ଗ୍ଲୋବାଲ ବ୍ରିଲିଆଂଟ ସ୍କୁଲର ବାର୍ଷିକ ଉତ୍ସବ

ପଟ୍ଟାମୁଣ୍ଡାଇ ୨୧/୩ -ଜ୍ଞାନର ବିସ୍ପୋରଣ ଓ ଶିକ୍ଷା ଉପରେ ଜଗତୀକରଣର ପ୍ରଭାବ ଛାତ୍ରୀଛାତ୍ର ମାନଙ୍କୁ ପ୍ରତିଯୋଗିତା ସମ୍ପନ୍ନ ହେବାକୁ ଆଜି ଉତ୍ସାହିତ କରିଛି । ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଁ ଦୃଢ ଇଛାଶକ୍ତି ଓ କଠୋର ସାଧାନା ଛାତ୍ରୀଛାତ୍ରଙ୍କ ପକ୍ଷରେ ଅପରିହାର୍ଯ୍ୟ ହୋଇପଡିଛି । ପୁନଶ୍ଚ କୃତ୍ରୀମ ବୁଦ୍ଧିମତାର ପ୍ରୟୋଗ ଦ୍ୱାର ଶିକ୍ଷା କ୍ଷେତ୍ରରେ ଏକ ନୃତନଯୁଗର ଅଭିଉଦୟ ହେବାକୁ ଯାଉଛି ।ଏହାକୁ ଦୃଷ୍ଠିରେ ରଖି ପଟ୍ଟାମୁଣ୍ଡାଇ ଅଚଂଳର ଅଗ୍ରଣୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଗ୍ଲୋବାଲ ବ୍ରିଲିଆଟଂ ସ୍କୁଲର କତୃପକ୍ଷ ଛାତ୍ରୀଛାତ୍ରଙ୍କ ପାଇଁ ଉଦିଷ୍ଠ ପାଠ୍ୟକ୍ରମ ଆବଶ୍ୟକ ପରିବର୍ତନ ଆଣିବାର ପ୍ରୟାଶରେ ଅଛନ୍ତି ବୋଲି ଗ୍ଲୋବାଲ ବ୍ରିଲିଆଟଂ ସ୍କୁଲର ଗ୍ଲୋରି ଫେଷ୍ଟ -୨୦୨୬ରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଦାଶରଥି ଶତପଥୀ ମତ ପ୍ରକାଶ କରିଛନ୍ତି । ସେ କହିଥିଲେ ମାତାପିତା ପିଲାମାନଙ୍କ ରୋଲମଡେଲ । ଜଣେ ଶିକ୍ଷାର୍ଥୀକୁ ଉତମ ନାଗରିକ କରି ଗଢିବା କ୍ଷେତ୍ରରେ ମାତାପିତାଙ୍କ ସମେତ ଶିକ୍ଷୟତ୍ରୀ ଶିକ୍ଷକଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଗୁଣାତ୍ମକ ଶିକ୍ଷାର ବିକାଶ କ୍ଷେତ୍ରରେ ଛାତ୍ରୀଛାତ୍ରମାନେ ନିଜର ଦୁର୍ବଳତାକୁ ଶକ୍ତିରେ ପରିଣତ କଲେ ଲକ୍ଷ୍ୟସ୍ଥଳରେ ପହଂଚିପାରିବେ ବୋଲି ମତପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଭାବେ ପଣ୍ଢିତ ହୃଷିକେଶ ରଥ ଯୋଗ ଦେଇ ପିଲାମାନଙ୍କ ଅନ୍ତର୍ନିହିତ ପ୍ରତିଭାକୁ ଚିହ୍ନଟ କରି ସେ ଦିଗରେ ବିକଶିତ କରିବାକୁ ଶିକ୍ଷୟତ୍ରୀଶିକ୍ଷକ ଓ ଅଭିଭାବକଙ୍କୁ ପରାମର୍ଶ ଦେବା ସହିତ ପିଲାମାନେ ଉଚ୍ଚଶିକ୍ଷିତ ହେବାକୁ ହେଲେ ମାତାପିତାଙ୍କ ଆର୍ଶୀବାଦ ଅପରିହାର୍ଯ୍ୟ ବୋଲି କହି ଉତମ ଛାତ୍ରୀଛାତ୍ର ତିଆରି କରିବାରେ ସ୍କୁଲର ଉଲ୍ଲେଖନୀୟ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ସ୍କୁଲର ନିର୍ଦେଶକ ଇଂ ଦେବବ୍ରତ ସ୍ୱାଇଁ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ସହିତ ଏହାକୁ ଏକ ଆଦର୍ଶ ମଡେଲ ସ୍କୁଲରେ ପରିଣତ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ସ୍କୁଲ ଅଧ୍ୟକ୍ଷ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଉତ୍ସବରେ ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ଡା ଗୋଲକ ବିହାରୀ ସ୍ୱାଇଁ, ସଭାପତି ରାଜଲଷ୍ମୀ ସ୍ୱାଇଁ ଓ ବ୍ରଜବନ୍ଧୁ ଧଳ, ପରିଚାଳନା କମିଟି ସଭ୍ୟ ଆଇନୀବୀ ସୌମ୍ୟ ରଞ୍ଜନ ଧଳ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।
