
ବଲାଙ୍ଗୀର ୨୬/୫ (ଗୁପ୍ତେଶ୍ୱର ପୃଷ୍ଟି) ବଲାଙ୍ଗୀର ଜିଲାରେ ପ୍ରଚଣ୍ଡ ଖରା ଓ ତାତି ମଧ୍ୟରେ ପାନୀୟ ଜଳ ସମସ୍ୟା ସଂପ୍ରତି ଗାଁ ଲୋକଙ୍କ ପାଇଁ ମୁଖ୍ୟ ଚିନ୍ତାର କାରଣ ହୋଇଛି । ବେଲପଡ଼ା ବ୍ଲକ ଯୁବା ପଂଚାୟତର ଥିବା ଗାଁମାନଙ୍କରେ ବସବାସ କରୁଥିବା ଲୋକେ ପାନୀୟ ଜଳ ପାଇଁ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ଓଭର ହେଡ୍ ଟାଙ୍କି ନିର୍ମାଣ ହେଇ ପାଇପ ଲାଇନ୍ ବିଛା ହୋଇଛି ହେଲେ ଫଳ ଶୂନ । ବାସ୍ତବ କ୍ଷେତ୍ରରେ ଲୋକଙ୍କ ସୁବିଧା କେତେ ସାଧିତ ହୋଇଛି,ତାହା ସ୍ଥାନୀୟ ଲୋକମାନଙ୍କ ପ୍ରତିବାଦରୁ ସ୍ପଷ୍ଟ ବାରି ହୋଇପଡୁଛି । ଏଥିନେଇ ପଂଚାୟତର ଶତାଧିକ ମହିଳା ପୁରୁଷ ୨୦ କିଲୋମିଟର ପାଦରେ ଚାଲି ବିଡିଓଙ୍କ ପାଖରେ ଅଭିନବ ପ୍ରତିବାଦ କରିଛନ୍ତି।
ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଯୁବା ପଞ୍ଚାୟତର ଏକାଧିକ ଗାଁରେ ଦେଖାଦେଇଥିବା ବେଳେ ନାଗଫେଣା ଗ୍ରାମରେ ଜଳ ସଙ୍କଟ ଜଟିଳ ହୋଇପଡିଛି। ଗାଁରେ ଏକମାତ୍ର ସୂର୍ଯ୍ୟ ଚାଳିତ ପମ୍ପ ଥିବାବେଳେ ତାହା ମଧ୍ୟ ଅଚଳ ହୋଇଯାଇଛି । ଗାଁରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଦ୍ୱାରା ଓଭର ହେଡ ଟ୍ୟାଙ୍କ ନିର୍ମାଣ କରାଯାଉଥିବା ବେଳେ ଦୀର୍ଘ ବର୍ଷ ହେବ କାମ ଆରମ୍ଭ କରି ଠିକାଦାର କାମକୁ ବିଳମ୍ବ କରୁଥିବାରୁ ଗ୍ରାମରେ ଦେଖା ଦେଇଛି ଜଳ ସଙ୍କଟ । ଗ୍ରାମର ମହିଳାମାନେ ଦୁଇ କିଲୋମିଟର ବାଟ ପାଣି ପାଇଁ ଯାଇ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଏନେଇ ସ୍ଥାନୀୟ ଜନପ୍ରତିନିଧି ଓ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କିଛି ଫଳ ମିଳୁନାହିଁ। ଯାହାକୁ ନେଇ ମଙ୍ଗଳବାର ଗ୍ରାମର ମହିଳା ଓ ଅଞ୍ଚଳର ସାମାଜିକକର୍ମୀମାନେ ୨୦ କିମି ଡହ ଡହ ଖରାରେ ପାଦ ତଳେ ଇଟା ଭାଟି ଭଳି ତାତି ଯାଉଥିବା ବେଳେ ଚାଲି ଚାଲି ବେଲପଡା ବିଡିଓ ଅଫିସକୁ ଯାଇ ଅଭିନବ ଭାବେ ମାଠିଆ ଗରା ଧରି ପ୍ରତିବାଦ କରି ନିଜର ସମସ୍ୟା ଜଣାଇଛନ୍ତି ।
