କେନ୍ଦ୍ରାପଡ଼ାରୁ ଆରଏମଏସ କାର୍ଯ୍ୟାଳୟ କଟକ ସ୍ଥାନାନ୍ତର ନିଷ୍ପତ୍ତି

blank
କେନ୍ଦ୍ରାପଡ଼ା, ୨ା୪: କେନ୍ଦ୍ରାପଡା ଜିଲାରୁ ରେଳବାଇ ଡାକସେବା କାର୍ଯ୍ୟାଳୟ (ଆର. ଏମ. ଏସ.)କୁ ଉଛେଦ କରିବା ପାଇଁ ଯେଉଁ ଷଡଯନ୍ତ୍ର ହୋଇଥିଲା ତାହା ଏବେ ସାକାର ହେବାକୁ ଯାଉଛି। ଆଉ ଦିନ କେଇଟା ପରେ ଆର.ଏମ.ଏସ.ର ସମସ୍ତ କର୍ମଚାରୀ ଏଠାରୁ ଅପସାରିତ ହୋଇଯିବେ। ଏଣୁ କେନ୍ଦ୍ରାପଡା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଆର.ଏମ.ଏସ. କାର୍ଯ୍ୟାଳୟ ନଉଠାଇବା ପାଇଁ ଯେଉଁ ଦାବିପତ୍ର ଦିଆଯାଇଥିଲା ସେଥିରେ କିଛି ଲାଭ ହେଲାନାହିଁ। ଡାକସେବା କେନ୍ଦ୍ର ସରକାରଙ୍କ ଅଧୀନରେ ଥିବାବେଳେ କେନ୍ଦ୍ରରେ ବିଜେପି ସରକାର ଅଛନ୍ତି । ବୈଜୟନ୍ତ ପଣ୍ଡା ବିଜେପିର ଏକ ପ୍ରମୁଖ ପଦରେ ବସିଛନ୍ତି। ସେ ଚାହିଁଥିଲେ କେନ୍ଦ୍ରାପଡ଼ାରୁ କୈାଣସି ଶକ୍ତି ଆର.ଏମ.ଏସ. କାର୍ଯ୍ୟାଳୟକୁ ଉଠାଇ ପାରିନଥାନ୍ତା। କିନ୍ତୁ ସେ ଏଦିଗରେ ସାମାନ୍ୟତମ ଆଗ୍ରହ ପ୍ରକାଶ କଲେ ନାହିଁ ବୋଲି ଆଲୋଚନା ହେଉଛି। ଫଳରେ ନିଜ ସଂସଦୀୟ କ୍ଷେତ୍ରରୁ କେନ୍ଦ୍ର ସରକାରଙ୍କର କାର୍ଯ୍ୟାଳୟ ଉଠି ଯାଉଛି ବୋଲି ବୁଦ୍ଧିଜୀବୀମାନେ ଏବେ ପ୍ରଶ୍ନ ଉଠାଇଲେଣି।

ସୂଚନା ଯୋଗ୍ୟ ଯେ ଏହି ଆର. ଏମ. ଏସ ରୁ ପ୍ରଥମ ସୋପାନରେ ଦୁଇଜଣ କର୍ମଚାରୀଙ୍କୁ ଭୁବନେଶ୍ୱରକୁ ଡେପୁଟେସନରେ ପଠାଇ ଦିଆଯାଥିଲା। ପରେ ପରେ ଅନ୍ୟ ତିନି ଜଣ କର୍ମଚାରୀଙ୍କୁ ଏଠାରୁ ଡେପୁଟେସନ ଆଳରେ ଅନ୍ୟତ୍ର ପଠାଇଦେବାକୁ ଷଡଯନ୍ତ୍ର ଚାଲିଛି। ଏହାକୁ ବିରୋଧକରି ଏବଂ କେନ୍ଦ୍ରାପଡାରେ ଆର.ଏମ.ଏସ. କାର୍ଯ୍ୟାଳୟ ରଖିବାକୁ କେନ୍ଦ୍ରାପଡାର ବୁଦ୍ଧିଜିବୀମାନେ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଗତ ମାର୍ଚ୍ଚମାସ ୨ତାରିଖରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଜିଲ୍ଲା ସଂସ୍କୃତି ଭବନ ପରିସରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ସାଂସଦ ଶ୍ରୀ ପଣ୍ଡା ଆସିଥିବା ବେଳେ କେନ୍ଦ୍ରାପଡା ଜିଲ୍ଲା ନାଗରିକ ମଞ୍ଚ ପକ୍ଷରୁ ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ଦାସଙ୍କ ନେତୃତ୍ୱରେ ଏହି ଦାବିପତ୍ର ପ୍ରଦାନ କରାଯାଇଥିଲା। ସେହି ଦାବିପତ୍ରରେ ଉଲ୍ଲେଖ ରହିଥିଲା ଯେ କେନ୍ଦ୍ରାପଡା ଜିଲ୍ଲାର ମହିପାଳ ଠାରେ ୧୯୭୭ମସିହାରୁ ଅଦ୍ୟାବଧି ଏକ ରେଳବାଇ ଡାକସେବା କାର୍ଯ୍ୟାଳୟ(ଆର.ଏମ.ଏସ,) ଚାଲୁଅଛି। ଏହି କାର୍ଯ୍ୟାଳୟ ଅଧିନରେ ଜିଲ୍ଲାର ୯ଗୋଟି ବ୍ଲକ ଓ ଦୁଇ ଗୋଟି ପୈାରାଞ୍ଚଳରେ ଥିବା ୩୧ଟି ଡାକଘରର ଡାକସେବା କାର୍ଯ୍ୟ ଚାଲିଛି। ସମଗ୍ର ଜିଲ୍ଲାର ଡାକଘର ଗୁଡିକରୁ ଯେଉଁ ସବୁ ଚିଠିପତ୍ର ଆସେ ସେଗୁଡିକ ଏହି କାର୍ଯ୍ୟାଳୟ ମାଧ୍ୟମରେ ଦୂର ଦୂରାନ୍ତର ଲୋକଙ୍କ ନିକଟରେ ପହଞ୍ଚି ଥାଏ। ଏଥିସହିତ ଜିଲ୍ଲା ବାହାରୁ ଆସୁଥିବା ଚିଠିପତ୍ର ଗୁଡିକ ମଧ୍ୟ ଏହି କାର୍ଯ୍ୟାଳୟରେ ପ୍ରଥମେ ସର୍ଟିଂ କରାଯାଇ ଜିଲ୍ଲାର ବିଭିନ୍ନ ଡାକଘର ଗୁଡିକୁ ପଠାଯାଇଥାଏ। କିନ୍ତୁ ଓଡିଶା ସର୍କଲର ମୁଖ୍ୟ ଡାକପାଳଙ୍କ ନିଷ୍ପତ୍ତି ଅନୁଯାୟୀ ଏହି କାର୍ଯ୍ୟାଳୟକୁ ଏଠାରୁ ଉଛେଦ କରି କଟକ ସର୍କଲ ସହିତ ଯୋଡି ଦେବା ପାଇଁ ପ୍ରୟାସ ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ରେଜେଷ୍ଟ୍ରୀ ଚିଠି ଓ ସ୍ପିଡପୋଷ୍ଟ ଚିଠି ଗୁଡିକର ସର୍ଟିଂ କାର୍ଯ୍ୟ କଟକ ଆର.ଏମ.ଏସ. କାର୍ଯ୍ୟାଳୟକୁ ଉଠାଇ ନିଆଯାଇଛି। ଏହାସହ କେନ୍ଦ୍ରାପଡା ଆର.ଏମ.ଏସ. କାର୍ଯ୍ୟାଳୟର ମୋଟ ୫ଜଣ କର୍ମଚାରୀଙ୍କ ମଧ୍ୟରୁ ୨ଜଣଙ୍କୁ ଭୁବନେଶ୍ୱର କାର୍ଯ୍ୟାଳୟକୁ ଡେପୁଟେସନରେ ପଠାଇ ଦିଆଯାଇଛି। ଏହାଫଳରେ ଏଠାରେ କାର୍ଯ୍ୟରତ ମାତ୍ର ୩ଜଣ କର୍ମଚାରୀ ଲୋକମାନଙ୍କୁ ସେବା ଯୋଗାଇଦେବାରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଭୈାଗଳିକ ଦୃଷ୍ଟିକୋଣରୁ କେନ୍ଦ୍ରାପଡା ଜିଲ୍ଲା ବେଶ ଗୁରୁତ୍ୱପୂର୍ଣ୍ଣ। ଏହି ଜିଲ୍ଲା ସହ ପାରାଦୀପ ପୋର୍ଟ, ଧାମରା ପୋର୍ଟ ପ୍ରଭୃତି ଯୋଡି ହୋଇଛି। ଏହାସହ ଏହି ଜିଲ୍ଲାର ମହାକାଳପଡା ଠାରେ ଏକ ନଦୀ ଭିତ୍ତିକ ବନ୍ଦର ନିର୍ମାଣ ପାଇଁ ପ୍ରାରମ୍ଭିକ କାର୍ଯ୍ୟ ଚାଲିଛି। ସେହିପରି ନିପନ ଷ୍ଟିଲ କାରଖାନା ପାଇଁ ଜମି ଅଧିଗ୍ରହଣ ଆରମ୍ଭ ହୋଇଗଲାଣି। ଏହି କାରଖାନା ନିର୍ମାଣ ହୋଇଯିବା ପରେ ଦେଶ ବିଦେଶର ହଜାର ହଜାର କର୍ମଚାରୀ ଏଠାରେ ବସବାସ କରିବେ। ସେମାନଙ୍କ ପାଇଁ ଡାକସେବାର ବହୁ ଆବଶ୍ୟକତା ରହିବ। ସେହିଭଳି ଭିତରକନିକା ଜାତୀୟ ଉଦ୍ୟାନ ଏହି ଜିଲ୍ଲାରେ ଅବସ୍ଥିତ। ପ୍ରତିଦିନ ଏଠାକୁ ଦେଶ ବିଦେଶର ପର୍ଯ୍ୟଟକ ମାନେ ଆସିଥାନ୍ତି। ଏହାବ୍ୟତିତ କଟକକୁ ରେଜେଷ୍ଟ୍ରୀ ଚିଠି ଓ ସ୍ପିଡପୋଷ୍ଟ ଚିଠି ଗୁଡିକର ସର୍ଟିଂ କାର୍ଯ୍ୟ ସ୍ଥାନାନ୍ତରଣ କରାଯାଇଥିବାରୁ ଯଦି କୈାଣସି କାରଣ ବସତଃ ଭୁଲରେ କେନ୍ଦ୍ରାପଡାର ଚିଠିଟି ଆଳିକୁ ଚାଲି ଯାଏ ତେବେ ସେହି ଚିଠିଟି ପୁନର୍ବାର ସେଠାରୁ କଟକ ଯିବା ପରେ ସେଠାରେ ସର୍ଟିଂ ହୋଇ କେନ୍ଦ୍ରାପଡାର ସଠିକ ଠିକଣାରେ ପହଞ୍ଚିବା ପାଇଁ ୩ଦିନ ଲାଗିିବ। ଫଳରେ ଚାକିରୀ ଆଶାୟୀ, ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାର ଆଶାୟୀ ପ୍ରାର୍ଥୀ ଓ ବିଭିନ୍ନ କଲେଜ କିମ୍ବା ବିଶ୍ୱବିଦ୍ୟାଳୟରେ ଆଡମିସନ କରିବା ପାଇଁ ଅପେକ୍ଷାରତ ଛାତ୍ରଛାତ୍ରୀମାନେ ବିଳମ୍ବରେ ସେହି ଚିଠି ପାଇବେ। ସେମାନଙ୍କ ଭବିଷ୍ୟତକୁ ନେଇ ବିଭିନ୍ନ ସମସ୍ୟା ଉପୁଜିବାର ସମ୍ଭାବନା ମଧ୍ୟ ଦେଖାଦେଇଛି। ଏହିସବୁ ଦୃଷ୍ଟିକୋଣରୁ କେନ୍ଦ୍ରାପଡା ଜିଲ୍ଲାରେ କାର୍ଯ୍ୟ କରୁଥିବା ରେଳ ଡାକସେବା(ଆର.ଏମ.ଏସ.) କାର୍ଯ୍ୟାଳୟର ଗୁରୁତ୍ୱ ରହିଛି। ତେଣୁ ଏହି କାର୍ଯ୍ୟାଳୟରୁ କଟକ ସର୍କଳ କାର୍ଯ୍ୟାଳୟକୁ ସ୍ଥାନାନ୍ତରିତ ହୋଇଥିବା ରେଜେଷ୍ଟ୍ରୀ ଚିଠି ଓ ସ୍ପିଡପୋଷ୍ଟ ଚିଠି ଗୁଡିକର ସର୍ଟିଂ କାର୍ଯ୍ୟକୁ କେନ୍ଦ୍ରାପଡାକୁ ଫେରାଇ ଆଣିବା ସହ ଏଠାରୁ ଭୁବନେଶ୍ୱରକୁ ଡେପୁଟେସନରେ ଯାଇଥିବା ଦୁଇଜଣ କର୍ମଚାରୀଙ୍କୁ ତୁରନ୍ତ ଏଠାକୁ ଫେରାଇ ଅଣାଯିବାକୁ ଦାବି କରି ଜିଲ୍ଲାର ବୁଦ୍ଧିଜୀବୀମାନେ ସାଂସଦଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ଦାସଙ୍କ ନେତୃତ୍ୱରେ ପୂର୍ବତନ ଜିଲ୍ଲା ବିଜେପି ଉପସଭାପତି ଗଗନବିହାରୀ ସାହୁ, ପୂର୍ବତନ ବିଧାୟକ ଡ. ଅଲେଖ କୁମାର ଜେନା, ପ୍ରତାପ ମହାନ୍ତି, ରଞିତ କୁମାର ଆଚାର୍ଯ୍ୟ, ଅମରରଞ୍ଜନ ପରିଜା, ନବାବ କୁମାର ପଣ୍ଡା, ସୁମନ୍ତ ଦାସ, ରାଜୀବ ସ୍ୱାଇଁ ପ୍ରମୁଖ ସାଂସଦ ଶ୍ରୀ ପଣ୍ଡାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। କିନ୍ତୁ ଏବେ କେନ୍ଦ୍ରାପଡାରୁ ଆର.ଏମ.ଏସ. କାର୍ଯ୍ୟାଳୟ କଟକ ସର୍କଲ ସହିତ ମିଶିଯିବା ପାଇଁ ଓଡିଶା ସର୍କଲର ମୁଖ୍ୟ ମହାଡାକପାଳ ଏକ ନିର୍ଦେଶନାମା ଜାରି କରିଥିବା ଜଣାପଡିଛି। ଆଉମାତ୍ର ୪/୫ଦିନ ମଧ୍ୟରେ ଏହି ନିର୍ଦେଶନାମା କାର୍ଯ୍ୟକାରୀ ହେବାକୁ ଯାଉଛି। ଏସମ୍ପର୍କରେ ସାଂସଦ ଶ୍ରୀ ପଣ୍ଡାଙ୍କୁ ଜଣାଇ ଦିଆଯାଇଥିଲେ ମଧ୍ୟ କୈାଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଜଣାପଡିଛି।

Next Post

ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଉତ୍କଳ ଦିବସ ପାଳିତ .

Wed Apr 2 , 2025
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକ ମଞ୍ଚ ଚିତ୍ତବିନୋଦନ ଗୃହ ପରିସରରେ ପବିତ୍ର ଉତ୍କଳ ଦିବସ ବା ଓଡିଶା ଦିବସ ମଙ୍ଗଳବାର ପାଳିତ ହୋଇଯାଇଅଛି । ଏହି ଉତ୍ସବ ପ୍ରଥମେ ଅତିଥି ମାନଙ୍କ ଦ୍ୱାରା ଉତ୍କଳର ବରପୁତ୍ର ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ, ମଧୁସୂଦନ ଦାସଙ୍କ ତୈଳଚିତ୍ରରେ ପୁଷମାଲ୍ୟ ଓ ପ୍ରଦୀପ ପ୍ରଜ୍ୱଳନ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ନାଗରିକ ମଞ୍ଚ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading