
କେନ୍ଦ୍ରାପଡ଼ା,୪ା୪:ମହାକାଳପଡ଼ା ପଞ୍ଚାୟତ ମସିତିରେ ଯେଉଁ ଅନାସ୍ଥା ନାଟକ ଚାଲିଥିଲା ସେଥିରେ ଛାୟା ବିଧାୟକ ଶିଶୁପାଳ ହୋଇଯାଇଥିବା ଜଣାପଡିଛି। ଅର୍ଥାତ ସଂଖ୍ୟା ଗରିଷ୍ଠ ସମିତିସଭ୍ୟ ଯୋଗାଡ଼ କରିବାରେ ବିଫଳ ହେବାରୁ ଅନାସ୍ଥା ହେବ କି ନାହିଁ ସେ ନେଇ ଆଶଙ୍କା ପ୍ରକାଶ ପାଇଛି। ଶନିବାର ମହାକାଳପଡ଼ା ବ୍ଲକ କାର୍ଯ୍ୟାଳୟରେ ଅନାସ୍ଥା ନେଇ ଯେଉଁ ଭୋଟ ହେବାର ଥିଲା ତାହାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ୯ ଜଣ ସମିତିସଭ୍ୟ ହଠାତ ଅସୁସ୍ଥ ହୋଇପଡିଥିବା ନେଇ ଉପଜିଲ୍ଲାପାଳଙ୍କୁ ଜଣାଇବା ପରେ ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇ ସେଥିରେ ଉଲ୍ଲେଖ କରାଯାଇଛି। କିନ୍ତୁ ହଠାତ ଅନାସ୍ଥାର ଗୋଟିଏ ଦିନ ପୂର୍ବରୁ କିପରି ୯ ଜଣ ସମିତିସଭ୍ୟଙ୍କ ସ୍ୱାସ୍ଥାବସ୍ଥା ଏକା ସାଙ୍ଗରେ ଖରାପ ହୋଇପଡିବା ଘଟଣାକୁ ନେଇ ରାଜନୈତିକ ମହଲରେ ରୋଚକ ଚର୍ଚ୍ଚା ଧରିିଛି। ଏଠାରେ ସୂଚନା ଯୋଗ୍ୟ ଯେ ମହାକାଳପଡ଼ା ବ୍ଲକ ଅଧ୍ୟକ୍ଷା କଳ୍ପନା ରାଉତଙ୍କୁ ଗାଦିରୁ ହଟାଇବା ପାଇଁ ଛାୟା ବିଧାୟକଙ୍କ ନିର୍ଦ୍ଦେଶ କ୍ରମେ କେତେକ ସମିତିସଭ୍ୟ ଓ ସରପଞ୍ଚ ଏକ ବୈଠକ କରି ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। ସେହି ଅନାସ୍ଥା ପ୍ରସ୍ତାବରେ ୪୨ ଜଣଙ୍କ ଦସ୍ତଖତ ରହିଥିଲା। ଏ ନେଇ ସେମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନାସ୍ଥା ପ୍ରସ୍ତାବର ଦରଖାସ୍ତ ପୈଠ କରିଥିଲେ। ଉପଜିଲ୍ଲାପାଳ ଦସ୍ତଖତ ମେଳ କରିବା ପାଇଁ ମାର୍ଚ୍ଚ ୨୮ ତାରିଖ ଦିନ ସମିତସଭ୍ୟ ଓ ସରପଞ୍ଚମାନଙ୍କୁ ଡକାଇଥିଲେ। ହେଲେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯେଉଁମାନେ ଆସିଥିଲେ ସେମାନଙ୍କ ମଧ୍ୟରେ ସମିତିସଭ୍ୟ କମ ଥିଲେ ଓ ସରପଞ୍ଚ ଅଧିକ ଥିଲେ। ଅପରପକ୍ଷରେ ବିଜେଡି ଗୋଷ୍ଠୀରେ ଅଧିକ ସମିତିସଭ୍ୟ ଥିଲେ। ତଥାପି ଛାୟା ବିଧାୟକ ନେତୃତ୍ୱ ନେଇଥିଲେ ଯେ ବିଜେଡି କ୍ୟାମ୍ପରୁ ଆବଶ୍ୟକ ସଂଖ୍ୟକ ସମିତିସଭ୍ୟଙ୍କୁ ଘୋଡା ବେପାର ଦ୍ୱାରା ନିଜ କ୍ୟାମ୍ପକୁ ଆଣି ଖେଳ କରିିବେ। ହେଲେ ୪ ତାରିଖ ସୁଦ୍ଧା ଛାୟା ବିଧାୟକ ତାହା କରିବାରେ ଅସଫଳ ହେଲେ। ତେଣୁ ଯେଉଁ ଅନାସ୍ଥା ଭୋଟ ହେବ ତାହାଦ୍ୱାରା କିଛି ଲାଭ ହେବ ନାହିଁ। ପୁଣି ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ବିଜୟ ହେବ ବୋଲି ଛାୟା ବିଧାୟକ ଜାଣିଗଲେ। ତେଣୁ ଜିଲ୍ଲା ପ୍ରଶାସନକୁ ପ୍ରଭାବିତ କରି ଅନାସ୍ଥାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ବୋଲି ବିଜେଡି କ୍ୟାମ୍ପର ଜନୈକ ନେତା କହିଛନ୍ତି। ଏ ସଂକ୍ରାନ୍ତରେ ଉପଜିଲ୍ଲାପାଳ ଅରୁଣ କୁମାର ନାୟକଙ୍କୁ ପଚାରିବାରୁ ସେ କହିଲେ ଶନିବାର ମହାକାଳପଡ଼ା ବ୍ଲକ କାର୍ଯ୍ୟାଳୟରେ ଯେଉଁ ଅନାସ୍ଥା ଭୋଟ ହେବାରେ ଥିଲା ତାହାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ୯ ଜଣ ସମିତିସଭ୍ୟ ସ୍ୱାସ୍ଥ୍ୟଗତ କାରଣରୁ ଅନାସ୍ଥା ନେଇ ଯେଉଁ ସ୍ୱତନ୍ତ୍ର ବୈଠକ ହେବା ପାଇଁ ଦିନ ଧ୍ୟାର୍ଯ୍ୟ କରାଯାଇଥିଲା ସେଥିରେ ଉପସ୍ଥିତ ରହିପାରିବେ ନାହିଁ ବୋଲି ଜଣାଇବା ପରେ ପ୍ରଶାସନ ପକ୍ଷରୁ ଏହି ବିଜ୍ଞପ୍ତି ଜାରି କରାଯାଇଛି। ତେବେ ମହାକାଳପଡ଼ାରେ ଛାୟା ବିଧାୟକ ଯେଉଁ ଗୋଟି ଚାଳନା କଲେ ସେଥିରେ ସେ ନିଜେ ଶିଶୁପାଳ ହୋଇପଡିଲେ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି। ଜଣେ ବିଜେଡି ନେତା କହିଛନ୍ତି ଯଦି ବିଜେପି କ୍ୟାମ୍ପ ପାଖରେ ସଂଖ୍ୟା ଗରିଷ୍ଠତା ଥିଲା ତାହା ହେଲେ ସେ ପ୍ରମାଣ କରି ଦେଖାଇଥାନ୍ତେ। ସେ କହିଛନ୍ତି ଯେ ପ୍ରଶାସନ ସହାୟତାରେ ଅନାସ୍ଥା ଭୋଟକୁ ସ୍ଥଗିତ ରଖିବା ସ୍ପଷ୍ଟ କରୁଛି ଯେ ଛାୟା ବିଧାୟକଙ୍କ କ୍ୟାମ୍ପରେ ବହୁମତ ନାହିଁ।
