
କେନ୍ଦ୍ରାପଡ଼ା,୨୭ା୭ :ଜିଲ୍ଲାପାଳ ରଘୁରାମ ଆର୍ ଆୟାର ରବିବାର ମାର୍ଶାଘାଇରେ ଲୁଣା ନଦୀବନ୍ଧର ସ୍ଥିତି ଅନୁଧ୍ୟାନ କରିବା ସହ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ରବୀନ୍ଦ୍ର କୁମାର ମଲ୍ଲିକ, ମାର୍ଶାଘାଇ ତହସିଲଦାର ଶ୍ରୀକାନ୍ତ ପରିଜା, ଜଳସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଇଂ. ଉମେଶ ଚନ୍ଦ୍ର ସେଠୀଙ୍କ ସହ ଆଲୋଚନା କରିଥିଲେ। ମାର୍ଶାଘାଇ ଜଳସମ୍ପଦ କାର୍ଯ୍ୟାଳୟ ନିକଟରେ ବନ୍ୟା ସୁରକ୍ଷା ନଦୀବନ୍ଧ ଯାଞ୍ଚ କରିଥିଲେ। ଜଳସମ୍ପଦ ବିଭାଗର ଏହି ବନ୍ଧକୁ ଜିରୋ ପଏଣ୍ଟ ଠାରୁ ଜମ୍ଭୁ ପର୍ଯ୍ୟନ୍ତ ପ୍ରଶସ୍ତିକରଣ କାର୍ଯ୍ୟ ପୂର୍ତ୍ତ ବିଭାଗ ଅଧୀନରେ ହେଉଛି। ତେବେ ପୂର୍ତ୍ତ ବିଭାଗ ତତ୍ତ୍ୱାବଧାନରେ ଚାଲିଥିବା ଏହି ବନ୍ଧ ନିର୍ମାଣ କାର୍ଯ୍ୟ କରୁଥିବା ଠିକାଦାର ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ନିକଟରୁ କେନାଲ ବ୍ରିଜ ପର୍ଯ୍ୟନ୍ତ ନଦୀ ସୁରକ୍ଷା କେନାଲ ବନ୍ଧ ଖୋଳି ମୁକୁଳା କରିଦେଇଛନ୍ତି। ବର୍ତ୍ତମାନ ନଦୀରେ ବନ୍ୟା ଆସୁଥିବାରୁ ମୁକୁଳା ବନ୍ଧକୁ ନେଇ ମାର୍ଶାଘାଇ ସମେତ ଆଖପାଖ ଅଞ୍ଚଳ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଗତ କିଛି ଦିନ ପୂର୍ବରୁ ଜଳସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଇଂ. ସେଠୀ, ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ରବୀନ୍ଦ୍ର ଜେନା, ନିର୍ବାହୀ ଯନ୍ତ୍ରୀ ଦୈତାରୀ ଟୁଡୁ, କନିଷ୍ଠ ଯନ୍ତ୍ରୀ ଦେବାଶିଷ ସାମଲ ପ୍ରମୁଖ ଘଟଣା ସ୍ଥଳ ପରିଦର୍ଶନ କରିବା ସହିତ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଠିକାସଂସ୍ଥାକୁ ତାଗିଦ୍ କରିଥିଲେ। ତୁରନ୍ତ ବନ୍ଧର ସୁରକ୍ଷା ପାଇଁ ଯତ୍ନବାନ ନହେଲେ ଠିକାଦାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଟୁଡୁ ସୂଚନା ଦେଇଥିବା ବେଳେ କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ କାହିଁକି ହେଲା ସେ ନେଇ ଜିଲ୍ଲାପାଳ ଏହାର ତଦନ୍ତ କରି ଠିକା ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବୀ ହେଉଛି। ପରେ ଜିଲ୍ଲାପାଳ ଆଇତିପୁର ଏବଂ ଡିହବଳରାମପୁର ବାତ୍ୟା ଆଶ୍ରୟସ୍ଥଳ ପରିଦର୍ଶନ କରିଥିଲେ।
