ପଟ୍ଟାମୁଣ୍ଡାଇ ତାଳୁକ ଆଇନ ସେବା ସମିତିର ଆଇନ ସଚେତନତା

ପଟ୍ଟାମୁଣ୍ଡାଇ ୫/୧ -ପଟ୍ଟାମୁଣ୍ଡାଇ ତାଳୁକ ଆଇନ ସେବା ସମିତି ତରଫରୁ କୋର୍ଟ ପରିସରରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତାଳୁକ ଆଇନ ସେବାସମିତି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲା ଦୌରାଜଜ୍ ବିଦ୍ୟାଧର ପୃଷ୍ଟି ପୌରହିତ କରି ଉପସ୍ଥିତ ଛାତ୍ରୀଛାତ୍ର ମାନଙ୍କୁ କହିଥିଲେ ଯେ, ଯୁବ ସମାଜ ହେଉଛି ରାଷ୍ଟ୍ରର ମେରୁଦଣ୍ଡ। ରାଷ୍ଟ୍ରର ବିକାଶରେ ସେମାନଙ୍କ ଭୂମିକା ଅନସ୍ୱୀକାର୍ଯ୍ୟ। ରାଷ୍ଟ୍ରର ପ୍ରତ୍ୟେକ କ୍ଷେତ୍ରରେ ଯୁବଶକ୍ତିର ଆବଶ୍ୟକତା ଉପଲବ୍ଧି କରାଯାଏ। କିନ୍ତୁ ଯୁବପିଢୀ ବିପଥଗାମୀ ହେଲେ ବିକାଶରେ ବାଧକ ହୋଇଯାଏ । ଯୁବଗୋଷ୍ଠି ବିପଥଗାମୀ ହେବା ପାଇଁ ଅନେକ ରାସ୍ତା ମଧ୍ୟରୁ ନିଶା ସେବନ ଏକ ମୁଖ୍ୟ ମାରାତ୍ମକ ରାସ୍ତା। ଆଜିର ବହୁ ଯୁବଗୋଷ୍ଠୀ ନିଶାସକ୍ତ ହୋଇ ଉଚିତ ପଥ ଭୁଲି ମନ୍ଦ ଓ ଅସାମାଜିକ ପଥରେ ଗତି କରୁଛନ୍ତି। ଶିକ୍ଷିତ ଯୁବକ ନିଶାପାନ କରି ହିତାହିତ ଜ୍ଞାନ ହରାଇ ବର୍ବର ପାଲଟିଯାଉଛି। ଯୁବପିଢ଼ି କୁସଙ୍ଗରେ ନ ପଡ଼ି ସତ୍ସଙ୍ଗରେ ବ୍ରତୀ ହେବା ଆବଶ୍ୟକ। ଏଥିପାଇଁ ମାତାପିତା ତଥା ଅଭିଭାବକ ଯତ୍ନବାନ ହେବା ଜରୁରୀ। ନିଶା ସେବନରୁ ମୁକ୍ତହୋଇ ଯୁବସମାଜ ତା’ର ତେଜ, ଔଜ୍ଜ୍ୱଲ୍ୟରେ ଜାଜ୍ୱଲ୍ୟମାନ ହେଇ ତାର କାର୍ଯ୍ୟାବଳୀ ଦ୍ୱାରା ପରିବାର, ସମାଜ ଓ ରାଷ୍ଟ୍ରର ଗର୍ବଗୌରବ ସାଜିବାକୁ ସେ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସିନିଅର ସିଭିଲ ବିଚାରପତି ଅପୂର୍ବା ଚୌଧୁରୀ ଯୋଗଦେଇ, ବର୍ତମାନ ସମୟରେ ନିଶା କବଳରୁ ଯୁବ ସମାଜ ଦୁରେଇ ଯିବାପାଇଁ ପରାମର୍ଶ ଦେଇ ଥିଲେ । ପଟ୍ଟାମୁଣ୍ଡାଇ ବାର ଆଶୋସିଏସନ ଉପ ସଭାପତି ସୁରେଶ ନରେନ୍ଦ୍ର, ରାଷ୍ଟ୍ରୀୟ ଯୁବ ଦିବସ ଉପରେ ଗୁରୁତ୍ୱ ଆରୋପ କରିଥିଲେ ଯୁବସମାଜ ସ୍ୱାମୀ ବିବେକାନନ୍ଦଙ୍କ ବାଣୀ ଓ ଅଧ୍ୟାମିକତା ଉପରେ ନିଜକୁ ପରିଚାଳିତ କଲେ ସୁନ୍ଦର ସମାଜ ଗଠନ ସହିତ ଏକ ଉତମ ରଷ୍ଟ୍ରରେ ପରିଣତ ହୋଇ ପାରିବ । ସରକାରୀ ଓକିଲ ଧୀରେନ୍ଦ୍ର ନାଥ ସାହୁ ଅତିଥି ପରିଚୟ ସହିତ ସ୍ୱାଗତ ଭାଷଣ ଦେଇଥିଲେ । ରିଟେନର ଗୀତାଞ୍ଜଳି ପୃଷ୍ଟି ଧନ୍ୟବାଦ ଦେଇଥିଲେ । ଏଥିରେ ପଟ୍ଟାମୁଣ୍ଡାଇ ମହିଳାବିଦ୍ୟାଳୟ ବହୁ ଛାତ୍ରୀ ଯୋଗଦେଇ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅପର୍ଣା ସାମଲ, ମୋହନ ଦାଶ, ଅରବିନ୍ଦ ପଣ୍ଡା,ବିଭୁତି ବେହେରା, ଅମରେନ୍ଦ୍ର ରାଉତ ବବିତା ଜେନା, କବିତା ମଲିକ ପ୍ରମୁଖ ଉପସ୍ଥିତ ଥିଲେ । ଏହିକାର୍ଯ୍ୟକ୍ରମକୁ କୋର୍ଟ କର୍ମଚାରୀ ମାନେ ପରିଚାଳନା କରିଥିଲେ ।
