
ପଟ୍ଟାମୁଣ୍ଡାଇ ୩୦/୪ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅତିରିକ୍ତ ଜିଲାଜଜ୍ ବିଦ୍ୟାଧର ପୃଷ୍ଟି ଗୁରୁବାର ଏକ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ଦମ୍ପତିଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ୨୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଏକ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି । ଦଫା ୩୨୩ ଆଇପିସିରେ ୬ ମାସ ସଶ୍ରମ କାରାଦଣ୍ଡ ଓ ୫୦୦ ଟଙ୍କା ଦଣ୍ଡିତ କରିଛନ୍ତି । ଜରିମାନା ଅନାଦେୟ କ୍ଷେତ୍ରରେ ଦୋଷୀକୁ ଅଧିକ ଏକ ମାସ କାରାଦଣ୍ଡ ଓ ଦଫା ୩୪୧ ଆଇପିସିରେ ଏକ ମାସ କାରାଦଣ୍ଡ ଓ ଜରିମାନା ଆକାରରେ ମୃତ ପ୍ରମିଳା ମହାରଣାଙ୍କ ପରିବାରକୁ ୧୫ ହଜାର ଟଙ୍କା ଦେବେ ବୋଲି ଉଲ୍ଲେଖ କରିଛନ୍ତି । ୩୬ ଜଣ ସାକ୍ଷ୍ୟ ଓ ପ୍ରମାଣ ଆଧାରରେ ଅଦାଲତ ଆଳି ଥାନା ଅଧିନ ଗୌଡପାଟଣା ଗ୍ରାମର ପ୍ରମୋଦ ପଲାଇ ଓ ମିନତୀ ପଲାଇଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।
ସୂଚନାଯୋଗ୍ୟ, ଗୌଡପାଟଣା ଗ୍ରାମର ଭାବଗ୍ରାହୀ ମହାରଣା ୨୦୨୦ ମଇ ମାସ ୫ର ସକାଳେ ସକାଳ ୭ଟାରେ ତାଙ୍କ ଦୋକାନ ପାଖରେ ଥିବା ବେଳେ ଜାଗାମାପଚୁପ କେବେ ହେବା ନେଇ ସେହି ଗ୍ରାମର ପ୍ରମୋଦ ପଲାଇ ପାଚାରିଥିଲେ । ଏଥିରେ ଭାବଗ୍ରାହୀ ଲକଡାଉନପରେ ଉତର ଦେବାରୁ ତାଙ୍କୁ ଧମକଚମକ ଦେବା ସହ ଗାଲରେ ଏକ ଶକ୍ତ ଚାପୁଡା ଦେଇ ପଳାଇଥିଲେ । ଭାବଗ୍ରାହୀ ଓ ତାଙ୍କ ସାନ ଭାଇବୋହୁ ଯାଇ ଆସାମୀ ପ୍ରମୋଦ ପଲାଇର ଝିଅ ଓ ସ୍ତ୍ରୀଙ୍କୁ ଜଣାଇଲେ । ସେଥିରେ ସେମାନେ କିଛି ନ ବୁଝି ଅଭିଯୋଗକାରୀଙ୍କର ଭାଇବୋହୁର ଚୁଟିଘୋଷାଡି ମାରଧର କରିଥିଲେ । ସେହି ଦିନ ସକାଳ ୮ ଘଟିକା ସମୟରେ ଭାବଗ୍ରାହୀଙ୍କ ବଡ ଭାଇ ନବକିଶୋର ମହାରଣା ସାଇକେଲରେ ଯାଉଥିବା ସମୟରେ ତାଙ୍କୁ ପ୍ରମୋଦ ପଲାଇ ଜୋରଜବରଦସ୍ତ ତାଙ୍କ ସାଇକେଲକୁ ଟାଣି ତଳେ ପକାଇଦେଲା । ଏବଂ ତାଙ୍କ ସ୍ତ୍ରୀ ମିନା ପଲାଇ ଏକ କାଠ ଫାଳିଆ ଆଣି ଦେବାରୁ ପ୍ରମୋଦ ନବକିଶୋର ମୁଣ୍ଡକୁ ଏକ ଶକ୍ତ ପ୍ରହାର ଦେବାରୁ ତାଙ୍କ ମୁଣ୍ଡ ଫାଟିଯାଇ ପ୍ରବଳ ରକ୍ତ ସ୍ରାବ ହେଲା । ତାଙ୍କ ଚିତ୍କାର ଶୁଣି ତାଙ୍କ ସ୍ତ୍ରୀ ପ୍ରମିଳା ଆସି ତାଙ୍କୁ ଉଦ୍ଧାର କରିବା ସମୟରେ ଆସାମୀ ପ୍ରମୋଦ ତାଙ୍କ ମୁଣ୍ଡରେ ମଧ୍ୟ ସେହି କାଠଫାଳିଆରେ ପ୍ରହାର କରିଥିଲେ । ପ୍ରମିଳାଙ୍କ ମୁଣ୍ଡ ଫାଟି ପ୍ରବଳ ରକ୍ତ ସ୍ରାବ ହେବାରୁ ସେ ବେହୋସ ହେଇ ତଳେ ପଡ଼ିଗଲେ । ପରେ ତାଙ୍କୁ ଆଳି ମେଡ଼ିକାଲ ଓ କେନ୍ଦ୍ରାପଡ଼ା ଓ ତାପରେ ପ୍ରମିଳାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଶ୍ୱସ୍ତିକ ମେଡ଼ିକାଲକୁ ସ୍ଥାନାନ୍ତର କରାଗଲା । ପରେ ପ୍ରମିଳାଙ୍କ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ଘଟିନଥିଲା ଏବଂ ଅର୍ଥାଭାବ ଯୋଗୁ ୦୬/୦୫/୨୦୨୦ ରିଖରେ ପ୍ରମିଳାଙ୍କୁ ଆଣିବା ବାଟରେ ତାଙ୍କ ଦେହ ଅଧ୍ୱକ ଅସୁସ୍ଥ ହେବାରୁ ତାଙ୍କୁ ଆଳି ମେଡ଼ିକାଲ ନେଇଆସିଲେ । ଆଳି ଡାକ୍ତର ପ୍ରମିଳାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ପ୍ରମିଳାଙ୍କ ଦିଅର ଭାବଗ୍ରାହୀ ମହାରଣା ଆଳି ଥାନାରେ ଅଭିଯୋଗ କରିଥିଲେ । ପୋଲିସ ନଂ.୮୮/୨୦ରେ ମାମଲା ରୁଜୁ କରିଥିଲା । ଏସଆଇ ସୌମ୍ୟରଂଜନ ପାଣିଗ୍ରାହୀ ଓ ଇନ୍ସପେକ୍ଟର ସଲିଳ କୁମାର ପ୍ରଧାନ ଏହି ମାମଲାର ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ଅଦାଲତରେ ଦାଖଲ କରିଥିଲେ । ଏହି ମାମଲାକୁ ଡେପୁଟି ପବ୍ଲିକ ପ୍ରସିକୁସନ, କେନ୍ଦ୍ରାପଡ଼ା ବିରେନ କୁମାର ପଣ୍ଡା ପ୍ରତ୍ୟକ୍ଷ ତତ୍ୱାବଧନରେ ସରକାରଙ୍କ ତରଫରୁ କ୍ୟାଡ଼ର ଆଡିସନାଲ ପିପି ସରୋଜ କୁମାର ମଲ୍ଲିକ ଓ ଭବାନୀ ଶଙ୍କର ପଣ୍ଡା ମାମଲା ପରିଚାଳନା କରିଥିଲେ ।
