- ବାଇପାସ ରାସ୍ତା ପାଇଁ ଚାଲିଛି ବେଧଡ଼କ୍ କେନାଲ ଶଯ୍ୟା ଖୋଳା
- ବିପଦରେ ବ୍ରିଟିଶ ଅମଳର କେନାଲ

ପଟ୍ଟାମୁଣ୍ଡାଇ ୨୧/୫ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଓ ଗୋବରି ସମ୍ପ୍ରସାରିତ କେନାଲ ଏବେ ସ୍ଥିତି ହରାଇ ସଙ୍କୁଚିତ ହୋଇଚାଲିଛି । କେନାଲ ଶଯ୍ୟାକୁ ମାଟିମାଫିଆ ଖିନ୍ଭିନ୍ କରି ଲୁଟି ଚାଲିଥିବା ବେଳେ ପଟ୍ଟାମୁଣ୍ଡାଇ ବିକାଶ ନାମରେ ଠିକାସଂସ୍ଥା କେନାଲକୁ ପୋତି ପ୍ରକଳ୍ପ ତିଆରି କରୁଛି। ଫଳରେ ଏବେ ଚାଷଜମୀ ପାଇଁ ଜଳଯୋଗାଣକୁ ଅସମର୍ଥ ହୋଇପଡ଼ିବା ନେଇ ଆଶଙ୍କା ସୃଷ୍ଠି ହେଉଛି ।

ବ୍ରିଟିଶ ଶାସନ ୧୮୬୬ ନ’ଅଙ୍କ ଦୁର୍ଭିକ୍ଷ ବେଳେ ଓଡ଼ିଶାର ଆର୍ôଥକ ସ୍ଥିତିକୁ ଦୋହଲାଇ ଦେଇଥିଲା। ସେତେବେଳେ ଜଳସେଚନ ଓ ଜଳପଥ ପରିବହନ ଲକ୍ଷ୍ୟ ନେଇ ବ୍ରିଟିଶ ସରକାର ଆନ୍ତଃ ପ୍ରାଦେଶିକ ଯୋଗାଯୋଗ ଲାଗି ପଟ୍ଟାମୁଣ୍ଡାଇ ଓ ଗୋବରୀ ସମ୍ପ୍ରସାରୀତ କେନାଲ ଖୋଳାଇଥିଲେ। ଏହା କାର୍ଯ୍ୟକ୍ଷମ ହେବା ପରେ ସୁନାବ୍ୟା ହେଲା। ବଡ଼ ବଡ଼ ନୌକା, ବୋଟ୍, ମୋଟର ଲଂଚରେ ବ୍ରାହ୍ମଣୀରୁ ଅଳଭା ଲକ୍ ଦେଇ ଗଣ୍ଡାକିଆ ଗୋବରୀ ମଧ୍ୟ ଦେଇ ପାରାଦୀପକୁ ନୌବାଣିଜ୍ୟ ହେଇଥିଲା। ଦେଶସ୍ୱାଧୀନ ପରେ ନବେଦଶକ ଠାରୁ ସ୍ଥାନୀୟ ଚାଷୀ କେବଳ ଜଳସେଚନ କାର୍ଯ୍ୟରେ ଏହି କେନାଲକୁ ବ୍ୟବହାର କରି ୩ ଫସଲି କରିଆସୁଥିଲେ। ପୂର୍ବ ସରକାରର ଦୂରଦୃଷ୍ଠି ଅଭାବରୁ ୨୦୧୮ରେ ୮୦ ଫୁଟ ଚଉଡା କେନାଲର ଦୁଇ ପାର୍ଶ୍ୱ ପୋତି ପ୍ରାୟ ୨୫ ଫୁଟ ଚଉଡା କମ୍ କରିଦିଆଗଲା। ଅଳଭା ଓ ଗଣ୍ଡାକିଆ ଲକ୍କୁ ମଧ୍ୟ ବନ୍ଦ କରି ଦିଆଗଲା। ଏକାସଙ୍ଗେ ୩ରୁ ୪ଟି ପଣ୍ୟବାହୀ ଡଙ୍ଗା ଆତଯାତ କରୁଥିବା କେନାଲ ସମ୍ପ୍ରତି ୨୫ ଫୁଟ ଚଉଡ଼ାରେ ସୀମିତ ରହିଥିବା ବେଳେ ଏବେ ନୂତନ ବାଇପାସ ରାସ୍ତା ନିର୍ମାଣ କରୁଥିବା ଠିକାଦାର କେନାଲ ପାଶ୍ୱର୍ରେ ଢଳେଇ ପିଣ୍ଡି କରି ଶର୍ଯ୍ୟା ୧୦ ଫୁଟ କମ କରିସାରିଲାଣି । ବେଆଇନ ଭାବେ ଠିକାଦାର ମାଟି ଖନନ ଯୋଗୁଁ କେନାଲ ଶଯ୍ୟାରେ କେଉଁଠି ଗଣ୍ଡ ତ ଆଉ କେଉଁଠି ପଡ଼ିଆରେ ପରିଣତ ହୋଇଛି। ଏଭଳି ସ୍ଥିତିରେ ପଟ୍ଟାମୁଣ୍ଡାଇ ଗୋବରୀ ସମ୍ପ୍ରସାରିତ କେନାଲ ସହ ୧୭ଟି ଛୋଟ ଶାଖା କେନାଲ ଓ ୫ଟି ମାଇନର କେନାଲ ଜଳପ୍ରବେଶ କରିବ ନାହିଁ । ଏହି କେନାଲ ଓ ଶାଖା କେନାଲ ଉପରେ ନିର୍ଭର କରୁଥିବା ଥିବା ଅଭିଭକ୍ତ କଟକ ଜିଲାର ଭାତହାଣ୍ଡି କୁହାଯାଉଥିବା ଉତିକଣ ଅଂଚଳର ଚାଷ ଜମି ପଡ଼ିଆ ପଡ଼ିବା ଆଶଙ୍କା ପ୍ରକାଶ ପାଉଛି। କେନାଲରେ ପାଣି ଆସିଲେ ପଟ୍ଟାମୁଣ୍ଡାଇ ବାଇପାସ ଠାରୁ ତଳମୁଣ୍ଡ ଗୋବରୀ କେନାଲକୁ ଜଳଯୋଗାଣ ବ୍ୟବସ୍ଥାରେ ବାଧା ସୃଷ୍ଟି ହେବ। କୃଷକଙ୍କର ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନା କରୁଥିବା କହୁଛନ୍ତି। କିନ୍ତୁ ଯେଉଁ କେନାଲ ପାଣି ଦ୍ୱାରା ଚାଷୀ ଚାଷ କାର୍ଯ୍ୟ କରୁଛନ୍ତି ସେହି କେନାଲ ଖୋଳା ପୋତା ହୋଇ ଭିତରକନିକାକୁ ଗମନାଗମନ ପାଇଁ ନୂତନ ବାଇପାସ୍ ରାସ୍ତା ନିର୍ମାଣ କେତେଦୂର ସମୁଚିନ ତାହା ଆଲୋଚନା ହେଉଛି। ବାଇପାସ ରାସ୍ତା ପାଇଁ କେନାଲଟି ସମ୍ପୂର୍ଣ୍ଣ ନଷ୍ଟଭ୍ର୍ରଷ୍ଟ ହୋଇଚାଲିଛି। ଫଳରେ ଧୀରେ ଧୀରେ କେନାଲ ସଙ୍କୁଚିତ ହେବା ସହ ପୋତି ହୋଇଯିବାରେ ଲାଗିଛି। ଏଥିପାଇଁ ପଟ୍ଟାମୁଣ୍ଡାଇ ବ୍ଲକ ଉତିକଣ ଅଂଚଳର ଶତାଧିକ ଚାଷୀଙ୍କ ପରିବାରଙ୍କ ପେଟକୁ ପୂର୍ତ ବିଭାଗ ନାତ ମାରୁଛି ବୋଲି ଚାଷୀମୂଲିଆ ସଂଗଠନର ଆବାହକ ଭାସ୍କର ରାଉତରାୟ, କୃଷକ ନେତା ବିଜୟ ଦାସ, ପ୍ରକାଶ ମହାନ୍ତି, କୁଞ୍ଜ ବିହାରୀ ନାୟକ, ସୁରେନ୍ଦ୍ର ପରିଡ଼ା, ଦାଶରଥି ସାହୁ, ଅଜୟ ନାୟକ, ସୁଶାନ୍ତ ସାମଲ, ନରେଶ ଜେନା, ରଂଜିତ ପ୍ରଧାନ, ରତ୍ନାକର ପ୍ରଧାନ ପ୍ରମୁଖ ଅଂଚଳର ଶତାଧିକ ଚାଷୀ ଅଭିଯୋଗ ଆଣିଛନ୍ତି। ଏନେଇ ପୂର୍ତ ବିଭାଗ ସହନିର୍ବାହୀ ଯନ୍ତ୍ରୀ କୃପାସିନ୍ଧୁ ଧଳଙ୍କୁ ପଚାରିବାରେ ଏଗ୍ରୀମେଂଟରେ କେନାଲ ୧୦ ଫୁଟ ପୋତେଇ ଓ ଶଯ୍ୟା ଖୋଦେଇ ପାଇଁ ଉଲେଖ ରହିଛି । ଆମେ କିଛି କରିପାରିବୁନାହିଁ ।ଅନ୍ୟପକ୍ଷରେ ପୂର୍ତ ବିଭାଗ ଏସଡିଓଙ୍କ ଏପରି କଥାକୁ ସାଧାରଣରେ ନାପସନ୍ଦ କରି ଚାଷୀକୂଳ ଜନସ୍ୱାର୍ଥ ମାମଲାକରିବାକୁ ସଜବାଜ ହେଲେଣି ବୋଲି କହିଛନ୍ତି ।
