କେନ୍ଦ୍ରାପଡ଼ା,୨୫ା୩: ମୃତଛାତ୍ର ଆୟୁଷ୍ମାନକୁ ଜୋରଜବରଦସ୍ତ ଥଣ୍ଡାପାନୀୟରେ ମଦ ମିଶାଇ ପିଆଇବା ପରେ ହତ୍ୟା କରିବା ଉଦେଶ୍ୟରେ ଲୁଣା ନଦୀକୁ ଠେଲି ଦିଆଯାଇଥିଲା। ଫଳରେ ଆୟୁଷ୍ମାନଙ୍କ ମୃତ୍ୟୁ ଘଟିଥିଲା ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଆୟୁଷ୍ମାନ ମୃତ୍ୟୁ ଘଟଣାରେ ଜଣେ ନାବାଳକ ଓ ଜଣେ ଯୁବକଙ୍କୁ ଥାନାକୁ ଆଣି ଜେରା କରିବା ପରେ ଏଭଳି ତଥ୍ୟ ସାମନାକୁ ଆସିଛି। ତଦନ୍ତରୁ ଜଣାପଡିଛି ଯେ ଡେରାବିଶ ଥାନା ଅନ୍ତର୍ଗତ କୁରୁଜଙ୍ଗା ଗ୍ରାମପଞ୍ଚାୟତର ମନ୍ତ୍ରୀପଡା ଗ୍ରାମର ଖଗେଶ୍ୱର ମହାନ୍ତିଙ୍କ ପୁଅ ଆୟୁଷ୍ମାନ ଓରଫ ଧନ(୧୪) କେନ୍ଦ୍ରାପଡା ସଦର ଥାନା ଅଧିନ ଭରତପୁର ଗ୍ରାମକୁ ମା’ସହିତ ଆସିଥିଲା। ତା’ର ମା’ ଗତ୧୮ତାରିଖରେ ଘରକୁ ଫେରିଯାଇଥିବା ବେଳେ ଆୟୁଷ୍ମାନ ମାମୁଁଘରେ ରଙ୍ଗଖେଳିବାକୁ ରହିଯାଇଥିଲା। ଗତ ୧୯ତାରିଖ ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ଆୟୁଷ୍ମାନ ମାମୁଁଘରେ ଥିବା ସମୟରେ ସଂପୃକ୍ତ ନାବାଳକ ଜଣଙ୍କ ତାକୁ ଜୋର କରି ରଙ୍ଗଖେଳିବାକୁ ଡାକି ନେଇଯାଇଥିଲା। ସେଠାରୁ ସେମାନେ ଭରତପୁର ଫୋରପୋଲ ଛକକୁ ଯାଇଥିଲେ। ସେଠାରୁ ଆୟୁଷ୍ମାନ ଓ ନାବାଳକ ସହିତ ଭରତପୁର ଗ୍ରାମରେ ମାମୁଁ ଘରେ ରହୁଥିବା ଅନ୍ୟ ଜଣେ ୨୬ବର୍ଷର ଯୁବକ ବାଇକ ଯୋଗେ ପ୍ରଥମେ ଶ୍ୟାମସୁନ୍ଦରପୁର ଓ ପରେ ଫେରି ବଳରାମପୁର ନିକଟସ୍ଥ ଲୁଣାନଦୀ ନିକଟକୁ ଯାଇଥିଲେ। ପୂର୍ବରୁ ସାଙ୍ଗରେ ନେଇଥିବା ମଦ ମିଶା ଥଣ୍ଡାପାନୀୟ ବୋତଲକୁ ସଂପୃକ୍ତ ଯୁବକ ଜଣଙ୍କ ଆୟୁଷ୍ମାନକୁ ଜୋରକରି ପିଆଇଦେଇଥିଲେ। ଏହାପରେ ଆହୁରି ଦୁଇଥର ମଦ ମିଶା ଥଣ୍ଡାପାନୀୟ ଆୟୁଷ୍ମାନକୁ ପିଆଇ ଦିଆଯାଇଥିଲା। ଫଳରେ ଆୟୁଷ୍ମାନକୁ ନିଶା ହୋଇଯାଇଥିଲା। ଏହାପରେ ଆୟୁଷ୍ମାନକୁ ଲୁଣାନଦୀ ଭିତରକୁ ଠେଲି ଦିଆଯାଇଥିଲା। ଏଥିସହ ସଂପୃକ୍ତ ନାବାଳକ ଓ ଯୁବକ ଉଭୟ ମଦ ପିଇଥିଲେ। ଏହାପରେ ଆୟୁଷ୍ମାନ ପାଣି ଭିତରେ ଥିବା ନାବାଳକ ଜଣଙ୍କ ଦେଖି ତାସହିତ ଯାଇଥିବା ଯୁବକ ଜଣକୁ ଆୟୁଷ୍ମାନକୁ ପାଣିରୁ ଉପରକୁ ଆଣିବାକୁ କହିଥିଲେ ମଧ୍ୟ ସେ କିଛି ଶୁଣିନଥିଲା। ଆୟୁଷ୍ମାନ ମରିଯାଉ ବୋଲି ଯୁବକ ଜଣଙ୍କ ତାକୁ କହିଥିବା ପୋଲିସ ଜେରା ବେଳେ ଜାଣିବାକୁ ପାଇଛି। ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ନେଇ ମୃତ ଛାତ୍ର ଆୟୁଷ୍ମାନର ବାପା ଖଗେଶ୍ୱର ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ପାଇବା ପରେ ପୋଲିସ ୨ଜଣଙ୍କୁ ଉଠାଇ ଜେରା କରିଥିଲା। ଜେରା ପରେ ଉପରୋକ୍ତ ତଥ୍ୟ ସାମନାକୁ ଆସିଥିବା ପୋଲିସ କହିଛି। କେନ୍ଦ୍ରାପଡା ସଦର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁଙ୍କୁ ପଚାରିବାରେ ସେ କହିଲେ ତଦନ୍ତ ଜାରି ରହିଛି ଖୁବ ଶୀଘ୍ର ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
Discover more from
Subscribe to get the latest posts sent to your email.