ପୋଲିସର ଉଦାସୀନତା ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡ଼ା,୨୫ା୬: ଏକ ଦୃଷ୍ଟିହୀନ ଦମ୍ପତ୍ତିଙ୍କ ନାମରେ ଋଣ କରି ସଂପୂର୍ଣ୍ଣ ଋଣ ଅର୍ଥକୁ ହଡପ କରିନେଇଛନ୍ତି ମହାକାଳପଡା ବିଧାୟକଙ୍କ ପାଖଲୋକ ତଥା ବିଜେପିର ମଣ୍ଡଳ ସଭାପତି ରଶ୍ମୀରଞ୍ଜନ ସ୍ୱାଇଁ। ଏନେଇ ସଂପୃକ୍ତ ଦମ୍ପତ୍ତି ଆଜି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ଥାନା ଅଧିନ ପଳାସପୁର ଗ୍ରାମର ସୋନୁ ମଳିକଙ୍କ ପତ୍ନୀ ରିଙ୍କି ମଳିକଙ୍କ ନାମରେ ଭାରତ ଫାଇନାନ୍ସ କମ୍ପାନୀରୁ ଏକ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ୩ଟି ଋଣ କରାଯାଇଛି। କିନ୍ତୁ ଏହି ଋଣ ସମ୍ପର୍କରେ ରିଙ୍କି କିମ୍ବା ତାଙ୍କ ସ୍ୱାମୀ ସୋନୁ କିଛି ଜାଣି ନାହାନ୍ତି। ତାଙ୍କ ଗ୍ରାମର ବିଜେପି ମଣ୍ଡଳ ସଭାପତି ରଶ୍ମୀରଞ୍ଜନ ସ୍ୱାଇଁଙ୍କ ପତ୍ନୀ ତଥା ସେହି ଗ୍ରାମର ଭାରତ ଫାଇନାନ୍ସ କମ୍ପାନୀର ଋଣ ପରିଚାଳକ ମାନସୀ ସ୍ୱାଇଁଙ୍କ ସହିତ ମିଶି ରଶ୍ମୀରଞ୍ଜନ ଏହି ଭୀନ୍ନକ୍ଷମ ଦମ୍ପତ୍ତିଙ୍କ ନାମରେ ଋଣ କରାଇ ଲୁଟ କରିନେଇଛନ୍ତି। ପଳାସପୁର ଗ୍ରାମରେ ରଶ୍ମୀରଞ୍ଜନଙ୍କର ଏକ ଜନସେବା କେନ୍ଦ୍ର ରହିଛି। ରିଙ୍କି ମଳିକ ପ୍ରତ୍ୟେକ ମାସରେ ଭତ୍ତା ଉଠାଇବାକୁ ରଶ୍ମୀରଞ୍ଜନଙ୍କ ଜନସେବା କେନ୍ଦ୍ରକୁ ଯାଇଥାନ୍ତି। ସେଠାରେ ରିଙ୍କିଙ୍କ ଟିପଚିହ୍ନ, ଆଧାର ଫଟୋ ପ୍ରଭୃତି ରଶ୍ମୀରଞ୍ଜନଙ୍କ ଜନସେବା କେନ୍ଦ୍ରରେ ରହିଛି। ଏହାର ସୁଯୋଗ ନେଇ ରଶ୍ମୀରଞ୍ଜନ ଓ ତାଙ୍କ ପତ୍ନୀ ମାନସୀ ରିଙ୍କିଙ୍କ ନାମରେ ତିନୋଟି ଋଣ କରି ସେହି ଅର୍ଥକୁ ସଂପୂର୍ଣ୍ଣ ଭାବେ ହଡପ କରିନେଇଛନ୍ତି। ଭାରତ ଫାଇନାନ୍ସ କମ୍ପାନୀର ଶାଖା ପରିଚାଳକ ସୋନୁଙ୍କ ଘରକୁ ଆସି ଶୀଘ୍ର ଋଣ ଶୁଝିବାକୁ କହିବା ପରେ ଭିନ୍ନକ୍ଷମ ଦମ୍ପତ୍ତି ଋଣ ସମ୍ପର୍କରେ ଜାଣିଥିଲେ। ଏସମ୍ପର୍କରେ ରିଙ୍କି ମାର୍ଶାଘାଇ ଥାନାରେ୨୦୨୫ମସିହା ଡିସେମ୍ବରମାସ ୯ତାରିଖରେ ଲିଖିତ ଅଭିଯୋଗ କରିବା ପରେ ଥାନା କେଶ ନମ୍ବର -୩୮୧/୨୦୨୫ରେ ବିଏନଏସର ଧାରା ୩୧୮(୪), ୨୯୬, ୩୫୧(୨) ଓ ୩(୫)ରେ ଏକ ମାମଲା ପୋଲିସ ରୁଜୁ କରିଥିଲା। ଏହି କେଶର ତଦନ୍ତ ଭାର ସବଇନ୍ସପେକ୍ଟର ଧରିତ୍ରୀ ଜେନାଙ୍କୁ ଦିଆଯାଇଥିଲା। ଏହା ମଧ୍ୟରେ ୬ମାସ ପୁରଣ ହୋଇଥିଲେବି ଭିନ୍ନକ୍ଷମ ରିଙ୍କି ପୋଲିସ ପାଖରୁ କୈାଣସି ନ୍ୟାୟ ନପାଇବାରୁ ଆଜି ଜିଲ୍ଲାପାଳଙ୍କ ନିକଟରେ ପୋଲିସର ଉଦାସୀନତା ବିରୋଧରେ ଅଭିଯୋଗ କରିଛନ୍ତି। ଏଥିସହିତ ସେମାନେ ଅଭିଯୋଗ କରିଛନ୍ତି ଯେ ରଶ୍ମୀରଞ୍ଜନ ମହାକାଳପଡା ବିଧାୟକଙ୍କ ପାଖ ଲୋକ ହୋଇଥିବାରୁ ପୋଲିସ କିଛି ପଦକ୍ଷେପ ଗ୍ରହଣ କରୁନାହିଁ। ଏଥିସହିତ ରଶ୍ମୀରଞ୍ଜନ ସେମାନଙ୍କୁ ଧମକ ଦେଉଥିବାରୁ ସେମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଛି। ତେଣୁ ଏହି ଘଟଣାର ଏକ ନିରପେକ୍ଷ ତଦନ୍ତ କରାଯାଇ ତୁରନ୍ତ ଭିନ୍ନକ୍ଷମ ଦମ୍ପତ୍ତିଙ୍କୁ ନ୍ୟାୟ ପ୍ରଦାନ କରାଯିବାକୁ ସେମାନେ ଜିଲ୍ଲାପାଳଙ୍କ ନିକଟରେ ନିବେଦନ କରିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ମାର୍ଶାଘାଇ ଥାନାଧିକାରୀ ଭାବରେ ତପନ କୁମାର ନାୟକ ଅବସ୍ଥାପିତ ଅଛନ୍ତି। ଶ୍ରୀ ନାୟକ ଏହି ଜିଲ୍ଲାର ବିଭିନ୍ନ ଥାନାରେ ପ୍ରାୟ ୧୦ବର୍ଷରୁ ଉର୍ଦ୍ଧ୍ୱ ରହିବା ପରେ ଅନ୍ୟ ଜିଲ୍ଲାକୁ ବଦଳି ହୋଇ ଯାଇଥିଲେ। କିନ୍ତୁ ଶ୍ରୀ ନାୟକ ପୁନର୍ବାର ଏହି ଜିଲ୍ଲାକୁ ବଦଳି ହୋଇ ଆସି ମାର୍ଶାଘାଇ ଭଳି ଏକ ସ୍ପର୍ଶକାତର ତଥା ସମ୍ବେଦନଶୀଳ ଥାନାରେ ଅବସ୍ଥାପିତ ହୋଇଛନ୍ତି।
