
ଭୁବନେଶ୍ୱର, ୧/୧୧: ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇ ପରିସ୍ଥିତି ଜଟିଳ ହୋଇଛି। ବନ୍ୟା ବିପନ୍ନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି । ପ୍ରଭାବିତ ପ୍ରତ୍ୟେକ ପରିବାରକୁ ୫୦ କେଜି ଚାଉଳ ସହ ୨୫୦୦ ଟଙ୍କା ଆର୍ଥିକ ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ବାତ୍ୟା ଅର୍ଣ୍ଣବ ଓ ତା’ର ପରବର୍ତୀ ପରିସ୍ଥିତିରେ ରିଲିଫ, ପୁନନିର୍ମାଣ ଓ କ୍ଷୟକ୍ଷତି ଆକଳନ ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ, ସ୍ୱତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ ପ୍ରମୁଖ ଉପସ୍ଥିତ ଥିଲେ। ଅର୍ଣ୍ଣବର ପ୍ରଭାବ ସମ୍ପୂର୍ଣ୍ଣ ରୂପେ ଯାଇ ନଥିବା ବେଳେ ଆଉ ଏକ ବାତ୍ୟା ‘ମୁରାସୁ” ଆସିବାର ସମ୍ଭାବନା ରହିଛି। ତେଣୁ, ଯେଉଁ ଅଂଚଳରେ ଯେଉଁ ସରକାରୀ ଟିମ୍ ସହାୟତା ଓ ତଦାରଖ ଦାୟିତ୍ୱରେ ଅଛନ୍ତି, ସେମାନେ ସେହି ଅଂଚଳରେ ରହିବେ ଏବଂ ପରିସ୍ଥିତି ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିସହ ବନ୍ୟା ପ୍ରଭାବିତ ଅଂଚଳପାଇଁ ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି। ୩୩% ଏବଂ ତା’ଠାରୁ ଅଧିକ ଫସଲ ହାନି ସହିଥିବା ସମସ୍ତ ଚାଷୀଙ୍କୁ ସର୍ବାଧିକ ୨ ହେକ୍ଟର ପର୍ଯ୍ୟନ୍ତ ଇନ୍ପୁଟ୍ ସବସିଡି ପ୍ରଦାନ କରାଯିବ। ଅଣ-ଜଳସେଚିତ ଅଂଚଳରେ ହେକ୍ଟର ପିଛା ୮, ୫୦୦ ଟଙ୍କା, ଜଳସେଚିତ ଅଂଚଳରେ ୧୭, ୦୦୦ ଟଙ୍କା ଏବଂ ବାରମାସୀ ଫସଲ ପାଇଁ ହେକ୍ଟର ପିଛା ୨୨, ୫୦୦ ଟଙ୍କ ସହାୟତା ଦିଆଯିବ। ବାରମାସୀ ଫସଲ ପାଇଁ ସର୍ବନିମ୍ନ ଇନ୍ପୁଟ ସହାୟତା ୨୫୦୦ଟଙ୍କା, ଜଳସେଚିତ ଅଂଚଳ ପାଇଁ ୨୦୦୦ ଟଙ୍କା ଏବଂ ଅଣଜଳସେଚିତ ଅଂଚଳ ପାଇଁ ସବନିମ୍ନ ୧୦୦୦ ଟଙ୍କା ଦିଆଯିବ। ଜମିରୁ ବାଲି କିମ୍ୱା ପଟୁ ମାଟି ହଟାଇବା ପାଇଁ ହେକ୍ଟର ପିଛା ୧୮, ୦୦୦ ଟଙ୍କା ହାରରେ ସହାୟତା ପ୍ରଦାନ କରାଯିବ ଏବଂ ପ୍ରତ୍ୟେକ ଚାଷୀଙ୍କୁ ସର୍ବନିମ୍ନ ସହାୟତା ରାଶି ୨, ୨୦୦ ଟଙ୍କା ଦିଆଯିବ । ବାତ୍ୟା ‘ଅର୍ଣ୍ଣବ” ଦ୍ୱାରା ପ୍ରଭାବିତ ଚାଷୀମାନଙ୍କୁ ୧, ୨୦, ୦୦୦ ସଂଖ୍ୟକ ଡାଲି ଜାତୀୟ ମିନିକିଟ୍, ୫, ୦୦୦ ତୈଳବୀଜ ଏବଂ ୫୦, ୦୦୦ ପନିପରିବା ମଞ୍ଜି କିଟ୍ ଦିଆଯିବ। ସର୍ବମୋଟ ୧, ୭୫, ୦୦୦ ସ୍ୱତନ୍ତ୍ର ମିନିକିଟ୍ ଯୋଗାଇ ଦିଆଯିବ। ଆଖୁ ଚାଷ ହେଉଥିବା ୨, ୦୦୦ ହେକ୍ଟର ପ୍ରଭାବିତ ଅଂଚଳରେ ଚାଷୀଙ୍କ ଆବଶ୍ୟକତା ଅନୁଯାୟୀ ସ୍ପେସ୍ ଟ୍ରାନ୍ସପ୍ଲାଂଟ ପଦ୍ଧତି ପ୍ରଦର୍ଶନ ପାଇଁ ହେକ୍ଟର ପିଛା ୨୭, ୫୦୦ ଟଙ୍କା କିମ୍ୱା ରେଟୁନ୍ ଫସଲ ପରିଚାଳନା ପାଇଁ ହେକ୍ଟର ପିଛା ୧୨, ୫୦୦ ଟଙ୍କା ହାରରେ ସ୍ୱତନ୍ତ୍ର ସହାୟତା ପ୍ରଦାନ କରାଯିବ। ରବି ଋତୁ ୨୦୨୬-୨୭ ସମୟରେ କୀଟନାଶକ ଏବଂ ଜୈବ-କୀଟନାଶକ ଉପରେ ୭୫% ସବସିଡିର ବ୍ୟବସ୍ଥା କରାଯିବ। ସେହିପରି ଯେଉଁଠାରେ ୩୩% କିମ୍ୱା ତା’ଠାରୁ ଅଧିକ ଫସଲ ହାନି ହୋଇଛି, ସେଠାରେ ଇଚ୍ଛୁକ ଚାଷୀମାନଙ୍କ ପାଇଁ ସ୍ୱଳ୍ପମିଆଦୀ ଖରିଫ ଋଣକୁ ମଧ୍ୟମ ମିଆଦି ଋଣରେ ପରିଣତ କରାଯିବ। ଚଳିତ ରବି ଋତୁରେ ସର୍ବାଧିକ ସଂଖ୍ୟକ ଭାଗଚାଷୀ, ଭୂମିହୀନ ଚାଷୀ କିମ୍ୱା ମୌଖିକ ଚୁକ୍ତିରେ ଚାଷ କରୁଥିବା ଚାଷୀଙ୍କୁ ଋଣ ପ୍ରଦାନ କରିବା ପାଇଁ ଜଏଂଟ ଲାଏବିଲିଟି ଗ୍ରୁପ୍ ଗଠନ କରାଯିବ। ଯେଉଁ ଘର ଗୁଡିକ ସମ୍ପୂର୍ଣ୍ଣ କିମ୍ୱା ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି, ସେଠାରେ ସମତଳ ଅଂଚଳ ପାଇଁ ୧, ୨୦, ୦୦୦ ଟଙ୍କା ଏବଂ ପାର୍ବତ୍ୟ ଅଂଚଳ ପାଇଁ ୧, ୩୦, ୦୦୦ ଟଙ୍କା ହିସାବରେ ସହାୟତା ମିଳିବ। ଆଂଶିକ କ୍ଷତିଗ୍ରସ୍ତ ପକ୍କା ଘର ପାଇଁ ୬୫୦୦ ଟଙ୍କା ଏବଂ ଆଂଶିକ କ୍ଷତିଗ୍ରସ୍ତ କଚ୍ଚା ଘର ପାଇଁ ୪୦୦୦ ଟଙ୍କା ସହାୟତା ଦିଆଯିବ। କ୍ଷତିଗ୍ରସ୍ତ କୁଡ଼ିଆ ଘର ପାଇଁ ୮୦୦୦ଟଙ୍କା ଓ ଗୁହାଳ ପାଇଁ ୩, ୦୦୦ ଟଙ୍କା ସହାୟତା ମିଳିବ। ଯେଉଁ ପରିବାରଗୁଡ଼ିକର ଘର ଭାସି ଯାଇଛି କିମ୍ୱା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି କିମ୍ୱା ଦୁଇ ଦିନରୁ ଅଧିକ ସମୟ ଧରି ଜଳମଗ୍ନ ହୋଇ ରହିଛି, ସେହି ପରିବାରଗୁଡ଼ିକୁ ପୋଷାକ ପତ୍ର ପାଇଁ ୨, ୫୦୦ ଟଙ୍କା ଏବଂ ବାସନକୁସନ ପାଇଁ ୨, ୫୦୦ ଟଙ୍କା ସହାୟତା ପ୍ରଦାନ କରାଯିବ। ଗୃହପାଳିତ ପ୍ରାଣୀ ହରାଇଥିବା ଚାଷୀଙ୍କୁ ଦୁଧିଆଳି ଗାଈ ମଇଁଷି ଆଦି ପ୍ରାଣୀର ମୃତ୍ୟୁ ପାଇଁ ୩୭, ୫୦୦ ଟଙ୍କା ଏବଂ ମେଣ୍ଢା, ଛେଳି, ଘୁଷୁରି ପାଇଁ ୪, ୦୦୦ ଟଙ୍କା ପ୍ରଦାନ କରାଯିବ। ସେହିପରି ଭାରବାହୀ ପଶୁ ଯଥା ଓଟ, ଘୋଡ଼ା, ବଳଦ ଇତ୍ୟାଦି ପାଇଁ ୩୨, ୦୦୦ ଟଙ୍କା ଏବଂ ଛୋଟ ଭାରବାହୀ ପଶୁ ଯଥା ବାଛୁରୀ, ଗଧ, ଟଟୁ ଘୋଡ଼ା, ଖଚର ଆଦି ପାଇଁ ୨୦, ୦୦୦ ଟଙ୍କା ସହାୟତା ପ୍ରଦାନ କରାଯିବ। କୁକୁଡ଼ା ପିଛା ୧୦୦ ଟଙ୍କା ଭାବରେ ସର୍ବାଧିକ ୧୦, ୦୦୦ ଟଙ୍କା ପ୍ରଦାନ କରାଯିବ। ୧, ୦୦୦ ଜଣ ଚାଷୀଙ୍କୁ ଛେଳି କିମ୍ୱା ବଳଦ ଆଦି ଯୋଗାଇ ଦେବାରେ ସହାୟତା କରିବା ପାଇଁ ସବସିଡି ପ୍ରଦାନ କରାଯିବ। ପ୍ରଭାବିତ ଅଂଚଳର ୫, ୦୦୦ ଜଣ ଦୁଗ୍ଧ ଚାଷୀଙ୍କୁ ସହାୟତା କରିବା ପାଇଁ ପ୍ରାଣୀ ପିଛା ୧୦୦ କିଲୋଗ୍ରାମ ହିସାବରେ ସର୍ବାଧିକ ୫୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଗୋ-ଖାଦ୍ୟ ଯୋଗାଇ ଦିଆଯିବ। ୭୦ ପ୍ରତିଶତରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ୨୦୦ କୁକୁଡ଼ା ଫାର୍ମକୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅଧୀନରେ ପୁନରୁଦ୍ଧାର ପାଇଁ ସହାୟତା ପ୍ରଦାନ କରାଯିବ। କ୍ଷତିଗ୍ରସ୍ତ ମାଛ ଚାଷୀ ମାନଙ୍କ ପାଇଁ ହେକ୍ଟର ପିଛା ୧, ୧୨, ୫୦୦ ଟଙ୍କା ହାରରେ ୭୫% ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯିବ। ସମ୍ପୂର୍ଣ୍ଣ ଏବଂ ଆଂଶିକ କ୍ଷତିଗ୍ରସ୍ତ ଡଙ୍ଗା ପାଇଁ ୨୨, ୫୦୦ ଟଙ୍କା ଏବଂ ଜାଲ ପାଇଁ ୧୫, ୦୦୦ ଟଙ୍କା ସହାୟତା ପ୍ରଦାନ କରାଯିବ। ସାମୁଦ୍ରିକ ଏବଂ ଚିଲିକା ମତ୍ସ୍ୟଜୀବୀମାନଙ୍କୁ ସମ୍ପୂର୍ଣ୍ଣ ଏବଂ ଆଂଶିକ କ୍ଷତିଗ୍ରସ୍ତ ଡଙ୍ଗା ପାଇଁ ୬୦, ୦୦୦ ଟଙ୍କା ଏବଂ ଜାଲ ପାଇଁ ୧୫, ୦୦୦ ଟଙ୍କା ସହାୟତା ପ୍ରଦାନ କରାଯିବ। ଯେଉଁ ମାଛ ଚାଷୀମାନଙ୍କର ପୋଖରୀ ବନ୍ଧ ଭାଙ୍ଗିଯାଇଛି କିମ୍ୱା ମାଟି କ୍ଷୟ ହୋଇଛି ସେମାନଙ୍କୁ ସହାୟତା ପ୍ରଦାନ କରାଯିବ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଲିଜ୍ ସୂତ୍ରରେ ନିଆଯାଇଥିବା କମ୍ୟୁନିଟି ପୋଖରୀ ପାଇଁ ମଧ୍ୟ ସହାୟତା ଦିଆଯିବ। ହେକ୍ଟର ପିଛା ସର୍ବାଧିକ ୧, ୭୫, ୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ଦିଆଯିବ। ପ୍ରଭାବିତ ଗଝଗଋ, ବ୍ୟବସାୟୀ, ଦୋକାନୀ, ଉଠାଦୋକାନୀ ଏବଂ ଅନ୍ୟ ବାଣିଜ୍ୟିକ ପ୍ରତିଷ୍ଠାନକୁ ସହାୟତା ଦିଆଯିବ। ଏହି ପ୍ୟାକେଜ୍ ଅଧୀନରେ ସହାୟତା ପ୍ରଦାନ କରିବା ପାଇଁ ବ୍ୟବସାୟିକ ପରିସର, କେବିନ୍ କିମ୍ୱା ଷ୍ଟଲ୍, ଯନ୍ତ୍ରପାତି, ଫିକ୍ସଚର୍ସ, ମହଜୁଦ ସାମଗ୍ରୀ ଏବଂ ଅନ୍ୟାନ୍ୟ ବ୍ୟବସାୟିକ ସମ୍ପତିର ହୋଇଥିବା କ୍ଷତିର ଆକଳନ କରାଯିବ। କ୍ଷତିଗ୍ରସ୍ତ ଗଝଗଋ, ବ୍ୟବସାୟୀ ଓ ଦୋକାନୀ ମାନଙ୍କୁ ସର୍ବାଧିକ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସହାୟତା ଯୋଗାଇ ଦିଆଯିବ। ଏହି ଋଣରେ ସର୍ବାଧିକ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୨୫ ପ୍ରତିଶତ ସବସିଡି ଦିଆଯିବ। ଏହି ସବସିଡି ପରିମାଣ ରାଜ୍ୟ ସରକାର ସିଧାସଳଖ ବ୍ୟାଙ୍କ ଗୁଡିକୁ ଯୋଗାଇଦେବେ। ଉଠା ଦୋକାନୀ, ଅସ୍ଥାୟୀ ଷ୍ଟଲ୍ କିମ୍ୱା କିଓସ୍କ ପାଇଁ ୧୦, ୦୦୦ ଟଙ୍କା ଏବଂ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ପାଇଁ ୨୫, ୦୦୦ ଟଙ୍କା ସହାୟତା ଦିଆଯିବ। ପ୍ରଭାବିତ ରେଶମ ଚାଷୀମାନଙ୍କ ମଧ୍ୟରୁ ଏରି, ମଲବେରୀ, ଟସର ଚାଷୀଙ୍କୁ ହେକ୍ଟର ପିଛା ୬, ୦୦୦ ଟଙ୍କା ଏବଂ ମୁଗା ଚାଷୀଙ୍କୁ ହେକ୍ଟର ପିଛା ୭୫୦୦ ଟଙ୍କା ଇନପୁଟ ସହାୟତା ଦିଆଯିବ। ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିବା ପାଳନ ଗୃହଗୁଡ଼ିକ ପାଇଁ ପ୍ରଭାବିତ ରେଶମ ଚାଷୀମାନଙ୍କୁ ୧, ୭୫, ୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏହା ସହିତ ଓଡ଼ିଶା ଉଠା ଜଳସେଚନ ନିଗମ, ସମସ୍ତ ପ୍ରଭାବିତ ଗ୍ରାମଗୁଡ଼ିକରେ ପ୍ରାଥମିକତା ଭିତିରେ ଉଠା ଜଳସେଚନ ପଏଂଟଗୁଡ଼ିକର ମରାମତି ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ। ରବି ଋତୁ ପୂର୍ବରୁ ସମସ୍ତ ଉଠା ଜଳସେଚନ ପଏଂଟଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ତୁରନ୍ତ ମରାମତି କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।










