
ପଟ୍ଟାମୁଣ୍ଡାଇ ୨୯/୮-ଛାତ୍ରୀମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଆଇନଗତ ଅଧିକାର ବିଷୟରେ ଜାଗ୍ରତ କରିବା ଏବଂ କ୍ୟାମ୍ପସରେ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟରେ ପଟ୍ଟାମୁଣ୍ଡାଇ କଲେଜରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ ପକ୍ଷରୁ ଏକ ବିଶେଷ ସଚେତନତା ଓ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଲେଜର ଶତାଧିକ ଛାତ୍ରୀ, ଅଧ୍ୟାପିକା ଓ ଅଧ୍ୟାପକମାନେ ଆଗ୍ରହର ସହ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ କଲେଜ ଅଧ୍ୟକ୍ଷ ପ୍ରଫେସର ଗୌର ପ୍ରସାଦ ଷଢଙ୍ଗୀଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଜ୍ଞାନପ୍ରଭା ମିଶନର ବ୍ରହ୍ମଚାରିଣୀ ମା କୃଷ୍ଣାମୟୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ମହିଳା ଓ ଛାତ୍ରୀମାନଙ୍କୁ ସଶକ୍ତ କରିବା ସେମାନଙ୍କ ଆଇନଗତ ଅଧିକାର ସୁରକ୍ଷା ଓ ଆତ୍ମନିର୍ଭରଶୀଳତା ଉପରେ ବିଶଦ ଆଲୋଚନା କରିଥିଲେ ।ଏଥିନେଇ ମହିଳା ସୁରକ୍ଷା ଓ ସେମାନଙ୍କ ନୈତିକ ବଳ ବୃଦ୍ଧି ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ସଭାରେ ବକ୍ତାମାନେ ପ୍ରକାଶ କରିଥିଲେ ଯେ, ଆଜିର ଯୁଗରେ ମହିଳାମାନେ କେବଳ ଶିକ୍ଷାରେ ନୁହଁନ୍ତି, ବରଂ ନିଜ ସୁରକ୍ଷା କ୍ଷେତ୍ରରେ ମଧ୍ୟ ସଚେତନ ହେବା ଏକାନ୍ତ ଆବଶ୍ୟକ।ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟଗୁଡ଼ିକ ମଧ୍ୟରେ ଆତ୍ମରକ୍ଷା କୌଶଳ ମାନସିକ ସ୍ୱାସ୍ଥ୍ୟ ସଚେତନତା, ଏବଂ ଛାତ୍ରୀମାନଙ୍କ ପାଇଁ ନିର୍ଦ୍ଦିଷ୍ଟ “ଶକ୍ତିଶ୍ରୀ ଆପ୍’ର ବ୍ୟବହାର ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା। ଯେକୌଣସି ପ୍ରକାରର ହଇରାଣ ବା ଅସୁବିଧାର ସମ୍ମୁଖୀନ ହେଲେ କଲେଜର ଆଭ୍ୟନ୍ତରୀଣ ଅଭିଯୋଗ କମିଟି କିମ୍ବା ଶକ୍ତିଶ୍ରୀ ସେଲ୍ ସହିତ ନିର୍ଭୟରେ ଯୋଗାଯୋଗ କରିବାକୁ ଛାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଥିଲା।ସେହିପରି, କ୍ୟାମ୍ପସରେ ଭୟମୁକ୍ତ ଓ ସମାନତାର ପରିବେଶ ଗଢ଼ିତୋଳିବା ପାଇଁ ‘ସେଫ୍’ (SAFE – Shaktishree Actions for Female Empowerment) ଅଭିଯାନ ବିଷୟରେ ଶକ୍ତିଶ୍ରୀ ସଂଯୋଜିକା ଶିକ୍ଷା ବିଭାଗ ମୁଖ୍ୟ ଅଧ୍ୟାପିକା ନିବେଦିତା ନାୟକ ଓ ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପିକା ସୀମାଙ୍ଗିନୀ ଦାସ ମହିଳା ଓ ଛାତ୍ରୀ ସଶକ୍ତିକରଣ ଓ ସୁରକ୍ଷା ଉପରେ ସଚେତନତା ବାର୍ତା ଦେଇଥିଲେ । ଶେଷରେ ଅଧ୍ୟାପକ ପୃଥ୍ୱୀରାଜ ବିଶ୍ୱାଳ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଶକ୍ତିଶ୍ରୀ ପ୍ରଶିକ୍ଷିକା ଶକ୍ତିଶ୍ରୀ ସାଥୀ ଓ ଛାତ୍ରୀମାନେ ଯୋଗ ଦେଇଥିଲେ ।
