ପଟ୍ଟାମୁଣ୍ଡାଇ କଲେଜରେ ଏଚଆରସି ସଚେତନତା ସଭା

ପଟ୍ଟାମୁଣ୍ଡାଇ ୧/୯-ଆମ ରାଜ୍ୟରେ ଗଣମାଧ୍ୟମରେ ନିୟମିତ ଆତ୍ମହତ୍ୟା ସମ୍ପର୍କିତ ଖବର ପ୍ରକାଶ ପାଇବା ଯୋଗୁ ତାହା ସ୍ଥଳବିଶେଷରେ ବିଷମ ସ୍ଥିତି ସୃଷ୍ଟି କରୁଛି। ଓଡିଶାରେ ଆତ୍ମହତ୍ୟାର ସଂଖ୍ୟା ଜାତୀୟ ହାରଠାରୁ ଅଧିକ ହୋଇଥିବା ବେଳେ ସେଥିରେ ଛାତ୍ରୀଛାତ୍ର ମହଲରେ ଦେଖା ଦେଇଥିବା ଆତ୍ମହତ୍ୟା ପ୍ରବଣତା ଏକ ଚିନ୍ତାଜନକ ବିଷୟ । ଏଭଳି ହୀନ ମାନସିକତା ବିରୋଧରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ସୋମବାର ରାଜ୍ୟ ମାନବିକ ଅଧିକାର ପରିଷଦ ପକ୍ଷରୁ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ କଲେଜ ଛାତ୍ରୀଛାତ୍ର ମାନଙ୍କୁ ନେଇ “ଆତ୍ମହତ୍ୟା ସମସ୍ୟାର ସମାଧାନ ନୁହେଁ” ଶୀର୍ଷକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଜିଲା ସଭାପତି ପ୍ରତାପ ପାଢ଼ୀଙ୍କ ପୌରହିତ୍ୟରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ବନ୍ଦନା ପାତ୍ର, ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆତ୍ମହତ୍ୟା ମହାପାପ। ମନୁଷ୍ୟ ଜନ୍ମ ଦୁର୍ଲଭ ବୋଲି ଆମ ପୋଥି ପୁରାଣ ସହ ସର୍ବଶ୍ରେଷ୍ଠ ଆଧ୍ୟାତ୍ମିକ ଗ୍ରନ୍ଥ ଭଗବଦ ଗୀତାରେ ସ୍ପଷ୍ଟ ଉଲ୍ଲେଖ ରହିଛି। ଆଜିକାଲି ଡିଜିଟାଲ ଯୁଗରେ ଆମ ଯୁବପିଢି ପୋଥିପୁରାଣ ପ୍ରତି ମନ ବଳାଉ ନାହାଁନ୍ତି । ସେଥିନେଇ ଏଭଳି ଦୁଖଦ ଘଟଣା ଘଟୁଛି ।ଆତ୍ମହତ୍ୟା ସାଧାରଣତଃ ଆତ୍ମାକୁ ଅସ୍ୱାଭାବିକ ଭାବେ ଶରୀର ତ୍ୟାଗ ପାଇଁ ବାଧ୍ୟ କରାଯାଉଥିବାରୁ ତାହା ଅତୀବ କଷ୍ଟଦାୟକ ହୋଇଥାଏ। ମାତ୍ର ନିଜକୁ ଈଶ୍ୱରଙ୍କ ସୃଷ୍ଟି କିନ୍ତୁ ମୃତ୍ୟୁ ତା’ର ଅଧୀନ ନୁହେଁ ବରଂ ସମସ୍ତ ସମାଧାନ ପାଇଁ ସେହି ସୃଷ୍ଟିକର୍ତ୍ତାଙ୍କ ଉପରେ ଦୃଢ଼ ବିଶ୍ୱାସୀ ହେଲେ ଆତ୍ମହତ୍ୟା ମାନସିକତା ଦୂର ହୋଇଥାଏ। କିଛିଦିନ ଧରି ଏକାଧିକ ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟା ଚର୍ଚ୍ଚିତ ବିଷୟ ହୋଇଛି। ଏହା ପରିବାର ପାଇଁ ଅପୂରଣୀୟ କ୍ଷତି ଏବଂ ମାତାପିତାଙ୍କୁ ଦାରୁଣ ଦୁଃଖ ଦେଇଥାଏ। ଗତ କିଛି ମାସ ମଧ୍ୟରେ ମାନସିକ ନିର୍ଯାତନା ଯୋଗୁ ଏକାଧିକ ଛାତ୍ରୀଛାତ୍ର ଆତ୍ମହତ୍ୟା କରିଥିବା ଖବର ପ୍ରକାଶ ପାଇଛି । ଯାହାର ଅସହ୍ୟ ଦୁଃଖ, ନିର୍ଯାତନା ବା ଆଚରଣରେ ଅତିଷ୍ଠ ହୋଇ କେହି ଆତ୍ମହତ୍ୟା କଲେ ସେ ଆମ ଦଣ୍ଡବିଧି ସଂହିତା ଅନୁଯାୟୀ ଦୋଷୀ ସାବ୍ୟସ୍ତ ହୋଇଥାଏ। ଆମ ଆଇନ ବ୍ୟବସ୍ଥାରେ ଆତ୍ମହତ୍ୟା ପରେ ତା’ର କାରଣ ପାଇଁ ପୋଲିସ ବିବିଧ ଦିଗକୁ ତଦନ୍ତ ପରିସରଭୁକ୍ତ କରେ। କେତେକ କ୍ଷେତ୍ରରେ ମୃତକ ଯଦି ବିବାହିତା ହୋଇଥାଏ, ତାହା ଯେତେବର୍ଷ ହେଲେ ବି ତା’ ମାତାପିତା ଯୌତୁକଜନିତ ନିର୍ଯାତନା ଅଭିଯୋଗ ଆଣିଥାନ୍ତି। ଆଇନ ବ୍ୟବସ୍ଥାରେ ବିନା ଦୋଷରେ ବୟସ୍କ ଶାଶୁ ଶ୍ୱଶୁର ଓ ଅନ୍ୟମାନେ ଜେଲ ଯାଇଥାନ୍ତି। ସେମାନଙ୍କ ଅସନ୍ତୋଷ ଅଭିଶାପ ଭାବେ ମୃତକଙ୍କ ଆତ୍ମାକୁ ପ୍ରାରବ୍ଧ ଭାବେ ଭୋଗ ହୋଇଥାଏ।ପାରସ୍ପରିକ ସ୍ନେହ ଶ୍ରଦ୍ଧା କର୍ତ୍ତବ୍ୟପରାୟଣତା ଆମ ସଂହତିର ମୂଳମନ୍ତ୍ର କିନ୍ତୁ ଆମର ବୌଦ୍ଧିକ ଶିକ୍ଷାର ଅଭାବ ଏବଂ ସମାଜରେ ସଦାଚାରର ଅବକ୍ଷୟ ଯୋଗୁ ଏଭଳି ଦୁଃଖଦ ଘଟଣା ଯେ ଆମ ପାଇଁ ଖବର ଓ ଅନୁଭୂତି ହୋଇ ଚାଲିଥିବ। ଏଥିପାଇଁ ବ୍ୟାପକ ସଚେତନତା ଏବଂ ପାରିବାରିକ ଓ ସାମାଜିକ କର୍ତ୍ତବ୍ୟ ଶିକ୍ଷାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।ଏହି ଅବସରରେ ସେ ଅନେକ ସଫଳ ନାରୀଙ୍କ ଉଦାହରଣ ଦେଇ ଛାତ୍ରୀଙ୍କ ମଧ୍ୟରେ ସାହସ ଭରିଛନ୍ତି। ପ୍ରଶାସନ ତଥା ପୋଲିସ ଛାତ୍ରୀଙ୍କ ସୁରକ୍ଷା ପାଇଁ ସର୍ବଦା ତତ୍ପର ବୋଲି ସେ କହିଛନ୍ତି।
ରାଜ୍ୟ ମାନବିକ ଅଧିକାର ପରିଷଦ ସଭାପତି ସସ୍ମିତା ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ଏବେ ଯୁବବର୍ଗ ଓ ଛାତ୍ରୀଛାତ୍ର ମାନଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ଅଧିକ ଦେଖିବାକୁ ମିଳୁଛି। ପିଲାମାନେ ସେମାନଙ୍କ ସମସ୍ୟା ସମ୍ପର୍କରେ କାହା ସହିତ ଆଲୋଚନା କରିପାରୁନାହାନ୍ତି। ପୂର୍ବରୁ ଏକାନ୍ନବର୍ତ୍ତୀ ପରିବାର ଥିଲା। ଘରେ ବାପା ମା ନହେଲେ କକା, ଖୁଡି, ଜେଜେ ବାପା, ଭାଇ ଭଉଣୀଙ୍କ ସହିତ ନିଜ ସମସ୍ୟା ସମ୍ପର୍କରେ ଆଲୋଚନା କରି ସମାଧାନର ସୂତ୍ର ବାହାର କରୁଥିଲେ। ମାତ୍ର ବର୍ତ୍ତମାନ ନ୍ୟୁକ୍ଲିୟର ଫ୍ୟାମିଲି (କେବଳ ବାପା, ମା ଓ ଛୁଆ) ପରମ୍ପରା ପିଲାଙ୍କୁ ଏକୁଟିଆ କରି ଦେଉଛି। କୌଣସି ସମସ୍ୟାର ସମ୍ମୁଖୀନ ହେଲେ କାହା ସହିତ ଆଲୋଚନା କରି ପାରୁନାହାନ୍ତି। ଫଳରେ ମାନସିକ ଚାପର ଶିକାର ହେଉଛନ୍ତି । ଆଉ ସେ ଚାପକୁ ସେ ନିଜେ ସମ୍ଭାଳି ପାରେନାହିଁ । ସମସ୍ୟା ସମ୍ପର୍କରେ କାହା ସହିତ ଆଲୋଚନା କରିପାରୁନାହାନ୍ତି। ଏ କ୍ଷେତ୍ରରେ ସମ୍ପର୍କୀୟ, ସାଙ୍ଗସାଥୀଙ୍କ ଭୂମିକା ଗୁରୁତ୍ୱ ବହନ କରେ। ସେମାନେ ସେମାନଙ୍କୁ କାଉନସେଲିଂ କରିବା ଆବଶ୍ୟକ । କେବଳ ସାନ୍ତ୍ୱନା ଦେଲେ ହେବ ନାହିଁ ବରଂ ମାନସିକ ଚାପରେ ଥିବା ବ୍ୟକ୍ତିଙ୍କର ଦୁଃଖ ବୁଝିବାକୁ ପଡ଼ିବ । ସଠିକ ଭାବରେ କାଉନସେଲିଂ କରିବା ଆବଶ୍ୟକତା ରହିଛି । ନେଗେଟିଭ ଚିନ୍ତାଧାରାକୁ ପଜେଟିଭ ଚିନ୍ତାଧାରାକୁ ଆଣିବା ଆବଶ୍ୟକତା ରହିଛି । ମାନସିକ ଚାପରେ ଥିବା ବ୍ୟକ୍ତିଙ୍କ କଥା ଯଦି ଜଣେ ଭଲ ଭାବରେ କେବଳ ଶୁଣିବ ତେବେ ସେମାନଙ୍କ ଚାପ ହାଲୁକା ହୋଇଯିବ । ଜଣେ ଭଲ କାଉନସେଲର ସେତେବେଳେ ହୋଇପାରିବ ଯେତେବେଳେ ଜଣଙ୍କର ଦୁଃଖକୁ ପ୍ରଥମେ ଧର୍ଯ୍ୟର ସହ ଶୁଣି ବ୍ୟକ୍ତିର ମନରେ ଥିବା ନେଗେଟିଭ ଚିନ୍ତାଧାରାକୁ ପଜେଟିଭ କରିପାରିବ । ସାଙ୍ଗମାନଙ୍କ ସହ ବିଭିନ୍ନ ପ୍ରକାର ଖେଳ ଖେଳିବା ଆବଶ୍ୟକତା । କ୍ରିକେଟ, ଫୁଟବଲ ଭଳି ଅନେକ ଖେଳ ଖେଳିଲେ ମାନସିକ ଚାପ କମିଥାଏ । ଏଥିସହ ଏକ୍ସରସାଇଜ କରିବା ଦ୍ୱାରା ମାନସିକ ଚାପ କମିଥାଏ । ସେହିପରି ଆବଶ୍ୟକ ପରିମାଣରେ ଶୋଇବା ମଧ୍ୟ ଆବଶ୍ୟକତା ରହିଛି । ସବୁବେଳେ ଖୁସିରେ ରଖିବାକୁ ଚେଷ୍ଟା କଲେ ଆତ୍ମହତ୍ୟାକୁ ଦୁରେଇପାରିବା ବୋଲି ସେ କହିଥିଲେ ।
କାର୍ଯ୍ୟକାରୀ ସଭାପତି ଶିବ ସୁନ୍ଦର ସ୍ୱାଇଁ, ସମ୍ପାଦକ ନାରାୟଣ ବିଶ୍ୱାଳ ପଟ୍ଟାମୁଣ୍ଡାଇ କଲେଜର ଅଧ୍ୟକ୍ଷ କ୍ୟାପଟେନ ମନୋଜ କୁମାର ପରିଡ଼ା, ଆଇସିସି ଅଧ୍ୟକ୍ଷା ପ୍ରଧ୍ୟାପିକା ଡଃ ଅଞ୍ଜଳି ଦାଶ ଓ ଶକ୍ତିଶ୍ରୀ ସଶକ୍ତିକରଣ ସେଲ ସଂଯୋଜିକା ଅଧ୍ୟାପିକା ରଶ୍ମିତା ପାଣିଗ୍ରାହୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଅସୀମ ସାହସ ଓ ଧର୍ଯ୍ୟର ସହିତ ସମସ୍ତ କଠିନ ପରିସ୍ଥିତିକୁ ସାମନା କରିବା ସହିତ ଆତ୍ମହତ୍ୟା ଭଳି ହୀନ ମାନସିକତାରୁ ଦୁରେଇ ରହି ସୁସ୍ଥ ସମାଜ ଗଠନରେ ସହାୟକ ହେବାକୁ ପରାମର୍ଶ ଦେଇଥିଲେ । ଛାତ୍ରୀଛାତ୍ର ମାନଙ୍କୁ ଆତ୍ମହତ୍ୟା ଭଳି ନିଷ୍ପତି ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ପଟ୍ଟାମୁଣ୍ଡାଇ କଲେଜ ପ୍ରାଧ୍ୟାପକ ଡଃ ସୁନିଲ୍ ପ୍ରଧାନ, ଡ଼ ରମେଶ ସାହୁ, ଅମୀୟ ଦାସ, ପ୍ରମୋଦ ସ୍ୱାଇଁ,ବୈକୁଣ୍ଠ ରାଉଳ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଜିତେନ୍ଦ୍ର ମଲ୍ଲିକ ପୃଥିବୀରାଜ ବିଶ୍ୱାଳ, ସରୋଜକାନ୍ତ ନାୟକ, ସରୋଜିନୀ ମିଶ୍ର, ଭରତ ଭୂଷଣ ସାହୁ ରଞ୍ଜନ ବେହେରା ଶୁଭାଶିଷ ମିଶ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।
