
କେନ୍ଦ୍ରାପଡା,୨୭ା୩: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ଗ୍ରାମର ମଧ୍ୟସ୍ଥଳୀ ୭ନଂ ୱାର୍ଡରେ ପ୍ରସ୍ତାବିତ ନୂତନ ଶ୍ମଶାନଗୃହ ନିର୍ମାଣକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଆଜି ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳା କେନ୍ଦ୍ରାପଡା ତହାସିଲଦାର ତାପସ ରଞ୍ଜନ ଦେହୁରୀଙ୍କୁ ଭେଟିଛନ୍ତି । ଏଥି ସହିତ ଜିଲ୍ଲାପରିଷଦ ଅଧ୍ୟକ୍ଷ ଲିଲିତା ଦାସଙ୍କୁ ଭେଟିଥିଲେ । ଅଧ୍ୟକ୍ଷ ଶ୍ରୀମତୀ ଦାସ ସଙ୍ଗେ ସଙ୍ଗେ ତହସିଲଦାରଙ୍କୁ ମଧ୍ୟ ଭେଟି ସମସ୍ୟା ଉପରେ ଆଲୋଚନା କରିଥିଲେ । ତହସିଲଦାର ଶ୍ରୀ ଦେହୁରୀ ଏହାର ତଦନ୍ତ କରି ରିପୋର୍ଟ ଦେବାକୁ ଗରାପୁର ରାଜସ୍ୱ ନିରିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ଥାନୀୟ ମହିଳାମାନଙ୍କ ଅଭିଯୋଗ କରିଛନ୍ତି ଯେ ସେହି ଅଞ୍ଚଳରେ ଜନବସତି ଥିବା ସହିତ ଏକ ମନ୍ଦିର ଓ ଗାଧୁଆ ତୁଠ ରହିବା ସହିତ ପିଲାମାନେ ଖେଳାଖେଳି କରନ୍ତି । ତେଣୁ ସେଠାରେ ଶ୍ମଶାନ ଗୃହ ନିର୍ମାଣ କରାଗଲେ ସେହି ଅଞ୍ଚଳର ଲୋକମାନେ ସେହି ରାସ୍ତାରେ ଯିବାଆସିବା କରିବାକୁ ଭୟଭୀତ ହେବା ସହିତ ପରିବେଶ ଦୂଷିତ ହେବ । ଗୁଲନଗର ଗ୍ରାମବାସୀମାନେ ଆବାହମାନ କାଳରୁ କଜଳା ଶ୍ମଶାନରେ ଶବଦାହ କରୁଛନ୍ତି । ତାହାଦ୍ୱାରା ଗୁଲନଗରବାସୀଙ୍କ ପାଇଁ କୌଣସି ଅସୁବିଧା ହେଉନାହିଁ । ନୂତନ ଶ୍ମଶାନ ଗୃହ ନିର୍ମାଣକୁ ବିରୋଧ କରି ଗ୍ରାମବାସୀମାନେ ପ୍ରସ୍ତାବିତ ଅଞ୍ଚଳରେ ଶ୍ମଶାନ ନକରି ଅନ୍ୟ ସ୍ଥାନକୁ ଏହାକୁ ସ୍ଥାନାନ୍ତର କରିବାକୁ ଦାବି କରିଥିଲେ । ଯଦି ଗ୍ରାମବାସୀଙ୍କ ଦାବିକୁ ଗୁରୁତ୍ୱ ଦିଆନଗଲେ ଗ୍ରାମବାସୀମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ତହସିଲଦାରଙ୍କୁ ଚେତାବନୀ ଦେଇଛନ୍ତି । ସୂଚନା ଯୋଗ୍ୟ ଯେ ଗତ ମାର୍ଚ୍ଚମାସ ୨୧ତାରିଖରେ ଶତାଧିକ ଗ୍ରାମବାସୀ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଏଥି ସହିତ କେନ୍ଦ୍ରାପଡା ସଦର ଥାନାରେ ଗୁଲନଗର ସରପଞ୍ଚଙ୍କ ସ୍ୱାମୀ କରୁଣାକର ସାହୁ ଏହି ଘଟଣାକୁ ନେଇ ନାନାପ୍ରକାର ଧମକଚମକ ଦେଉଛନ୍ତି ବୋଲି ଅଭିଯୋଗ କରିଥିଲେ । ରଶ୍ମିତା ରଣା, ସୁଭଦ୍ରା କୁବେର, ରଶ୍ମିରେଖା ସାହୁ, ସୁରଥ ବେଜ୍, ସଂଯୁକ୍ତା ରଣା, ସୁବାସ ବାରିକ, ଅଲେଖ ସେଠୀ, ଗିରିଧାରୀ ବେହେରା, ପର୍ଶୁରାମ ବେହେରା, ଗୌରାଙ୍ଗ ବେହେରା, କୃଷ୍ଣଚନ୍ଦ୍ର ବେହେରା, ଅଭିରାମ ରଣା, ମୌନାବତୀ ସାହୁ, ଗାୟତ୍ରୀ ସାହୁ, ରଞ୍ଜୁଲତା ସାହୁ, ଭାବନା ସାହୁ, ଗୋବିନ୍ଦ ସାହୁ, ଗିରିଧାରୀ ବେହେରା, ପ୍ରବିର ବେହେରା ପ୍ରମୁଖ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ ।
