ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଗୋଷ୍ଠୀ ଶୌଚାଳୟ ଓ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଇକୋ-ଟଏଲେଟର ଫିଟୁନି ତାଲା!

  • ପଟ୍ଟାମୁଣ୍ଡାଇ ସହରରେ ଦିଗହରା ସ୍ୱଚ୍ଛ ଭାରତ ମିଶନ
  • ରାସ୍ତାକଡ଼ ଓ କାନ୍ଥବାଡରେ ଝାଡା ପରିସ୍ରା କରୁଛନ୍ତି ଲୋକେ!

blank
ପଟ୍ଟାମୁଣ୍ଡାଇ ୧୮/୫ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବହୁ ଚର୍ଚ୍ଚିତ ସ୍ୱଚ୍ଛ ଭାରତ ମିସନ ବସ୍ତୁତଃ ଦିଗହରା ହୋଇପଡିଛି । ପଟ୍ଟାମୁଣ୍ଡାଇ ସହରକୁ ସ୍ୱଚ୍ଛ ଓ ନିର୍ମଳ ରହିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଇକୋ ଟ ଏ ଲେଟରେ ଦୀର୍ଘ ଦିନ ହେବ ତାଲା ଝୁଲୁଛି । ଯାହା ବୁଲା କୁକୁରଙ୍କ ଆଶ୍ରୟ ସ୍ଥଳ ପାଲଟିଥିବା ବେଳେ ମଦ୍ୟପଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଯେଉଁ କେତେକ ଇକୋ ଟଏଲେଟ ଖୋଲା ଅଛି ତାହା ଅଳିଆ ଆବର୍ଜନାରେ ଭର୍ତି ହୋଇ ଦୁର୍ଗନ୍ଧମୟ ପରିବେଶ ସୃଷ୍ଠି କରୁଛି। ଏଭଳି ସ୍ଥିତିରେ ଲୋକେ ରାସ୍ତାକଡ଼ ଓ କାନ୍ଥବାଡ଼ରେ ଝାଡା ପରିଶ୍ରା କରିବା ଦେଖାଯାଉଛି I ତେବେ ଏଠାରେ ଶୌଚାଳୟ ଥାଇ ବି ନଥିଲା ଭଳି ଲାଗୁଛି। ପଟ୍ଟାମୁଣ୍ଡାଇ ସହରର ଏଭଳି ଅବସ୍ଥା ଦେଖିଲେ ଏଠାରେ ସ୍ୱଚ୍ଛ ଭାରତ ମିଶନ ସଂପୂର୍ଣ୍ଣ ଦିଗହରା ହୋଇଥିବା ସ୍ପଷ୍ଟ ଅନୁମେୟ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଓଡିଶାର ଅନ୍ୟତମ ପ୍ରସିଦ୍ଧ ବାଣିଜ୍ୟ ଓ ପ୍ରଶାସନିକ କ୍ଷେତ୍ର ଭାବେ ପଟ୍ଟାମୁଣ୍ଡାଇ ପରିଚିତ। ଏଠାକୁ ବିଭିନ୍ନ ଅଂଚଳରୁ ଦୈନିକ ହଜାର ହଜାର ଲୋକେ ବିଭିନ୍ନ କାମ ପାଇଁ ଆସୁଥିବା ବେଳେ ଶୌଚ ହେବା ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହାକୁ ଦୃଷ୍ଟିରେ ରଖି ପଟ୍ଟାମୁଣ୍ଡାଇ ପୌରପାଳିକା ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ସରକାରୀ ଅର୍ଥରେ ୨୦ଟି ୱାର୍ଡର ସବୁ ଛକରେ ନିର୍ମାଣ ହୋଇଥିଲା ଗୋଷ୍ଠୀ ଶୌଚାଳୟ। ଏହି ଶୌଚାଳୟ ନିର୍ମାଣ ପାଇଁ ୧୨ ଲକ୍ଷ ଟଙ୍କାରୁ ଆରମ୍ଭ କରି ୧୬ ଲକ୍ଷ ଯାଏ ଖର୍ଚ୍ଚ ହୋଇ ପ୍ରାୟ ୨ କୋଟି ଟଙ୍କା ବ୍ୟୟ କରାଯାଇଛି ବୋଲି ପୌର ପରିଷଦ ପକ୍ଷରୁ ସୂଚନା ମିଳିଛି । ମାତ୍ର ଦୀର୍ଘଦିନ ବିତି ଯାଇଥିଲେ ବି କୌଣସି ଶୌଚାଳୟ କାର୍ଯ୍ୟକାରୀ ହୋଇପାରିନି। ପଟ୍ଟାମୁଣ୍ଡାଇ ସହରରେ ମ୍ୟୁନିସିପାଲିଟି ଅଫିସ, ବ୍ଲକ, ତହସିଲ କାର୍ଯ୍ୟାଳୟ ସମେତ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟ, ଥାନା, ୪ଟି ନ୍ୟାୟାଳୟ, ୩୦ରୁ ଉର୍ଦ୍ଧ ସରକାରୀ କାର୍ଯ୍ୟାଳୟ, ୧୦ରୁ ଉର୍ଦ୍ଧ ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କ କାର୍ଯ୍ୟ କରୁଛି। ପଟ୍ଟାମୁଣ୍ଡାଇ ସହରକୁ ଦୈନିକ ବିଭିନ୍ନ ଅଂଚଳର ହଜାର ହଜାର ଲୋକ ବିଭିନ୍ନ କାମରେ ଆସିଥାନ୍ତି। ଏହାଛଡା ବିଭିନ୍ନ ସରକାରୀ ଅଫିସ ଥାନା ତହସିଲ ବ୍ଲକ ଅଫିସ ବ୍ୟତୀତ ମିଶନ ଶକ୍ତି କାମରେ ବହୁ ମହିଳା ମଧ୍ୟ ଆସିଥାନ୍ତି। ମାତ୍ର ଶୌଚ ହେବା ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ସାଧାରଣ ଜନତା ବୃଦ୍ଧ ବୃଦ୍ଧା ଓ ମହିଳାମାନେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାରୀ ଭାବେ ଶୌଚାଳୟ ଉଦ୍‌ଘାଟନ ହେବା ଦିନରୁ କାର୍ଯ୍ୟକ୍ଷମ ହୋଇ ନ ପାରି ତାଲା ପକା ଯାଇଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସେହିପରି ୨୦୨୧ ମସିହାରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ପକ୍ଷରୁ ଜନସାଧାରଣ ଙ୍କ ସୁବିଧା ପାଇଁ ବିଭିନ୍ନ ସ୍ଥାନରେ ୧କୋଟି ୫୧ ଲକ୍ଷ ୨୦ହଜାର ଟଙ୍କା ବ୍ୟୟରେ ଇକୋ-ଟଏଲେଟ ନିର୍ମାଣ କରାଯାଇଛି। ପ୍ରଯ୍ୟାପ୍ତ ସରକାରୀ ଅର୍ଥ ବ୍ୟୟରେ ନିର୍ମିତ ଶୌଚାଳୟ କାର୍ଯ୍ୟକ୍ଷମ ନ ହୋଇ ପଡିରହିବା ଘଟଣା ସାଧାରଣ ରେ ପ୍ରତିକ୍ରିୟା ସୃଷ୍ଟି କରିଛି । ଇକୋ ଟଏଲେଟ ଅଚଳ ହେବା ଫଳରେ ଦୂର ଦୂରାନ୍ତରୁ ଆସୁଥିବା ମହିଳାପୁରୁଷ, ଛୋଟ ପିଲା ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିପାଇଁ ସ୍ୱଚ୍ଛ ଭାରତ ଅଭିଯାନ ସଫଳ ହୋଇପାରୁନାହିଁ ଏବଂ ଲୋକମାନେ ଶୌଚାଳୟ ବଦଳରେ ମୁକ୍ତ ଆକାଶ ତଳେ ଶୌଚ ହେବା ପାଇଁ ବାଧ୍ୟ ହେଉଛନ୍ତି। ଏଥି ପ୍ରତି ରାଜ୍ୟ ସରକାର କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଓ ପଟ୍ଟାମୁଣ୍ଡାଇ ପୌର କର୍ତୃପକ୍ଷ ଦୃଷ୍ଟି ଦେଇ ତୁରନ୍ତ ଇକୋ ଟଏଲେଟ ଓ ଗୋଷ୍ଠୀ ଶୌଚାଳୟ କୁ କାର୍ଯ୍ୟକ୍ଷମ କରିବାକୁ ପଟ୍ଟାମୁଣ୍ଡାଇ ବଣିକ ସଂଘ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି। ଏ ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ ରଞ୍ଜନ ଦାଶଙ୍କୁ ପଚାରିବାରୁ କମଦିନ ଭିତରେ ସର୍ବସାଧାରଣ ଓ ଗୋଷ୍ଠୀ ଶୌଚାଳୟ କାର୍ଯ୍ୟକ୍ଷମ କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ ।

Next Post

+୨ କଳା,ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷାରେ ତୁଳସୀ ମହିଳା ମହାବିଦ୍ୟାଳୟ ଛାତ୍ରୀଙ୍କ କୃତିତ୍ୱ

Wed May 20 , 2026
କେନ୍ଦ୍ରାପଡ଼ା,୨୦ା୫:ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ + ୨ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାରେ ତୁଳସୀ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। + ୨ କଳାରେ ୨୪୧ ଜଣ ଛାତ୍ରୀ ପରୀକ୍ଷା ଦେଇଥିଲେ। ତନ୍ମଧ୍ୟରୁ ପ୍ରଥମ ଶ୍ରେଣୀରେ ୬୮, ଦ୍ୱିତୀୟ ଶ୍ରେଣୀରେ ୫୭ ଓ ତୃତୀୟ ଶ୍ରେଣୀରେ ୯୧ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। + ୨ ବିଜ୍ଞାନରେ ୬୬ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading