ୍ଷାର ଉନ୍ନତିକରଣ ପାଇଁ ବିଭିନ୍ନ ଯୋଜନା ଆଳରେ ରାଜକୋଷର ଅର୍ଥ ଖର୍ଚ୍ଚ ହେଉଛି । ହେଲେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଗଢିବା ପାଇଁ ଯାହା ନିହାତି ଜରୁରୀ, ତାହା ହୋଉନାହିଁ । ଯାହାର ଉଦାହରଣ କଖାରୁଣୀ ୟୁଜିୟୁପି ବିଦ୍ୟାଳୟରେ ଦେଖିବାକୁ ମିଳୁଛି । ଏହି ବିଦ୍ୟାଳୟରେ ୩୦୬ରୁ ଉର୍ଦ୍ଧ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି । ଛାତ୍ରୀଛାତ୍ରଙ୍କ ଉପସ୍ଥାନ ଅନୁପାତରେ ୧୧ ଜଣ ଶିକ୍ଷକ ଆବଶ୍ୟକ କରୁଛି । ହେଲେ ୮ଟି ଶ୍ରେଣୀରେ ପାଠ ପଢାଉଛନ୍ତି ମାତ୍ର ୪ଜଣ ଶିକ୍ଷକ । ସରକାରୀ ନିୟମ ଅନୁସାରେ, ପ୍ରତି ୩୦ ଜଣ ପିଲାରେ ଜଣେ ଲେଖାଏଁ ଶିକ୍ଷକ ରହିବା କଥା । ହେଲେ ଏଠାରେ ପାଖାପାଖି ୯୦ ପିଲାଙ୍କ ପାଇଁ ଅଛନ୍ତି ଜଣେ ଶିକ୍ଷକ । ୩ ଜଣଙ୍କ ସ୍ଥାନରେ କାମ ଚଳାଇ ନେଇଛନ୍ତି ଜଣେ ଶିକ୍ଷକ । ୭ଟି ଶିକ୍ଷକ ପଦବୀ ଖାଲି ପଡିଥିବା ବେଳେ ୨ଜଣ ଶିକ୍ଷୟିତ୍ରୀ ମାତୃକାଳୀନ ଛୁଟିରେ ଯାଇଛନ୍ତି । ପ୍ରଧାନ ଶିକ୍ଷକ ମଧ୍ୟାହ୍ନ ଭୋଜନ ପରିଚାଳନା ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟରେ ବ୍ୟସ୍ତ ରହୁଥିବା ବେଳେ ଅନ୍ୟ ତିନି ଜଣ ଶିକ୍ଷକ ଶିକ୍ଷାଦାନ କରାଇବା ଅସମ୍ଭବ ହୋଇପଡିଛି। ଯାହାକୁ ନେଇ ବୁଧବାର ଛାତ୍ରୀଛାତ୍ର ନିଆରା ପ୍ରତିବାଦ କରିଛନ୍ତି । ଜଣେ ଶିକ୍ଷକ ସିଆରସିସି ଭାବେ ପଦୋନ୍ନତି ପାଇଛନ୍ତି । ବିଦ୍ୟାଳୟରେ ଶିକ୍ଷକ ମରୁଡି ଯୋଗୁଁ ଛାତ୍ରୀଛାତ୍ର ଓ ଅଭିଭାବକ ଚିନ୍ତାରେ ପଡି ନୂତନ ଶିକ୍ଷକ ନିଯୁକ୍ତି ପାଇଁ ଗ୍ରାମବାସୀମାନେ ପୂର୍ବରୁ ଶିକ୍ଷା ବିଭାଗକୁ ଅନୁରୋଧ କରିଥିଲେ ମଧ୍ୟ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ନୂତନ ଶିକ୍ଷକଙ୍କୁ ନିଯୁକ୍ତି ମିଳିନାହିଁ । ଫଳରେ ବୁଧବାର ଅଭିଭାବକ ଓ ଛାତ୍ରୀଛାତ୍ର ବିଦ୍ୟାଳୟ ଆଗରେ ଧାରଣା ଦେବା ସହ ଛାତ୍ରୀଛାତ୍ରମାନେ ମଧ୍ୟାହ୍ନ ଭୋଜନ ବର୍ଜନ କରିବା ସହିତ ସ୍କୁଲରୁ ମିଳିଥିବା ଡ୍ରେସକୁ ଫେରାଇ ଦେଇଥିଲେ । ଆଜି ଏହି ଘଟଣା ଭିନ୍ନ ମୋଡ଼ ନେଇଛି ଓ ସ୍କୁଲ ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି ସଦସ୍ୟମାନେ ସ୍କୁଲର ଶ୍ରେଣୀ ଗୃହ ମଧ୍ୟରେ ସିଆରସିସି ଅରବିନ୍ଦ ବଳ, ପ୍ରଧାନଶିକ୍ଷକ ଅଜୟ କୁମାର ସାହୁ ଓ ଅନ୍ୟ ଶିକ୍ଷୟତ୍ରୀ/ଶିକ୍ଷକଙ୍କୁ ତାଲା ପକାଇ ଦେଇଥିଲେ ଓ ଏହା ପରେ ସ୍କୁଲ ବାରଣ୍ଡାରେ ଛାତ୍ରଛାତ୍ରୀ, ଅଭିଭାବକ ସ୍କୁଲ ପରିଚାଳନା କମିଟି ସଭାପତି ଶ୍ରୀକାନ୍ତ ପରିଡା ଉପସଭାପତି ସୁଶୀଳା ପ୍ରଧାନ ଓ ପରିଚାଳନା କମିଟି ସଦସ୍ୟା ମାନସୀ ମଳିକ ରେବତୀ ପ୍ରଧାନ ଓ କଳ୍ପନା ମଳିକ ପ୍ରମୁଖ ଧାରଣା ଦେଇ ଅବିଳମ୍ବେ ଶିକ୍ଷକ ନିଯୁକ୍ତି ପାଇଁ ଅଡ଼ି ବସି ଥିଲେ । ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ଅଜିତ କୁମାର ବାରିକ ଜିଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ସହିତ ଆଲୋଚନା କରି ୨ଜଣ ଶିକ୍ଷକଙ୍କ ନିଯୁକ୍ତି ପତ୍ର ପଠାଇବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ।

Next Post

ପଦ୍ମଶ୍ରୀ ଡ. ଅନ୍ତର୍ଯ୍ୟାମୀ ମିଶ୍ର ପାଇଲେ ଦୀନବନ୍ଧୁ ସାହୁ ସ୍ମୃତି ସମ୍ମାନ

Thu Feb 12 , 2026
କେନ୍ଦ୍ରାପଡା ମହାବିଦ୍ୟାଳୟର ୬୮ତମ ସ୍ୱନକ୍ଷତ୍ର ଦିବସ କେନ୍ଦ୍ରାପଡ଼ା,୧୨ା୨:ରାଜ୍ୟର ସର୍ବବୃହତ ତଥା ସର୍ବପୁରାତନ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ୬୮ତମ ପ୍ରତିଷ୍ଠା ଦିବସ କଲେଜ ପ୍ରେକ୍ଷାଳୟରେ ପରିଚାଳନା ପରିଷଦ ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନାଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଚଳିତବର୍ଷର ମର୍ଯ୍ୟାଦାଜନକ ଦୀନବନ୍ଧୁ ସାହୁ ସ୍ମୃତି ସମ୍ମାନ ଆମ ରାଜ୍ୟର ଓଡିଆ ଭାଷାତତ୍ତ୍ୱବିତ, ଗବେଷକ ତଥା ସାହିତ୍ୟିକ ପଦ୍ମଶ୍ରୀ ଡକ୍ଟର ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ମାନପତ୍ର, ଅର୍ଥରାଶି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading