କେନ୍ଦ୍ରାପଡ଼ା,୨୨ା୪: ଏକ ଯୈାତୁକ ଜନିତ ନିର୍ଯ୍ୟାତନା ମାମଲାର ବିଚାର କରି କେନ୍ଦ୍ରାପଡା ଆଡହକ ଫାଷ୍ଟଟ୍ରାକ କୋର୍ଟ ଜଜ ତ୍ରିବିକ୍ରମ କେଶରୀ ଚିନ୍ନାରା ଅଭିଯୁକ୍ତ ରାଜକନିକା ଥାନା ଅନ୍ତର୍ଗତ ବାଲିସାହି ଗ୍ରାମର ଅଜୟ କୁମାର ନାଥକୁ ସାଢେ ତିନି ବର୍ଷ ଜେଲ ଦଣଣ୍ଡରେ ଦଣ୍ଡିତ କରିଛନ୍ତି। ଏହାସହ ଦୋଷୀକୁ ୧୦ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି। ଜୋରିମାନା ଅନାଦେୟ ଦୋଷୀକୁ ଅଧିକ ୩ମାସ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ଥାନା ଅନ୍ତର୍ଗତ ବାଲିସାହି ଗ୍ରାମର ହରପ୍ରିୟା ନାଥ ସେହି ଗ୍ରାମର ଅଜୟ ନାଥଙ୍କୁ ଗତ ୨୦୧୭ ମସିହା ନଭେମ୍ବର ମାସ ୨୫ତାରିଖରେ ବୈଦିକ ରୀତିରେ ବିବାହ କରିଥିଲେ। କିନ୍ତୁ ବିବାହ ପରେ ଅଜୟ ହରପ୍ରିୟାଙ୍କ ଉପରେ ନିର୍ଯ୍ୟାତନା ଆରମ୍ଭ କରିଦେଇଥିଲେ। ଅଜୟଙ୍କର ଅନ୍ୟ ଜଣେ ଯୁବତୀଙ୍କ ସହ ଅନୈତିକ ସମ୍ପର୍କ ଥିବା ହରପ୍ରିୟା ଜାଣିବାକୁ ପାଇଥିଲେ। ସ୍ୱାମୀଙ୍କର ଏତାଦୃଶ କାର୍ଯ୍ୟକୁ ହରପ୍ରିୟା ବିରୋଧ କରିବାରୁ ତାଙ୍କ ଉପରେ ମାନସିକ ଓ ଶାରିରିକ ନିର୍ଯ୍ୟାତନା ଆରମ୍ଭ ହୋଇଯାଇଥିଲା। ଏଥିସହିତ ଅଜୟ ତା’ର ଜଣେ ସାଙ୍ଗକୁ ଘରକୁ ଡାକି ତା’ସହ ଅନୈତିକ ସମ୍ପର୍କ ରଖିବାକୁ ପତ୍ନୀ ହରପ୍ରିୟାକୁ ବାଧ୍ୟ କରିଥିଲେ। ଏନେଇ ହରପ୍ରିୟା ଆଇନର ଆଶ୍ରୟ ନେଇଥିଲେ। ଏହି ମାମଲାର ବିଚାର କରି କେନ୍ଦ୍ରାପଡା ଆଡହକ ଫାଷ୍ଟଟ୍ରାକ କୋର୍ଟ ଜଜ ଶ୍ରୀ ଚିନ୍ନାରା ଉପରୋକ୍ତ ରାୟ ଦେଇଛନ୍ତି। ଅଦାଲତରେ ସରକାରୀ ଓକିଲ ସଞ୍ଜୟ କୁମାର ଜେନା ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିଲେ।
Discover more from Lokamata Odisha
Subscribe to get the latest posts sent to your email.