
ପଟ୍ଟାମୁଣ୍ଡାଇ ୨୨/୯-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବିଲିକଣା ପଞ୍ଚାୟତର ବଢ଼େଇପଡ଼ା ଗ୍ରାମରେ ପାନୀୟ ଜଳକୁ ନେଇ ଏକ ଗମ୍ଭୀର ସମସ୍ୟା ଦେଖାଦେଇଛି । ଗ୍ରାମବାସୀଙ୍କ ଜଳ ଆବଶ୍ୟକତା ପୂରଣ କରୁଥିବା ଏକ ସରକାରୀ ନଳକୂପର ଜଳ ନିଷ୍କାସନ ପଥକୁ ଜଣେ ପ୍ରଭାବଶାଳୀ ବ୍ୟକ୍ତି ଜୋରଜବରଦସ୍ତ ମାଟି ପକାଇ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିବା ଅଭିଯୋଗ ହୋଇଛି। ଫଳରେ ଗାଁରେ ଏବେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଏହାର ପ୍ରତିବାଦରେ ଓ ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ଗ୍ରାମବାସୀ ସଂଘବଦ୍ଧ ହୋଇ ପଟ୍ଟାମୁଣ୍ଡାଇ ତହସିଲଦାରଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଏହି ଘଟଣାରେ ତହସିଲଦାର ସ୍ଥାନୀୟ ଆର.ଆଇ.ଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।
ବଢ଼େଇପଡ଼ା ଗ୍ରାମରେ ପାଖାପାଖି ୨୦୦ ରୁ ଅଧିକ ପରିବାର ଜଳ ଆବଶ୍ୟକତା ପୂରଣ କରିବା ପାଇଁ ଏକ ସରକାରୀ ନଳକୂପ ଉପରେ ନର୍ଭର କରିଆସୁଛନ୍ତି । ମାତ୍ର ଏହି ନଳକୂପର ଜଳ ନିଷ୍କାସନ ପଥକୁ ଜଣେ ପ୍ରଭାବଶାଳୀ ବ୍ୟକ୍ତି ଜୋରଜବରଦସ୍ତ ଗତ ୧୫ ଦିନ ହେବ ମାଟି ପକାଇ ସମ୍ପୂର୍ଣ୍ଣ ବନ୍ଦ କରି ଦେଇଛି। ଫଳରେ ଜଳ ନିଷ୍କାସନ ହୋଇନପାରି ନଳକୂପ ଚାରିପାଖରେ ବ୍ୟବହୃତ ଜଳ ଜମି ରହି ନାସଦୋଷ ପରିବେଶ ସୃଷ୍ଟି କରିଛି। ଦୀର୍ଘଦିନ ଧରି ଜଳ ଜମା ହୋଇ ରହିବାରୁ ତାହା ପଚି ଦୁର୍ଗନ୍ଧ ହେବା ସହ ସେଥିରେ ପୋକ ସାଲୁବାଲୁ ହେଉଛନ୍ତି। ଏହି କାରଣରୁ ନଳକୂପଟି ଦୂଷିତ ହୋଇପଡ଼ିଛି ଏବଂ ସ୍ଥାନୀୟ ଗ୍ରାମବାସୀ ଏହାର ଜଳ ବ୍ୟବହାର କରିବାକୁ ଅସମର୍ଥ ହୋଇଛନ୍ତି। ନଳକୂପ ଚାରିପାଖ ଅସ୍ୱାସ୍ଥ୍ୟକର ପରିବେଶରେ ପରିଣତ ହୋଇଥିବାରୁ ଏଠାରୁ ଜଳ ସଂଗ୍ରହ କରିବା ସ୍ୱାସ୍ଥ୍ୟ ପ୍ରତି ବିପଦପୂର୍ଣ୍ଣ ହୋଇପଡ଼ିଛି । ଫଳରେ ପାନୀୟ ଓ ରୋଷେଇ ଜଳ ପାଇଁ ସେମାନଙ୍କୁ ପ୍ରତିଦିନ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । ବାଧ୍ୟ ହୋଇ ଗାଁର ମହିଳା ଓ ପୁରୁଷମାନେ ପ୍ରାୟ ୨ କିଲୋମିଟର ଦୂରରେ ଥିବା ତେରୋହୀ ଗାଁକୁ ଯାଇ ପାନୀୟ ଜଳ ଆଣୁଛନ୍ତି । ପ୍ରତିଦିନ ଦୂରପାଟରୁ ପାଣି ବୋହି ଆଣିବାରେ ଗ୍ରାମବାସୀଙ୍କ ପ୍ରଚୁର ସମୟ ଓ ଶ୍ରମ ନଷ୍ଟ ହେଉଛି । ଏହି ବେଆଇନ୍ ଅବରୋଧ ଏବଂ ଗ୍ରାମବାସୀଙ୍କ ଜଳ ସଙ୍କଟ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଦୂଷିତ ଜଳରୁ ବିଭିନ୍ନ ଜଳବାହିତ ରୋଗ ବ୍ୟାପିବାର ଆଶଙ୍କା ସୃଷ୍ଟି ହୋଇଛି। ଏହି ସମସ୍ୟାର ସ୍ଥାୟୀ ସମାଧାନ ଏବଂ ନଳକୂପର ଜଳ ନିଷ୍କାସନ ପଥରୁ ବେଆଇନ୍ ଅବରୋଧ ତୁରନ୍ତ ହଟାଇବା ଦାବିରେ ଗ୍ରାମବାସୀଙ୍କ ପକ୍ଷରୁ ଆରଡ୍ୱୁଲଏସଏସ ଅଧିକାରୀ ନିର୍ମଳ ଜେନାଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ଫରକ ପଡୁନାହିଁ । ଜନସାଧାରଣଙ୍କ ମୌଳିକ ସୁବିଧାକୁ ଜଣେ ପ୍ରଭାବଶାଳୀ ବ୍ୟକ୍ତି ନିଜ ସ୍ୱାର୍ଥ ପାଇଁ ଅବରୋଧ କରୁଥିଲେ ହେଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଦୃଢ଼ ପଦକ୍ଷେପ ନିଆଯାଉନାହିଁ। ଯଦି ପ୍ରଶାସନ ତୁରନ୍ତ ଏହି ନଳକୂପର ଜଳ ନିଷ୍କାସନ ପଥକୁ ମୁକ୍ତ ନକରେ, ତେବେ ଆଗାମୀ ଦିନରେ ଗ୍ରାମବାସୀ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଉଦୟ ନାଥ ବିଶ୍ୱାଳ, ମିତାଲତା ବିଶ୍ୱାଳ,ସୁବାଷ ବଳ,ସୁଷମା ବିଶ୍ୱାଳ,ବନିତା ବିଶ୍ୱାଳ,ଲିପିକା ବିଶ୍ୱାଳ, ନିରୁପମା ବିଶ୍ୱାଳ,ଗୋବିନ୍ଦ ବିଶ୍ୱାଳ,ବାବାଜି ଚନ୍ଦ୍ର ଧଳ ପ୍ରମୁଖ ଚେତାବନୀ ଦେଇଛନ୍ତି।
