
କେନ୍ଦ୍ରାପଡ଼ା,୧୧ା୯: କେନ୍ଦ୍ରାପଡା ଜିଲା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଚୋରା ମଦ ଜବତ ହୋଇଛି। ଏହା ସହ ଘଟଣାରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ସମୁଦାୟ ୧୨୪୮ ଲିଟର ଦେଶୀ, ଦେଶୀ ରନ୍ଧା ଓ ବିଦେଶୀ ମଦ ଜବତ କରାଯାଇଛି। ସେମାନେଙ୍କୁ ଆଜି କୋଟ ଚାଲାଣ କରାଯାଇଛି ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
କେନ୍ଦ୍ରାପଡା ଜିଲାପାଳଙ୍କ ନିର୍ଦ୍ଦେଶରେ ଜିଲା ଅବକାରୀ ଅଧୀକ୍ଷକ ବିପ୍ର ମଣ୍ଡଳଙ୍କ ତତ୍ତ୍ୱାବଧାନରେ ଅବକାରୀ ନିରୀକ୍ଷକ ହିତାଂଶୁ ଶେଖର ମଳିକ, ପଦ୍ମଲୋଚନ ନାୟକ, ଅବକାରୀ ଉପ ନିରିକ୍ଷକ ଛାୟାକାନ୍ତ ମଳିକ,ସୁନିଲ ମିଶ୍ର ଓ କଳ୍ପନା ରାଉତଙ୍କ ନେତୃତ୍ୱରେ ଏକ ଟିମ୍ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା, ଜମ୍ବୁ ଓ ତନ୍ତିିଆପାଳ ସାମୁଦ୍ରିକ ଥାନା ଅଂଚଳର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା । ଏହି ଚଢାଉରେ ଅଠରବାଟିଆ ଗ୍ରାମର ଗୌତମ ମଳିକ(୩୮)ଙ୍କ ଠାରୁ ୩୨ ଲିଟର ବିଦେଶୀ ମଦ, ଅଳଭା ଗ୍ରାମର ପ୍ରମୋଦ ମଳିକ(୩୮)ଙ୍କ ଠାରୁ ୨୨ ଲିଟର ଦେଶୀ ମଦ, ମାଟିଆ ଗ୍ରାମର ସୁବାସ ମଳିକ(୫୦)ଙ୍କ ଠାରୁ ୧୯ ଲିଟର ବିଦେଶୀ ମଦ ଜବତ କରାଯିବା ସହିତ ମହାକାଳପଡା ଅଂଚଳର ପ୍ରଭାକରପୁର ଗ୍ରାମର ରଜତ ରାଉତ(୩୮)ଙ୍କ ଠାରୁ ୯୬୩ ଲିଟର ଦେଶୀ ରନ୍ଧା ମଦ ଓ ପ୍ରଭାକର ପୁର ଗ୍ରାମର ଚୈତନ୍ୟ ରାଉତ(୫୭)ଙ୍କ ଠାରୁ ୨୧୨ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଥିଲା । ଏହି ଚୋରା ମଦ କାରବାରରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବା କରାଯାଇଛି। ଆଗାମୀ ଦିନରେ ଏହି ଚଢ଼ାଉ ବ୍ୟାପକ ଭାବରେ ଜାରି ରହିବ ବୋଲି ଅବକାରୀ ଅଧିକ୍ଷକ ବିପ୍ର ଚରଣ ମଣ୍ଡଳ କହିଛନ୍ତି।
