ମାସ ମାସ ଧରି ଲୋକେ ପାଣି ଘେରରେ
ରିଲିଫ ସମେତ ସରକାରୀ ସହାୟତା ଦାବୀ

ପଟ୍ଟାମୁଣ୍ଡାଇ ୧୧/୯ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ବନ୍ୟା ସହାୟତା କ୍ଷେତ୍ରରେ ଚରମ ଅବହେଳାର ଶିକାର ହୋଇଛି । ବ୍ରାହ୍ମଣୀ ଓ କାଣୀ ନଦୀରେ ୪ଥର ବନ୍ୟା ଆସି ମାସ ମାସ ଧରି ପଟ୍ଟାମୁଣ୍ଡାଇ ବ୍ଲକ ଓ ମୁନିସିପାଲିଟିର ବହୁ ଅଂଚଳ ଓ ଚାଷଜମି ପାଣି ଘେରରେ ରହି ହଜାର ହଜାର ଏକର ଜମିର ଧାନ ମୁଗ ବିରି ଓ ପନିପରିବା ଫସଲ ସମୂଳେ ନଷ୍ଟ ହୋଇଛି । ବହୁ ଘରଦ୍ୱାର, ରାସ୍ତାଘାଟ କ୍ଷତିଗସ୍ତ ହେବା ସହିତ ବନ୍ୟା ବିପନ୍ନ ଲୋକମାନେ ମାସ ମାସ ଧରି ପାଣି ଘେରରେ ରହି ନର୍କ ଯନ୍ତ୍ରଣା ଭୋଗ କରିଛନ୍ତି । ଏପରିକି ବନ୍ୟା ପାଣିରେ ବୁଡି ଯାଇ ୨ଜଣଙ୍କ ପ୍ରାଣହାନୀ ଘଟିଛି । ବନ୍ୟା ଦ୍ୱାରା ବାରମ୍ବାର ଫସଲ ହରାଇ ଚାଷୀମାନେ ଦାଣ୍ଡର ଭିକାରୀ ହୋଇଛନ୍ତି । ଏସବୁ ସତ୍ୱେ ସରକାର କେବଳ ବନ୍ୟାଂଚଳ ଲୋକମାନଙ୍କ ପାଇଁ କିଛି ବୋଟ, ଡ଼ଙ୍ଗା ଓ ଗୋ ଖାଦ୍ୟ ଯୋଗାଇ ଦେଇ ବସିପଡିଛନ୍ତି । ବିପନ୍ନ ଲୋକଙ୍କୁ ନା ମିଳିଛି ରିଲିଫ ନା ସରକାରୀ ସହାୟତା । ବନ୍ୟାଂଚଳ ଘୋଷଣାର ନାଁ ଗନ୍ଧ ନାହିଁ । ଯାହାକୁ ନେଇ ବନ୍ୟା ବିପନ୍ନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବାରୁ ଅଂଚଳର ଜନପ୍ରତିନଧିମାନେ ପଟ୍ଟାମୁଣ୍ଡାଇ ଅଂଚଳକୁ ବନ୍ୟାଂଚଳ ଘୋଷଣା କରି ସରକାରୀ ସହାୟତା ଯୋଗାଇ ଦେବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି୍ି ।
ଓଡିଶାର ପ୍ରମୁଖ ବାଣିଜ୍ୟ ପେଣ୍ଠ,କେନ୍ଦ୍ରାପଡ଼ା ଜିଲ୍ଲାର ଦ୍ୱିତୀୟ ବୃହତମ ସହର ଅଘୋଷିତ ସବ ଡିଭିଜନ ସର୍ବୋପରି ରାଜନଗର ଓ କେନ୍ଦ୍ରାପଡ଼ା ବିଧାନସଭା ଅଧୀନରେ ଥିବା ପଟ୍ଟାମୁଣ୍ଡାଇ ବ୍ଲକ ବନ୍ୟା ସହାୟତା କ୍ଷେତ୍ରରେ ଚରମ ଅବହେଳାର ଶିକାର ହୋଇଛି । ବନ୍ୟା ଯୋଗୁଁ ବହୁ ଫସଲ ହାନୀ ଘଟିଥିବା ବେଳେ ବହୁ ଘର ଦ୍ୱାର ସହ ଜୀବନ ହାନୀ ଘଟିଛି । ବନ୍ୟାଂଚଳରେବହୁ ଫସଲ ହାନୀ ହୋଇଥିବା ବେଳେ ଚାଷୀ ମାନଙ୍କ ଫସଲ କ୍ଷୟକ୍ଷତି ମିଳିନାହିଁ । ସରକାର ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ଜଗତସିଂହପୁର ଆଦି ବିଭିନ୍ନ ଜିଲାକୁ ବନ୍ୟାଂଚଳ ଘୋଷଣା କରି ସମସ୍ତ ସହାୟତା ଯୋଗାଇ ଦେଇଛନ୍ତି । ଏଠି ଦୁଃଖର ବିଷୟ କେଉଁ କାରଣ ପାଇଁ କେନ୍ଦ୍ରାପଡ଼ା ଜିଲା ବିଶେଷ କରି ବନ୍ୟା ଦ୍ୱାରା ବିଶେଷ ଭାବେ ପ୍ରଭାବିତ ପଟ୍ଟାମୁଣ୍ଡାଇ ବ୍ଲକ ଓ ମୁନିସିପାଲିଟିକୁ ବନ୍ୟାଂଚଳ ଘୋଷଣା କଲେ ନାହିଁ ତାହା ଏବେବି ଅସ୍ପଷ୍ଟ ରହିଛି । ମୋହନ ମାଝୀଙ୍କ ନେତୃତ୍ୱରେ ଗଠିତ ଲୋକପ୍ରିୟ ସରକାର ବାରମ୍ବାର ବନ୍ୟା ବିଭେଷିକା ପାଇଁ ପଟ୍ଟାମୁଣ୍ଡାଇ ବ୍ଲକ ଓ ମୁନିସିପାଲିଟିକୁ ବନ୍ୟାଂଚଳ ଘୋଷଣା କରି ସମସ୍ତ ସହାୟତା ଯୋଗାଇ ଦେବେ ବୋଲି ବନ୍ୟା ବିପନ୍ନ ଲୋକମାନେ ବହୁତ ଆଶା କରିଥିଲେ । ମାତ୍ର ତାହା କଲେନାହିଁ । ଫଳରେ ବନ୍ୟା ବିପନ୍ନ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ରାଜ୍ୟ ସରକାର କାଳବିଳମ୍ବ ନକରି ବାରମ୍ବାର ବନ୍ୟା ଦ୍ୱାରା ବିଶେଷ ଭାବେ କ୍ଷତିଗସ୍ତ ହୋଇଥିବା ପଟ୍ଟାମୁଣ୍ଡାଇ ବ୍ଲକ ଓ ମୁନିସିପାଲିଟିକୁ ବନ୍ୟାଂଚଳ ଭାବେ ଘୋଷଣା କରି ରିଲିଫ ସମେତ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଧ୍ରୁବ ସାହୁ, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ, ପେଣ୍ଠପାଳ ସରପଂଚ ଅନ୍ନପୂର୍ଣ୍ଣା ସେଠୀ, ସମିତି ସଭ୍ୟ ଶଶାଙ୍କ ଶେଖର ବିଶ୍ୱାଳ ତରଡ଼ିପାଳ ସରପଂଚ ଦେବବ୍ରତ ନାୟକ, ସମିତି ସଭ୍ୟ ନିରଞ୍ଜନ ବାରିକ, ସିଂହଗାଁ ସରପଂଚ ଗଣେଶ ଦାସ, ସମିତିସଭ୍ୟ ଅଭୟ ସ୍ୱାଇଁ, ଅମୃତମଣୋହି ସରପଂଚ ନିରୁପମା ଦାସ,ବଳଭଦ୍ର ପୁର ସରପଂଚ ପ୍ରିୟବ୍ରତ ଓଝା, ଶ୍ରୀରାମପୁର ସରପଂଚ ସସ୍ମିତା ସେଠୀ ଡାମରପୁର ସରପଂଚ ଅନୁସୂୟା ନାଥ, ସମିତିସଭ୍ୟ ନିରୁପମା ସାହୁ,ଶାସନ ସରପଂଚ ସଂଗ୍ରାମ ବାରିକ ଓ ସମିତି ସଭ୍ୟ ଡଲି ପରିଡା ପ୍ରମୁଖ ସରକାରଙ୍କ ଠାରେ ଦାବୀ କରିଛନ୍ତି ।
