
ପଟ୍ଟାମୁଣ୍ଡାଇ ତା ୧୭/୮ ବ୍ରାହ୍ମଣୀ ଓ କାଣୀ ନଦୀରେ ୩ୟ ବନ୍ୟା ଆସିବା ଫଳରେ ପଟ୍ଟାମୁଣ୍ଡାଇ ଅଂଚଳର ସ୍ଥିତି ସଂଗୀନ ହୋଇ ପଡିଛି । ଏହି ବନ୍ୟାରେ ପଟ୍ଟାମୁଣ୍ଡାଇ ବ୍ଲକର ୧୪ ପଂଚାୟତ ଓ ପୌରାଞ୍ଚଳର ୧୧ଟି ୱାର୍ଡର ପ୍ରାୟ ୫୦ ହଜାରରୁ ଉର୍ଦ୍ଧ ଲୋକ ଓ ୧୫ହଜାର ଗୃହ ପାଳିତ ପଶୁ ଜଳବନ୍ଦୀ ହୋଇପଡିଛନ୍ତି । ବନ୍ୟା ଯୋଗୁଁ ବ୍ଲକ ଓ ପୌରାଞ୍ଚଳର ପାଖାପାଖି ୬୫ ହଜାର ଲୋକ ବିପନ୍ନ ହୋଇଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକର ସବୁଠାରୁ ଦୁର୍ଗମ ଅଂଚଳ ଭାବେ ପରିଚିତ ସିଂହଗାଁ ପଂଚାୟତ ବାହ୍ୟଜଗତରୁ ବିଛିନ୍ନ ହୋଇପଡିଥିବାବେଳେ ସିଂହଗାଁ ପଂଚାୟତର ସିଂହଗାଁ, କୃଷ୍ଣଦାସପୁର ରାଉଳିଆଡିଆ, ପାଣିସାଉଁଳିଆ ଆଦି ଅଂଚଳ ଜଳମଗ୍ନ ହୋଇ ବାହ୍ୟଜଗତରୁ ବିଛିନ୍ନ ହୋଇପଡିଛି । ଅଳପୁଆ ପଂଚାୟତ ଗୋଜିଆକଣ, ବିଲମଳିକସାହି, ବେହେରାସାହି, ମିଶ୍ରବାଗ, ସେଠୀସାହି, ଜେନାସାହି, ପାହାନ୍ତାସିଂହ ସାହି,ତରଡ଼ିପାଳ ପଂଚାୟତର ପୋଖରୀକୂଳ,ଗୋପାଳପୁର, ଜେନାସାହି, ବିଶ୍ୱାଳ ସାହି, ନାଥସାହି,ମଳିକସାହି ଘାଗରାଡିଆ ପେଣ୍ଠପାଳ ପଂଚାୟତର କୂଳସାହି, କୋଳଥିଆ,ବାଲିକିରା,ଦାଣ୍ଡିସାହି ଦାଣ୍ଡିସାହି,ଅଣ୍ଢରା ପଂଚାୟତର ବ୍ରହ୍ମପୁର,ବିଷ୍ଣୁପୁର, ବ୍ରାହ୍ମଣସାହି, ଦାଣ୍ଡିଉପର, ଅମୃତମଣୋହି ପଂଚାୟତର ନୂଆଡିଆ,ଜଗନ୍ନାଥ ପୁର, ଶାନ୍ତିପଡା, ସିଦ୍ଧବାଲି, ବଲୁରିଆ ପଂଚାୟତର ଫୁଲପାଟଣା ଆଦି ବହୁ ଗ୍ରାମ ଓ ହଜାର ହଜାର ଏକର ଚାଷଜମି ଜଳମଗ୍ନ ହୋଇପଡିବା ସହିତ ଦାଣ୍ଡିସାହି ହାଇସ୍କୁଲ ଓ କଲେଜ ସମ୍ମୁଖ ରାସ୍ତାରେ ବନ୍ୟା ସୁଅ ଛୁଟିଛି । ଧୋୟାଞ୍ଚଳର ପେଣ୍ଠ ସ୍ଥଳୀ ଦାଣ୍ଡିସାହି ବଜାର ମଧ୍ୟରେ ବନ୍ୟା ପାଣି ସୁଅ ଛୁଟିବା ଫଳରେ ଧୋୟାଞ୍ଚଳର ବହୁ ପଂଚାୟତ ସହିତ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି ।

କୋଳଥିଆ ଓ ଶାସନ ସ୍କୁଲ ବନ୍ୟାଜଳରେ ବୁଡି ରହିଛି ଓ ସୁବଳପୁର -ଗୋଜିଆକଣ ରାସ୍ତାରେ ବନ୍ୟାଜଳ ସୁଅ ଛୁଟୁଛି । ତରଡ଼ିପାଳ ପଂଚାୟତର ବିଭିନ୍ନ ଅଂଚଳ ବନ୍ୟାଜଳରେ ବୁଡି ରହିଛି । ଗୋପାଳସାହିରେ ସ୍ଥିତି ଅଧିକ ଖରାପ ହୋଇଛି । ଅଳପୁଆ ତଳା ପଡିଆ ବଜାର ଓ ସଂଲଗ୍ନ ଅଂଚଳ ବୁଡି ଯାଇଛି । ଧୋୟା ଞ୍ଚଳର ୩ଟି ସ୍ୱାସ୍ଥ୍ୟକେନ୍ଦ୍ର ଅଣ୍ଢରା ଅଳପୁଆ ଓ ତୁଳସୀଡ଼ିଆ ସ୍ୱାସ୍ଥ୍ୟକେନ୍ଦ୍ର ବନ୍ୟା ଘେର ରେ ଥିବାରୁ ସ୍ୱାସ୍ଥ୍ୟସେବା ବ୍ୟାହତ ହୋଇଛି ଓ ବିଦ୍ୟୁତ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଥିବାରୁ ଅନେକ ସ୍ଥାନରେ ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇଛି । କିରୋସିନର ଉତ୍କଟ ଅଭାବ ଦେଖାଦେଇଛିଓ ଧୋୟା ଞ୍ଚଳର ବହୁ ସ୍କୁଲ କଲେଜରେ ବନ୍ୟା ପାଣି ପଶି ଶିକ୍ଷାଦାନ ଠପ ହୋଇଯାଇଛି ।

କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା, ପଟ୍ଟାମୁଣ୍ଡାଇ ବିଡ଼ିଓ ଶୀତଲ ଅଗ୍ରୱାଲ ଓ ବ୍ଲକ ସହନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ ରାଉତ ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳ ଅଣ୍ଢରା ଅମୃତ ମଣୋହି, ପେଣ୍ଠପାଳ, ତରଡ଼ି ପାଳ, ଅଳପୁଆ, ବଲୁରିଆ ଆଦି ବନ୍ୟା ବିପନ୍ନ ପଂଚାୟତ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ସହିତ ଆବଶ୍ୟକ ଡ଼ଙ୍ଗା ଓ ଶୁଖିଲା ଖାଦ୍ୟ ଗୋଖାଦ୍ୟ ପିଇବା ପାଣି ବ୍ୟବସ୍ଥା କରୁଛନ୍ତିଓ ସେହିପରି ପଟ୍ଟାମୁଣ୍ଡାଇ ବ୍ଲକର ଶ୍ରୀରାମପୁର, ଡାମରପୁର, ନୀଳକଣ୍ଠପୁର, ବାଲିପାଟଣା, ବାଛରା, ବଳଭଦ୍ରପୁର ଶାସନ ଆଦି ପଂଚାୟତର ବିଭିନ୍ନ ଅଂଚଳ ଓ ଚାଷଜମି ଜଳମଗ୍ନ ହୋଇପଡିଛି । ବନ୍ୟା ବିପନ୍ନ ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ହଜାର ହଜାର ଏକର ଚାଷ ଜମି ବନ୍ୟାଜଳରେ ବୁଡି ରହିଥିବାରୁ ପନିପରିବା ସମେତ ବିଭିନ୍ନ ଫସଲହାନୀ ଘଟିଛିଓ ବନ୍ୟା ବିପନ୍ନଲୋକମାନେ ଜଳବନ୍ଦୀ ହୋଇ ଅତ୍ୟାବଶ୍ୟକ ସାମଗ୍ରୀ ପାଇବାରୁ ବଂଚିତ ହୋଇଛନ୍ତି ଓପଟ୍ଟାମୁଣ୍ଡାଇ ବ୍ଲକର ମାଳିପୁର ରାସ୍ତା ବୁଡି ଯାଇ ଥିବାରୁ ଶ୍ରୀରାମପୁର, ଡାମରପୁର, ବଳଭଦ୍ରପୁର ବାହ୍ୟଜଗତରୁ ବିଛିନ୍ନ ହୋଇପଡିଛି ।

କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ଅରୁଣ କୁମାର ନାୟକ ଓ ପଟ୍ଟାମୁଣ୍ଡାଇ ତହସିଲଦାର ପଞ୍ଚାନନ ନାୟକ ବନ୍ୟା ବିପନ୍ନ ଶ୍ରୀରାମପୁର, ଡାମରପୁର ଓ ବଳଭଦ୍ରପୁର ଶାସନ ଆଦି ପଂଚାୟତ ଗସ୍ତ କରି ବନ୍ୟା ବିପନ୍ନ ଲୋକମାନଙ୍କ ଅଭାବ ଅସୁବିଧା ବୁଝିବା ସହିତ ରିଲିଫ ସହ ସମସ୍ତ ସରକାରୀ ସହାୟତା ପାଇଁ ବ୍ୟବସ୍ଥା କରୁଛନ୍ତି । ବନ୍ୟା ବିପନ୍ନ ଅଂଚଳରେ ପହଂଚିଛନ୍ତି ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇ ଆଇ ସି ବନ୍ଦନା ପାତ୍ର ଓ ଲୋକ ମାନଙ୍କ ସୁରକ୍ଷା ଉଦ୍ଧାର କାର୍ଯ୍ୟ ଓ ରିଲିଫ ଯୋଗାଣ ବ୍ୟବସ୍ଥା ତଦାରଖ କରୁଛନ୍ତି । ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲ ମୁଖ୍ୟ ଚିକିତ୍ସାଧିକାରୀ ଡା ନିରାକାର ପରିଡାଙ୍କ ନେତୃତ୍ୱରେ ମେଡିକାଲ ଟିମ ବନ୍ୟା ବିପନ୍ନ ବିଭିନ୍ନ ଅଂଚଳରେ ସ୍ୱାସ୍ଥ୍ୟସେବା ଜାରି ରଖିଛନ୍ତି ।

ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ତନୁପୁର ରାସ୍ତା ବୁଡି ଯାଇ ଥିବାରୁ ବାଲିପାଟଣା, ଖଡ଼ିପାଳ ତନୁପୁର,ନଦିନୀନଗର ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଛି । ପଟ୍ଟାମୁଣ୍ଡାଇ ବ୍ଲକର ବାଛରା ପଂଚାୟତ ମଣ୍ଡପଡା ବାଛରା ରାସ୍ତା ବୁଡି ଯାଇଥିବାରୁ ବାଛରା ମଣ୍ଡପଡା ବାହ୍ୟଜଗତ୍ରରୁ ବିଛିନ୍ନ ହୋଇପଡିଛିଓ ଆଜି ରାତିରେ ମାଳିପୁର ଠାରେ ୧୨ଜଣ ଲୋକଙ୍କୁ ନେଇ ଯାଉଥିବା ଡ଼ଙ୍ଗା ବନ୍ୟା ସ୍ରୋତରେ ଫସି ଯିବାରୁ ତହସିଲଦାରଙ୍କ ନିର୍ଦେଶରେ ଅଗ୍ନି ଶମ ବାହିନୀ ଡ଼ଙ୍ଗା ସହିତ ଲୋକମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ବାଲିପଡ଼ା, ତଳବାଲିପଡ଼ା, ବଳଦେବନଗର, ସିଦ୍ଧପାଟଣା, କଷଣଅଣ୍ଟା, ନୂଆଗାଁ, କାକୁଡିପଲ୍ଲୀ, ତନୁପୁର, ନନ୍ଦିନୀନଗର, ଷଣ୍ଢପଲ୍ଲୀ, ଅଳଭା ଆଦି ବିଭିନ୍ନ ଗ୍ରାମ ଓ ୧୧ଟି ୱାର୍ଡ ଜଳମଗ୍ନ ହୋଇପଡିବା ସହିତ ଶହ ଶହ ଏକର ଚାଷଜମି ମଧ୍ୟ ବୁଡି ରହିଛି ।

ବ୍ରାହ୍ମଣୀ ବନ୍ୟା ପାଣି ପଟ୍ଟାମୁଣ୍ଡାଇ ସହର ମଧ୍ୟରେ ପ୍ରବେଶ କରିଛି । ପଟ୍ଟାମୁଣ୍ଡାଇ ସହରର ମହାବୀର ବଜାରର ବହୁ ଦୋକାନ ଘରେ ବନ୍ୟା ପାଣି ପଶି ଦୋକାନ ସାମଗ୍ରୀ ନଷ୍ଟ ହେବା ସହିତ ଯାତାୟାତ ବାଧା ପ୍ରାପ୍ତ ହୋଇଛି । ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚଳର ବହୁ ସ୍କୁଲ ପାଣି ଘେରରେ ଥିବାରୁ ଶିକ୍ଷା ଦାନ ଠପ ହୋଇଯାଇଛି । ବନ୍ୟା ସ୍ଥିତି ଗମ୍ଭୀର ହୋଇ ଥିବାରୁ ଦୁର୍ବଳ ନଦୀବନ୍ଧ କ୍ଷତିଗ୍ରସ୍ତ ହୋଇ ଘାଇ ସୃଷ୍ଟି ହେବା ଆଶଙ୍କା ଥିବାରୁ ଲୋକମାନେ ଦିବାରାତ୍ର ସଜାଗ ହୋଇ ରହିଛନ୍ତି ।

ପଟ୍ଟାମୁଣ୍ଡାଇ ପୌର ନିର୍ବାହୀ ଅଧିକାରୀ ରଞ୍ଜନ ଦାଶ ବନ୍ୟା ସ୍ଥିତି ଉପରେ ସତର୍କ ଦୃଷ୍ଟି ରଖି ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି । ବ୍ରାହ୍ମଣୀ ନଦୀରେ ୩ଥର ବନ୍ୟା ଆସିବା ଯୋଗୁଁ ବନ୍ୟା ବିପନ୍ନ ଲୋକ, ଗରିବ ଖଟିଖିଆ ଓ ଚାଷୀଙ୍କ ଦୁର୍ଦଶା ବଢ଼ି ଯାଇଛି । ପଟ୍ଟାମୁଣ୍ଡାଇ ଓ ରାଜନଗର ବନ୍ୟା ସ୍ଥିତି ସଂଗୀନ ହୋଇ ପଡିଥିବାରୁ ତୁରନ୍ତ ଆବଶ୍ୟକ ରିଲିଫ ସମସ୍ତ ସରକାରୀ ସହାୟତା ସହ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରିବା ପାଇଁ ରାଜନଗର ବିଧାୟକ ଧ୍ରୁବ ସାହୁ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖି ଦୃଢ଼ ଦାବୀ କରିଛନ୍ତି ।
