ଲଗାଣବର୍ଷା ସାଙ୍ଗକୁ ବ୍ରାହ୍ମଣୀରେ ପୁଣି ବନ୍ୟା, ବ୍ୟାପକ ଅଂଚଳ ଜଳମଗ୍ନ

ସିଂହଗାଁ, ଶ୍ରୀରାମପୁର ଡାମରପୁର ବଳଭଦ୍ରପୁର ବାଲିପାଟଣା ବଛାରା, ତନୁପୁର ବିଛିନ୍ନ

blank
ପଟ୍ଟାମୁଣ୍ଡାଇ ୧୬ା୮ – ସମ୍ପ୍ରତି ବାରମ୍ବାର ଲଘୁ ଚାପଜନିତ ଲଗାଣବର୍ଷା ଓ ରେଙ୍ଗାଲି ପାଣି ଛାଡିବା ଯୋଗୁଁ ବ୍ରାହ୍ମଣୀ ଓ କାଣୀ ନଦୀରେ ତୃତୀୟ ବନ୍ୟା ଆସିଛି । ଫଳରେ ପଟ୍ଟାମୁଣ୍ଡାଇର ବ୍ୟାପକ ଅଂଚଳ ଜଳମଗ୍ନ ହୋଇପଡ଼ିଛି। ବନ୍ୟାଜଳ ଯୋଗୁଁ ସିଂହଗାଁ, ଶ୍ରୀରାମପୁର, ଡାମରପୁର, ବଳଭଦ୍ରପୁର, ବାଲିପାଟଣା, ବାଛରା ଓ ତନୁପୁର ଆଦି ପ୍ରମୁଖ ଗ୍ରାମଗୁଡ଼ିକ ବହ୍ୟଜଗତରୁ ବିଛିହ୍ନ ହୋଇପଡିଛି । ବନ୍ୟାଜଳ ଗାଁଗଣ୍ଡା ଓ ରାସ୍ତାଘାଟରେ ଲହଡ଼ି ଭାଙ୍ଗୁଥିବାରୁ ଯୋଗାଯୋଗ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ତନୁପୁର-ବାଲିପାଟଣା ରାସ୍ତା ଜଳମଗ୍ନ ହେବା ଯୋଗୁଁ ପୌରାଂଚଳର ତନୁପୁର ଓ ବାଲିପାଟଣା ପଂଚାୟତର ଗ୍ରାମ ଗୁଡିକ ବାହ୍ୟଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛନ୍ତି। ସେହିପରି ବାଛରା-ମଣ୍ଡପଡ଼ା ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ବାଛରା ଓ ମଣ୍ଡପଡ଼ା ଅଂଚଳ ମଧ୍ୟ ଯୋଗାଯୋଗ ହୀନ ହୋଇପଡ଼ିଛି। ଅନ୍ୟପଟେ ମାଳିପୁର ରାସ୍ତା ବୁଡ଼ି ରହିଥିବାରୁ ଶ୍ରୀରାମପୁର, ଡାମରପୁର ଓ ବଳଭଦ୍ରପୁର ପଂଚାୟତର ନେକ ଗ୍ରାମ ବାହାର ଦୁନିଆରୁ ବିଚ୍ଛିନ୍ନ ହୋଇ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି।କୋଳଥିଆ ଓ ଶାସନ ସ୍କୁଲ ବନ୍ୟାଜଳରେ ବୁଡି ରହିଛି ଓ ସୁବଳପୁର-ଗୋଜିଆକଣ ରାସ୍ତାରେ ବନ୍ୟାଜଳ ସୁଅ ଛୁଟୁଛି । ତରଡ଼ିପାଳ ପଂଚାୟତର ବିଭିନ୍ନ ଅଂଚଳ ବନ୍ୟାଜଳରେ ବୁଡି ରହିଛି ଓ ଗୋପାଳସାହି ରେ ସ୍ଥିତି ଅଧିକ ଖରାପ ହୋଇଛି । ପଟ୍ଟାମୁଣ୍ଡାଇ ବ୍ଲକ ଅଳପୁଆ ତଳା ପଡିଆ ବଜାର ଓ ସଂଲଗ୍ନ ଅଂଚଳ ବୁଡି ଯାଇଛି । ଧୋୟା ଞ୍ଚଳର ୩ଟି ସ୍ୱାସ୍ଥ୍ୟକେନ୍ଦ୍ର ଅଣ୍ଢରା ଅଳପୁଆ ଓ ତୁଳସୀଡ଼ିଆ ସ୍ୱାସ୍ଥ୍ୟକେନ୍ଦ୍ର ବନ୍ୟା ଘେର ରେ ଥିବାରୁ ସ୍ୱାସ୍ଥ୍ୟସେବା ବ୍ୟାହତ ହୋଇଛି । ବିଦ୍ୟୁତ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଥିବାରୁ ଅନେକ ସ୍ଥାନରେ ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇଛି । କିରୋସିନର ଉତ୍କଟ ଅଭାବ ଦେଖାଦେଇଛି । ଧୋୟା ଞ୍ଚଳର ବହୁ ସ୍କୁଲ କଲେଜରେ ବନ୍ୟା ପାଣି ପଶି ଶିକ୍ଷାଦାନ ଠପ ହୋଇଯାଇଛି । ହଜାର ହଜାର ଏକର ଚାଷ ଜମି ବନ୍ୟାଜଳରେ ବୁଡି ରହିଥିବାରୁ ପନିପରିବା ସମେତ ବିଭିନ୍ନ ଫସଲହାନୀ ଘଟିଛି । ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ବାଲିପଡ଼ା, ତଳବାଲିପଡ଼ା, ବଳଦେବନଗର, ସିଦ୍ଧପାଟଣା, କଷଣଅଣ୍ଟା, ନୂଆଗାଁ, କାକୁଡିପଲ୍ଲୀ, ତନୁପୁର, ନନ୍ଦିନୀନଗର, ଷଣ୍ଢପଲ୍ଲୀ, ଅଳଭା ଆଦି ବିଭିନ୍ନ ଗ୍ରାମ ଓ ୧୧ଟି ୱାର୍ଡ ଜଳମଗ୍ନ ହୋଇପଡିବା ସହିତ ଶହ ଶହ ଏକର ଚାଷଜମି ମଧ୍ୟ ବୁଡି ରହିଛି । ତଳବାଲିପଡ଼ା ବାଲି ଉପରକୁ ଯିବା ରାସ୍ତା ବୁଡି ଯାଇଥିବାରୁ ୨୦ ପରିବାର ଜଳ ବନ୍ଦୀ ହୋଇପଡିଛନ୍ତି । ବନ୍ୟା ପାଣିରେ ବୁଡି ରହି ପନିପରିବା ସମେତ ବିଭିନ୍ନ ଫସଲ ନଷ୍ଟ ହୋଇଛି ।.ବ୍ରାହ୍ମଣୀ ବନ୍ୟା ପାଣି ପଟ୍ଟାମୁଣ୍ଡାଇ ସହରର ମହାବୀର ବଜାରର ବହୁ ଦୋକାନ ଘରେ ବନ୍ୟା ପାଣି ପଶି ଦୋକାନ ସାମଗ୍ରୀ ନଷ୍ଟ ହେବା ସହିତ ଯାତାୟାତ ବାଧା ପ୍ରାପ୍ତ ହୋଇଛି । ସମ୍ପ୍ରତି ବନ୍ୟା ସ୍ଥିତି ଗମ୍ଭୀର ହୋଇଥିବା ଓ ବନ୍ୟା ଯୋଗୁଁ ପରିବେଶ ଦୂଷିତ ହୋଇ ଚାରିଆଡେ ଝାଡା ବାନ୍ତି, ଥଣ୍ଡା, ଜ୍ୱର ଲାଗି ରହିଛି । ଅଳଭା ଠାରେ ବନ୍ୟା ଜଳ ୧୯ଫୁଟ ରହିଛି ଓ ସରକାରୀ ଭାବେ ବିପଦ ସଂକେତ ୧୬ ଫୁଟ ରହିଛି । ଲଗାତାର ବନ୍ୟା ପରିସ୍ଥିତି ଯୋଗୁଁ ସ୍ଥାନୀୟ ଚାଷୀମାନଙ୍କ ଚିନ୍ତା ବୃଦ୍ଧି ପାଇଛି। ନିକଟରେ ଦେଖା ଦେଇଥିବା ବନ୍ୟାରେ ସମସ୍ତ ଅଂଚଳରୁ ଜଳ ନିଷ୍କାସିତ ହୋଇନଥିବାବେଳେ ବ୍ରାହ୍ମଣୀ ଓ କାଣୀ ନଦୀରେ ୩ୟ ବନ୍ୟା ସରକାର ଓ ପ୍ରଶାସନ ପାଇଁ ଆହ୍ୱାନ ସୃଷ୍ଟି କରିଛି ।

Leave a Reply

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading