ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାର ଉଦ୍‌ଯାପନୀ ପର୍ବ ଭସାଣି , ରାତି ୧୦ ସୁଧା ୧୦ମୂର୍ତ୍ତି ବିସର୍ଜିତ, ଶୋଭାଯାତ୍ରାରେ ୩୦ରୁ ଉର୍ଦ୍ଧ୍ୱ ମେଢ


କେନ୍ଦ୍ରାପଡ଼ା,୨ା୧୧:କେନ୍ଦ୍ରାପଡ଼ା ସହରର ଐତିହାସିକ ତଥା ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାର ଉଦ୍‌ଯାପନୀ ପର୍ବ ଭସାଣି ଉତ୍ସବ ବେଶ୍ ଧୂମଧାମରେ ଆଗେଇ ଚାଲିଛି। ଧନଦାତ୍ରୀ ମା’ ଲକ୍ଷ୍ମୀଙ୍କ ବିଦାୟ ବେଳାରେ ସମଗ୍ର ସହର ଉତ୍ସବମୁଖର ହୋଇଉଠିଛି। ଆଜି ରାତି ୧୦ଟା ସୁଦ୍ଧା ସହରର ବିଭିନ୍ନ ପୂଜା କମିଟି ପକ୍ଷରୁ ୧୦ଟି ମୂର୍ତ୍ତିଙ୍କୁ ନିର୍ଦ୍ଧାରିତ ବିସର୍ଜନ ଘାଟରେ ସମ୍ପୂର୍ଣ୍ଣ ରୀତିନୀତି ଅନୁଯାୟୀ ବିସର୍ଜିତ କରାଯାଇଛି। ସେହିପରି ଅନ୍ୟ ୩୦ରୁ ଅଧିକ ଆକର୍ଷଣୀୟ ମେଢ଼ ବିରାଟ ପଟୁଆରରେ ମୁଖ୍ୟ ରାସ୍ତାରେ ଶୋଭାଯାତ୍ରା ଜାରି ରଖିଥିବା ବେଳେ ଅପ୍ରତ୍ୟାଶିତ ଭାବେ ୧୦ଟି ମେଢ଼ ଚଳିତ ବର୍ଷର ମୁଖ୍ୟ ଶୋଭାଯାତ୍ରାରୁ ଦୂରେଇ ରହିଛନ୍ତି। ଆଜି ଅପରାହ୍ନରୁ ହିଁ ବିଭିନ୍ନ ପୂଜା ମଣ୍ଡପରୁ ମା’ଙ୍କ ମୃଣ୍ମୟୀ ପ୍ରତିମାକୁ ସୁସଜ୍ଜିତ ବିମାନ ଓ ଟ୍ରଲିରେ ଆଣି ମୁଖ୍ୟ ରାସ୍ତାରେ ଧାଡ଼ି ବନ୍ଧା ଯାଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ୧୦ଟି ମେଢ଼ ନିଜର ନିର୍ଦ୍ଧାରିତ ପ୍ରକ୍ରିୟା ଶେଷ କରି ନଦୀ ଘାଟରେ ମା’ଙ୍କ ମୂର୍ତ୍ତି ବିସର୍ଜନ କରିସାରିଛନ୍ତି। ଅନ୍ୟପଟେ ୩୦ରୁ ଊର୍ଦ୍ଧ୍ୱ ମେଢ଼ ଏବେ ବି ସହରର ମୁଖ୍ୟ ରାସ୍ତାରେ ଧୀରେ ଧୀରେ ଆଗକୁ ବଢ଼ୁଛନ୍ତି। ଚିତ୍ତାକର୍ଷକ ଆଲୋକମାଳା, ରଙ୍ଗାରଙ୍ଗ ତୋରଣ, ପାରମ୍ପରିକ ଘଣ୍ଟ, ଶଙ୍ଖ, ମୃଦଙ୍ଗ ସାଙ୍ଗକୁ ଢୋଲ ଓ ଡିଜେର ତାଳେ ତାଳେ ଭକ୍ତମାନେ ନୃତ୍ୟ କରୁଥିବା ଦେଖିବାକୁ ମିଳୁଛି। ବିଶେଷକରି ସହରର ପୁରୁଣା ବସଷ୍ଟାଣ୍ଡ, ବଳଗଣ୍ଡି, ଫର୍ଜନ ଛକ, ଶାନ୍ତସହି, କେଶପୁର, ସାନମଙ୍ଗଳା ଏବଂ ତିନିମୁହାଣୀ ରାସ୍ତାରେ ଅସମ୍ଭବ ଜନସମାଗମ ପରିଲକ୍ଷିତ ହୋଇଛି। ହଜାର ହଜାର ଶ୍ରଦ୍ଧାଳୁ ମା’ଙ୍କ ଶେଷ ଦର୍ଶନ ପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ଉପସ୍ଥିତ ରହି ଉତ୍ସାହର ସହ ବିଦାୟ ସମ୍ବର୍ଦ୍ଧନା ଜଣାଉଛନ୍ତି। ଚଳିତ ବର୍ଷ ଭସାଣି ଉତ୍ସବର ଏକ ପ୍ରମୁଖ ଘଟଣାକ୍ରମ ହେଉଛି ୧୦ଟି ମେଢ଼ ସାମୂହିକ ଶୋଭାଯାତ୍ରାରେ ଅଂଶଗ୍ରହଣ ନକରିବା। ସ୍ଥାନୀୟ ପ୍ରଶାସନ ଓ ପୂଜା କମିଟି ମଧ୍ୟରେ କୌଣସି ଆଭ୍ୟନ୍ତରୀଣ ସମସ୍ୟା, ସମୟ ନିର୍ଘଣ୍ଟକୁ ନେଇ ଅସନ୍ତୋଷ କିମ୍ବା ନିଜସ୍ୱ କାରଣ ଯୋଗୁଁ ଏହି ମଣ୍ଡପଗୁଡ଼ିକ ଶୋଭାଯାତ୍ରାରୁ ନିବୃତ୍ତ ରହିଥିବା ଚର୍ଚ୍ଚା ହେଉଛି। କିଛି ମେଢ଼ ସିଧାସଳଖ ସ୍ଥାନୀୟ ସ୍ତରରେ ବିସର୍ଜନ ପାଇଁ ନିଷ୍ପତ୍ତିି ନେଇଥିବା ବେଳେ ଏତେ ସଂଖ୍ୟକ ମେଢ଼ ମୁଖ୍ୟ ଶୋଭାଯାତ୍ରାରେ ସାମିଲ ନହେବା ସହରବାସୀ ଓ ଶ୍ରଦ୍ଧାଳୁଙ୍କୁ କିଛି ମାତ୍ରାରେ ନିରାଶ କରିଛି। ତଥାପି ଏହି ୧୦ ମେଢ଼କୁ ବାଦ୍ ଦେଲେ ବାକି ସମସ୍ତ ପୂଜା କମିଟିର ସହଯୋଗରେ ଉତ୍ସବ ବେଶ୍ ଚଳଚଞ୍ଚଳ ରହିଛି। ଭସାଣି ଶୋଭାଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ସହରର ବିଭିନ୍ନ ସମ୍ବେଦନଶୀଳ ଛକ ଏବଂ ବିସର୍ଜନ ଘାଟରେ ବ୍ୟାପକ ପୋଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଛି। କେନ୍ଦ୍ରାପଡ଼ା ଏସପି ସିଦ୍ଧାର୍ଥ କଟ୍ଟାରିଆଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଥିବା ବେଳେ ଅଶାନ୍ତି କିମ୍ବା ବିଶୃଙ୍ଖଳା ରୋକିବା ପାଇଁ ଡ୍ରୋନ୍ କ୍ୟାମେରା ଏବଂ ସିସିଟିଭି ଜରିଆରେ ପୂରା ଶୋଭାଯାତ୍ରା ଉପରେ କଡ଼ା ନଜର ରଖାଯାଇଛି । ସହର ଭିତରକୁ ଭାରୀ ଯାନ ପ୍ରବେଶ ଉପରେ କଟକଣା ଜାରି କରାଯାଇ ଟ୍ରାଫିକ ବ୍ୟବସ୍ଥାକୁ ସୁଚାରୁ ରୂପେ ପରିଚାଳନା କରାଯାଉଛି। ନଦୀ ଘାଟଗୁଡ଼ିକରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍ ସଜାଗ ରହିଛନ୍ତି। ସମସ୍ତ ଶୋଭାଯାତ୍ରା ସରିବା ଏବଂ ଅବଶିଷ୍ଟ ୩୦ରୁ ଊର୍ଦ୍ଧ୍ୱ ମୂର୍ତ୍ତି ବିସର୍ଜନ ହେବା ପାଇଁ ବିଳମ୍ବିତ ରାତି କିମ୍ବା ଭୋର ପର୍ଯ୍ୟନ୍ତ ସମୟ ଲାଗିବ ବୋଲି ଅନୁମାନ କରାଯାଉଛି। ପ୍ରଶାସନର କଡ଼ା ପହରା ଏବଂ ଶ୍ରଦ୍ଧାଳୁଙ୍କ ଭକ୍ତିମୟ ପରିବେଶ ଭିତରେ କେନ୍ଦ୍ରାପଡ଼ାରେ ଏହି ମହାଆଡ଼ମ୍ବରପୂର୍ଣ୍ଣ ଭସାଣି ଉତ୍ସବ ଶାନ୍ତିପୂର୍ଣ୍ଣ ଭାବେ ଆଗେଇ ଚାଲିଛି।କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କ ଉପସ୍ଥିତି ଯୋଗୁଁ ଜିଲ୍ଲାର ବାସ୍ତବ ସ୍ଥିତି, ସମସ୍ୟା ଓ ସଫଳତା ସମ୍ପର୍କରେ ସିଧାସଳଖ ତଥ୍ୟ ଆଲୋଚନା ହୋଇପାରିବ ବୋଲି ଆଶା କରାଯାଉଛି। ତେଣୁ ସମସ୍ତ ନିର୍ଦ୍ଦେଶିତ ଅଧିକାରୀଙ୍କୁ ସମ୍ପୂର୍ଣ୍ଣ ରିପୋର୍ଟ ଓ ତଥ୍ୟ ସହ ଠିକ୍ ସମୟରେ ଭିସିରେ ଯୋଡ଼ି ହେବା ପାଇଁ ସତର୍କ କରାଯାଇଛି।

 

Leave a Reply

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata

Subscribe now to keep reading and get access to the full archive.

Continue reading