କେନ୍ଦ୍ରାପଡ଼ା,୨୦ା୫: କେନ୍ଦ୍ରାପଡ଼ା ଲ’ କଲେଜ୍ ଅନନ୍ତ ବଳିଆ ସେବାସଂଘ କେନ୍ଦ୍ରାପଡ଼ା ଶାଖା ଓ ଶ୍ରୀଜଗନ୍ନାଥ ସଙ୍କୀର୍ତ୍ତନ ମହାସଂଘର ମିଳିତ ଉଦ୍ୟମରେ କେନ୍ଦ୍ରାପଡ଼ା ଗୋପସ୍ଥିତ ଶ୍ରୀରାମ ମନ୍ଦିରଠାରେ ଏକ ଗଣମାଧ୍ୟମ ସାକ୍ଷାତକାର ଅନନ୍ତ ବଳିଆ ଟ୍ରଷ୍ଟର ବାବାଜୀ ପ୍ରଣବାନନ୍ଦ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସାକ୍ଷାତକାରରେ ପଦ୍ମଶ୍ରୀ ବାବା ବଳିଆଙ୍କ ଆଭିମୁଖ୍ୟ ଶାନ୍ତି, ସଦ୍ଭାବନା, ସଂହତି, ସଦାଚାର, କରୁଣା, ପ୍ରେମ ଆଜି ମଣିଷ ମନରୁ ଅପସରି ଯାଉଛି । ସମ୍ପର୍କର ମୂଲ୍ୟବୋଧ ଓ ସମ୍ପର୍କର ସୁରକ୍ଷା ମୁହୂର୍ତ୍ତ ମୁହୂର୍ତ୍ତରେ ହତ୍ୟା ହୋଇ ଚାଲିଛି । ସ୍ୱାର୍ଥ ଓ ମୁଁ କାର ସମଗ୍ର ବିଶ୍ୱରେ ହିଂସାର ତାଣ୍ଡବ ରଚୁଛି । ପ୍ରକୃତି ଓ ପରିବେଶ ଆଜି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ, ପାଣିପାଗ ଓ ଜଳବାୟୁ ସମ୍ପୂର୍ଣ୍ଣ ଅନିୟମିତ । ମାଟି, ପାଣି, ପବନ, ଆକାଶ ଆଜି ବିଷାକ୍ତ । ବୃଦ୍ଧ, ବୃଦ୍ଧାମାନେ ଅବହେଳିତ, ପାରିବାରିକ ଜୀବନ ଅଭିଶପ୍ତ, ଜୀବ ସକଳ ମଣିଷ ପାଖରେ ଅସୁରକ୍ଷିତ ଓ ଆତଙ୍କିତ । ବୃକ୍ଷ, ତରୁ, ତୃଣ, ଲତା ଆଜି ଶ୍ରୀହୀନ । ଲଣ୍ଡା ପାହାଡ଼ ଓ ଭୂତଳ ଜଳ ନିଷ୍କାସନ ପାଇଁ ଧରିତ୍ରୀ ଶୁଷ୍କ । ସଂସ୍କାର ବିହୀନ ସନ୍ତାନ ପରିବାରର ଚିନ୍ତାର କାରଣ । ନିଶା ମାଦକର ଅଭ୍ୟାସରେ ଅକାଳ ମୃତ୍ୟୁ ଓ ପାରିବାରିକ ଅଶାନ୍ତି । ଇତ୍ୟାଦିକୁ ଜଣାଇଥିଲେ ଏଥିରେ ଶ୍ରୀଜଗନ୍ନାଥ ସଙ୍କୀର୍ତ୍ତନ ମହାମଣ୍ଡଳର ସଭାପତି ନବଘନ ନାୟକ ଓ ସମ୍ପାଦକ ଅଭୟ କୁମାର ସତପଥୀ ସଙ୍କୀର୍ତ୍ତନ ମହାସମାବେଶ କିପରି ଭାବେ ମହାଆଡ଼ମ୍ବରରେ ପୂର୍ଣ୍ଣ ହେବ ତାହାର ସବିଶେଷ ବିବରଣୀ ପ୍ରଦାନ କରିଥିଲେ ଏବଂ ବିଷେଶ କାର୍ଯ୍ୟକ୍ରମ ଭାବରେ ତୁଳସୀ କ୍ଷେତ୍ରାଧିପତି ପ୍ରଭୁ ଶ୍ରୀ ସିଦ୍ଧ ବଳଦେବ, ପ୍ରଭୁ ଶ୍ରୀରାମ (ଗୋପ ଓ ତିନିମୁହାଣି) ମନ୍ଦିରରୁ ଆଜ୍ଞାମାଳ ଓ ବାୟାବାବା ଏବଂ ବୈକୁଣ୍ଠନାଥଙ୍କ ଆଶ୍ରମରୁ ଆଜ୍ଞାମାଳ ଆସିବେ ତାହାର ସବିଶେଷ ବିବରଣୀ ଏବଂ ଆସନ୍ତା ମଇ ୨୨, ୨୩, ୨୪ ତାରିଖରେ ହେବାକୁଥିବା ସଙ୍କୀର୍ତ୍ତନ ସମାବେଶ ଓ ଭାଗବତ ଆଲୋଚନା କାର୍ଯ୍ୟକ୍ରମର ସବିଶେଷ ବିବରଣୀ ବାବାଜୀ ପରାତ୍ମା ଦାସ ଓ ବାବାଜୀ ଗୁରୁକୃଷ୍ଣ ଦାସ ପ୍ରଦାନ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀକୁ ପ୍ରଜ୍ଞାନନ୍ଦ ଦାସ ଓ ନିରାକାର ସ୍ୱାଇଁ ପରିଚାଳନା କରିଥିଲେ ।
Discover more from Lokamata Odisha
Subscribe to get the latest posts sent to your email.