- ୨୪୨ ଜଣ ଯାତ୍ରୀ ଜିଅନ୍ତା ଜଳିଗଲେ
- ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ନିଧନ
- ପାଇଲଟ୍ କରିଥିଲେ ମେ ଡେ’ କଲ
ଅହମ୍ମଦାବାଦ, ୧୨ା୬- ଅହମଦାବାଦରୁ ଲଣ୍ଡନ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ଅପରାହ୍ନରେ ଉଡ଼ାଣ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନରେ ଥିବା ସମସ୍ତ ୨୪୨ ଜଣଙ୍କର ମୃତ୍ୟୁ ହୋଇଥବା ଘୋଷଣା କରାଯାଇଛି। ଉଡ଼ାଣର କିଛି ସମୟ ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ରିପୋର୍ଟ ଅନୁଯାୟୀ, କମିଶନର ଜିଏସ ମଲିକ କହିଛନ୍ତି ଯେ ବିମାନ ଦୁର୍ଘଟଣାରୁ କେହି ବଞ୍ଚି ନାହାଁନ୍ତି ବୋଲି ମନେ ହେଉଛି। ସେ କହିଛନ୍ତି ଯେ ବିମାନଟି ଏକ ଆବାସିକ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିବାରୁ, ‘କେତେଜଣ ସ୍ଥାନୀୟ ଲୋକଙ୍କ ମଧ୍ୟ ମୃତ୍ୟୁ ହୋଇଥାଇପାରେ।’ ଏହି ଦୁର୍ଘଟଣା ପରେ, ଅହମଦାବାଦ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସୀମିତ ବିମାନ ଚଳାଚଳ ପୁନଃ ଆରମ୍ଭ କରାଯାଇଛି। ଅହମଦାବାଦ ବିମାନବନ୍ଦର ନିକଟରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ, ଭାରତୀୟ ସଶସ୍ତ୍ର ବାହିନୀର ଦଳଗୁଡ଼ିକୁ ତୁରନ୍ତ ସହାୟତା ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ପଠାଯାଇଥିଲା। ଏହା ବ୍ୟତୀତ, ପ୍ରାରମ୍ଭିକ ସହାୟତା କାର୍ଯ୍ୟ ପାଇଁ ସଶସ୍ତ୍ର ବାହିନୀ ସହିତ ଏନ୍ଡିଆର୍ଏଫ୍ ଏବଂ ଅନ୍ୟାନ୍ୟ ସଂସ୍ଥା ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସେନା ଅନୁଯାୟୀ, ସାମରିକ ବାହିନୀର ଏହି ଦଳରେ ଡାକ୍ତରୀ ଦଳ ଏବଂ ଅନ୍ୟାନ୍ୟ ଉଦ୍ଧାର କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁଙ୍କ ସହ କଥା ହୋଇଛନ୍ତି ।ଏବଂ ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ବିଷୟରେ ପଚାରି ବୁଝିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ତୁରନ୍ତ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ, ଅହମ୍ମଦାବାଦରେ ସମସ୍ତ ସମ୍ପୃକ୍ତ ସଂସ୍ଥାଗୁଡ଼ିକୁ ହାଇ ଆଲର୍ଟରେ ରଖାଯାଇଛି।
ପାଇଲଟ୍ କରିଥିଲେ ମେ ଡେ’ କଲ
ଏଆଇ-୧୭୧ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହେବାପୂର୍ବରୁ ପାଇଲଟ ସୁମିତ ସବରୱାଲ ନିକଟସ୍ଥ ଏଟିସି (ଏୟାର ଟ୍ରାଫିକ କଣ୍ଟ୍ରୋଲ)କୁ ମେଡେ କଲ କରିଥିଲେ। ଏହି କଲ ପରେ ଏଟିସିର ଅଧିକାରୀମାନେ ପାଇଲଟଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ କୌଣସି ପ୍ରକାର ସୂଚନା ମିଳି ପାରି ନଥିଲା। କିଛି ସମୟପରେ ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ଦୁଃଖଦ ଖବର ମିଳିଥିଲା। ୧୯୨୩ ମସିହାରେ ଲଣ୍ଡନର କ୍ରୋଏଡନ ବିମାନବନ୍ଦରରୁ ମେଡେ ଶବ୍ଦର ଆରମ୍ଭ ହୋଇଥିଲା। ଏହାକୁ ସେଠାକାର ଜଣେ ରେଡିଓ ଅଧିକାରୀ ଫ୍ରେଡେରିକ ମକଫୋର୍ଡ ଆରମ୍ଭ କରିଥିଲେ। ସେ ଏହାକୁ ଫରାସୀ ଶବ୍ଦ ‘ଏମ୍’ଏଆଇଡିଇଆର’ ରୁ ନେଇଥିଲେ, ଯାହାର ଅର୍ଥ ହେଉଛି- “ମୋତେ ସାହାଯ୍ୟ କରନ୍ତୁ!” ଏହାକୁ ୧୯୪୮ ମସିହାରେ ଅନ୍ତର୍ଜାତୀୟ ନିୟମରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଯାହା ଦ୍ୱାରା ପ୍ରତ୍ୟେକ ଦେଶର ପାଇଲଟ ଜରୁରୀକାଳୀନ ସ୍ଥିତିରେ ମେଡେ ଶବ୍ଦ ବ୍ୟବହାର କରିବାର ନିୟମ ଲାଗୁ ହୋଇଥିଲା।
ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ମୃତ୍ୟୁ
ଏହି ଦୁର୍ଘଟଣାରେ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ଅହମଦାବାଦରେ ମୃତ୍ୟୁ ଘଟିଛି। ଗୁରୁବାର ଏହି ବିମାନଟି ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ବିମାନବନ୍ଦରରୁ ଲଣ୍ଡନ ଯାଉଥିଲା। ରୂପାନୀଙ୍କ ଝିଅକୁ ଭେଟିବା ପାଇଁ ଲଣ୍ଡନ ଯାଉଥିଲେ। ଗୁଜୁରାଟ ବିଜେପି ମୁଖ୍ୟ ସି.ଆର. ପାଟିଲ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି। ସି.ଆର. ପାଟିଲ କହିଛନ୍ତି ଯେ ସେ ତାଙ୍କ ପରିବାରକୁ ଭେଟିବାକୁ ଯାଉଥିଲେ, ସେ ଏହି ଦୁର୍ଘଟଣାର ଶିକାର ହୋଇଥିଲେ। ଭଗବାନ ତାଙ୍କ ଆତ୍ମାକୁ ମଧ୍ୟ ଶାନ୍ତି ଦିଅନ୍ତୁ। ସେପଟେ ବିଜୟ ରୂପାଣୀଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ତାଙ୍କ ପତ୍ନୀ ଲଣ୍ଡନରୁ ଏବଂ ପୁଅ ଆମେରିକାରୁ ଅହମଦାବାଦ ଫେରୁଛନ୍ତି।
ବିମାନ ଦୁର୍ଘଟଣା : ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ବିରୋଧିଦଳ ନେତା ରାହୁଲଙ୍କ ଶୋକ
ଏହି ଦୁର୍ଘଟଣାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକଟ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଦୁର୍ଘଟଣାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଃଖପ୍ରକାଶ କରିବା ସହ ପୀଡ଼ିତମାନଙ୍କ ପ୍ରତି ସେ ସମବେଦନା ଜ୍ଞାପନ କରିଛନ୍ତି ଓ ଦେଶ ତାଙ୍କ ପଛରେ ଛିଡ଼ାହୋଇଛି ବୋଲି କହିଛନ୍ତି । ଉପରାଷ୍ଟ୍ରପତି ଏହାକୁ ଏକ ମର୍ମନ୍ତୁଦ ମାନବୀୟ ସଂକଟ ବୋଲି ବର୍ଣ୍ଣନା କରି ଶୋକସନ୍ତପ୍ତ ପରିବାରମାନଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ୍ସ ରେ ଲେଖିଛନ୍ତି ଯେ ଅହମ୍ମଦାବାଦ ଘଟଣା ଆମକୁ ଦୁଃଖିତ ଓ ସ୍ତବ୍ଧ କରିଦେଇଛି। ଏହି ହୃଦୟବିଦାରକ ଘଟଣା ପାଇଁ ଶବ୍ଦ କମ ପଡ଼ିଯାଉଛି । ପୀଡ଼ିତମାନଙ୍କ ପ୍ରତି ସେ ସମବେଦନା ଜ୍ଞାପନ କରିଛନ୍ତି ଓ କହିଛନ୍ତି ଯେ ଉଦ୍ଧାର ଓ ସହାୟତା କାମରେ ନିୟୋଜିତ ମନ୍ତ୍ରୀ ଓ ଅଧିକାରୀମାନଙ୍କ ସହ ସେ ଯୋଗାଯୋଗରେ ଅଛନ୍ତି । ସେହିପରି କଂଗ୍ରେସ ସାଂସଦ ଓ ବିରୋଧୀଦଳ ନେତା ରାହୁଲ ଗାନ୍ଧି ଏହି ଦୁର୍ଘଟଣା ପାଇଁ ଶୋକ ପ୍ରକଟ କରିଛନ୍ତି। ଜରୁରୀକାଳୀନ ଭିତ୍ତିରେ ଉଦ୍ଧାର ଓ ସହାୟତା କାର୍ଯ୍ୟ ପାଇଁ ସେ ଆହ୍ୱାନ ଜଣାଇଛନ୍ତି । ପ୍ରତି ଜୀବନ, ପ୍ରତି ସେକେଣ୍ଡ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଲେଖିଛନ୍ତି ।
ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଦୁଃଖପ୍ରକାଶ
ଅହମ୍ମଦାବାଦ ଏୟାରଇଣ୍ଡିଆ ବିମାନ ଦୁର୍ଘଟଣାକୁ ‘ବିଧ୍ୱଂସକାରୀ’ କହି ଗଭୀର ଦୁଃଖ ପ୍ରକାଶ କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ କେଇର ଷ୍ଟାର୍ମର। ବିମାନ ଦୁର୍ଘଟଣା ଖବର ପାଇ ସେ ଏକ ବିବୃତି ଜାରି କରି ଦୁଃଖ ପ୍ରକାଶ କରିଛନ୍ତି। ଏହି ବିମାନରେ ଥିବା ୨୪୨ ଯାତ୍ରୀଙ୍କ ମଧ୍ୟରୁ ୫୨ ଜଣ ବିଟ୍ରିଶ ନାଗରିକ ଥିଲେ। ଷ୍ଟାର୍ମର ଏକ୍ସ’ରେ ଏକ ପୋଷ୍ଟ କରି କହିଛନ୍ତି, ବିମାନ ଦୁର୍ଘଟଣାର ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି ତାହା ଅତି ବିଧ୍ୱଂସକାରୀ। ପରିସ୍ଥିତି ଉପରେ ସେ ନଜର ରଖିଛନ୍ତି। ବିମାନରେ ଥିବା ଯାତ୍ରୀ ଏବଂ ସେମାନଙ୍କ ପରିବାର ପ୍ରତି ତାଙ୍କର ସମବେଦନା ରହିଛି ବୋଲି କହିଛନ୍ତି। ବିମାନରେ ୧୬୯ ଭାରତୀୟ ରହିଥିବାବେଳେ ୫୨ ବ୍ରିଟିଶ ନାଗରିକ, ଜଣେ କାନାଡ଼ା ନାଗରିକ ଏବଂ ୭ ପର୍ତ୍ତୁଗିଜ ନାଗରିକ ରହିଥିଲେ।
ବର୍ତ୍ତିଲେ ବିଶ୍ୱାସ
ଏହି ବିମାନ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ଜଣେ ମାତ୍ର ଯାତ୍ରୀ। ଏତେ ବଡ଼ ବିମାନ ଦୁର୍ଘଟଣା ହୋଇଥିଲେ ହେଁ ୩୮ ବର୍ଷୀୟ ବିଶ୍ୱାସ କୁମାର ରମେଶ ସମସ୍ତଙ୍କୁ ଚକିତ କରି ଜୀବିତ ରହିଛନ୍ତି। ସେ ଦୁର୍ଘଟଣା ଗ୍ରସ୍ତ ଏୟାର ଇଣ୍ଡିଆ ବିମାନ ଏଆଇ ୧୭୧ର ୧୧ଏ ସିଟରେ ବସିଥିଲେ। ଉଡ଼ାଣ ଭରିବାର ୫ ମିନିଟ ମଧ୍ୟରେ ବିମାନଟି ମେଘାନି ନଗରରେ କ୍ରାଶ ହୋଇ ଯାଇଥିଲା। କିନ୍ତୁ ରମେଶ ବେଶ ଚତୁରତାର ସହ ଏଥିରୁ ଡେଇଁ ପଡ଼ିଥିଲେ। ଫଳରେ ସେ ବଞ୍ଚି ଯାଇଥିବା ଜଣାପଡ଼ିଛି। ଦୁର୍ଘଟଣାରେ ରେମଶ ଆହତ ହୋଇଛନ୍ତି। ରମେଶ ଜଣେ ବ୍ରିଟିଶ ନାଗରିକ ବୋଲି କୁହାଯାଉଛି। ଏବେ ଅହମଦାବାଦର ଗୋଟିଏ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ସେ ଈଶ୍ୱରଙ୍କ କୃପାରୁ ବର୍ତ୍ତି ଯାଇଥିବା କହିଛନ୍ତି। ତାଙ୍କ କହିବା କଥା ଯେ ଉଡ଼ାଣର ମାତ୍ର କିଛି ସେକେଣ୍ଡ ମଧ୍ୟରେ ଜୋରରେ ବିସ୍ଫୋରଣ ଶବ୍ଦ ହୋଇଥିଲା। କିନ୍ତୁ ଏହା କ୍ରାଶ କଲା ବେଳକୁ ସେ ବିମାନରୁ ଡେଇଁ ପଡ଼ିଥିଲେ। କିଛି ସମୟ ପରେ ସେ ଉଠିଥିଲେ। ଏହି ସମୟରେ ତାଙ୍କ ଆଖପାଖରେ ଏକାଧିକ ମୃତଦେହ ପଡ଼ିଥିଲା। ଏହାକୁ ଦେଖି ସେ ପୂରା ଡରି ଯାଇଥିଲେ। ସେହିପରି ବିମାନର ଭଗ୍ନାଂବଶେଷ ମଧ୍ୟ ସେ ଏତେତେଣେ ପଡ଼ି ଥିବା ଦେଖିଛନ୍ତି। ଏହାକୁ ଦେଖି ସେ ଜୀବନ ବିକଳରେ ଦୁର୍ଘଟଣା ସ୍ଥଳରୁ ବାହାରି ମୁଖ୍ୟ ରାସ୍ତାକୁ ଚାଲି ଚାଲି ଆସିବା ପରେ ତାଙ୍କୁ କେହି ଆମ୍ବୁଲାନ୍ସରେ ଭର୍ତ୍ତି କରି ହସ୍ପିଟାଲ ନେଇ ଆସିଥିବା ରମେଶ କହିଛନ୍ତିା
ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା କଲା ଟାଟା ଗ୍ରୁପ
ଗୁରୁବାର ଗୁଜୁରାଟରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ବିମାନରେ ୨୪୨ ଜଣ ଯାତ୍ରୀ ଥିଲେ। ଦୁର୍ଘଟଣାସ୍ଥଳକୁ ବିଏସଏଫ ଏବଂ ଏନଡିଆରଏଫ ଦଳ ପଠାଯାଇଛି। ଦୁର୍ଘଟଣାଗ୍ରସ୍ତ ବିମାନଟି ବୋଇଂର ୭୮୭ ଡ୍ରିମଲାଇନର ବୋଲି ଜଣାପଡ଼ିଛି, ଯାହା ୧୧ ବର୍ଷ ପୁରୁଣା ଥିଲା। ଏହି ବିମାନ ଦୁର୍ଘଟଣାରେ ୨୪୧ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବିମାନଟି ଅହମଦାବାଦର ସର୍ଦ୍ଦାର ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିବା ପରେ ବିମାନବନ୍ଦର ସୀମା ପାର କରିପାରି ନ ଥିଲା ଏବଂ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।ଏବେ ଟାଟା ଗ୍ରୁପ ଘୋଷଣା କରିଛି ଯେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରକୁ ୧ କୋଟି ଟଙ୍କା ଆର୍ôଥକ ସହାୟତା ଦିଆଯିବ। ଆପଣଙ୍କୁ କହି ରଖୁଛୁ ଯେ ଏୟାର ଇଣ୍ଡିଆ ଟାଟା ଗ୍ରୁପର ମାଲିକାନା। ଏହି ଦୁର୍ଘଟଣାରେ ୨୪୧ ଜଣଙ୍କର ମୃତ୍ୟୁ ହୋଇଛି।
Discover more from Lokamata Odisha
Subscribe to get the latest posts sent to your email.