
କେନ୍ଦ୍ରାପଡା,୨୨ା୩: ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଅକାଳ ବିୟୋଗରେ କେନ୍ଦ୍ରାପଡା ଜିଲ୍ଲାରେ ଗଭୀର ଶୋକ ପ୍ରକାଶ ପାଇଛି । ଭୁବନେଶ୍ୱରସ୍ଥିତ କେୟାର ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଶୁକ୍ରବାର ରାତି ୮ଟାରେ ତାଙ୍କର ଦେହାନ୍ତ ହୋଇଯାଇଛି । ତାଙ୍କ ମୃତ୍ୟୁ ଖବର ପାଇ କଂଗ୍ରେସର ବରିଷ୍ଠ ନେତା ବିଜେଡି ନେତା ଏବଂ ବିଜେପି ମନ୍ତ୍ରୀ ଓ ନେତା ଚିକିତ୍ସାଳୟ ଯାଇ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଶନିବାର ସ୍ୱର୍ଗତ ଶର୍ମାଙ୍କର ମରଶରୀର ପ୍ରଥମେ କେନ୍ଦ୍ରାପଡା କଂଗ୍ରେସ ଭବନରେ ପହଁଞ୍ଚି ଥିଲା । ସେଠାରେ ତାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିବା ପରେ ତିନିମୁହାଣୀ, ପୁରୁଣାବସ୍ଷ୍ଟାଣ୍ଡ୍, ଗରାପୁର କୋଠି ଛକ, ଗରାପୁର ବିଜେଡି କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳୀ ଦିଆଯାଇଥିଲା । ଏହା ପରେ ତାଙ୍କ ମରଶରୀରକୁ ଆଳି ନିର୍ବାଚନ ମଣ୍ଡଳୀକୁ ନିଆଯାଇଥିଲା । କେନ୍ଦ୍ରାପଡା ଗରାପୁର ବିଜେଡି କାର୍ଯ୍ୟାଳୟ ପରିସରରେ ରଞ୍ଜିତ କୁମାର ସାହୁ, ପୌର ପରିଷଦ ଉପାଧ୍ୟକ୍ଷା ଆକବରୀ ଖାତୁନ୍, ପୂର୍ବତନ ବିଧାୟକ ଅଲେଖ କୁମାର ଜେନା, କାଳୀପ୍ରସାଦ ମିଶ୍ର, ଧିରେନ୍ କୁମାର ସାହୁ, ଉମେଶ ଚନ୍ଦ୍ର ନାୟକ, ରମେଶ ଦାସ, ଯଯାତି କେଶରୀ ମହନ୍ତି, ରାଜେଶ ପଣ୍ଡା, ରାଜେଶ ମହାନ୍ତି ପ୍ରମୁଖ ତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସେଠାରୁ ପଟ୍ଟାମୁଣ୍ଡାଇ ବାଇପାସ ବିଜୁପଟ୍ଟନାୟକ ଛକଠାରେ କଂଗ୍ରେସ, ବିଜେଡି, ପିଜେପିର ନେତା ଓ କର୍ମୀ ମାନେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।ଏହାପରେ ତାଙ୍କ ମରଶରୀର ଆଳିରେ ପହଁଞ୍ଚିବା ପରେ ବିଧାୟକ ଗଣେଶ୍ୱର ବେହେରାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
