ଅର୍ଥ ବାହୁବଳର ରାଜୁତି

କିଛି ସ୍ଥାୟୀ ନୁହେଁ, କେହି ବି ଚିରଦିନ ନୁହଁନ୍ତି, ଏହା ଏକ ସତ୍ୟ ଯାହା ଆମେ ସମସ୍ତେ ଜାଣୁ । କିନ୍ତୁ, ସେହି ସତ୍ୟଟକୁି ଆମେ ସବୁଦିନ ପାଇଁ ମନରେ ରଖିବାକୁ ସକ୍ଷମ ହେଉନାହାଁନ୍ତି । ଅନେକ ଲୋକ ହୁଅନ୍ତୁ ବା ରାଜାନେତା ଯେଉଁମାନେ ପଦବୀ, ଖ୍ୟାତି, ଟଙ୍କା ଏବଂ କ୍ଷମତାକୁ ଅନନ୍ତ ବୋଲି ବିଶ୍ୱାସ କରନ୍ତି । ସେଗୁଡ଼ିକୁ ହାସଲ କରିବା ପାଇଁ ଯେକୌଣସି ସୀମାକୁ ଯାଆନ୍ତି । ଟିକଟ ଲୋଭରେ ନୀତି, ଆଦର୍ଶ ଓ ସ୍ୱାଭିମାନକୁ ଜଳାଞ୍ଜଳି ଦେଇ ନୀତିହୀନ, ସ୍ୱାର୍ଥପର, ହୋଇ ଅନୁପଯୁକ୍ତ ଉପାୟରେ ଆବଶ୍ୟକତାଠାରୁ ବହୁ ଗୁଣ ଅଧିକ ଟଙ୍କା ସଂଗ୍ରହ କରନ୍ତି । ଆଜିର ବିକୃତ ସାମାଜିକ ପରିବେଶ ଏବଂ ସ୍ୱେଚ୍ଛାଚାର କାରଣରୁ କେତେକ ନୀତିହୀନ ରାଜନେତା ଅନୈତିକ ଉପାୟରେ କ୍ଷମତା ଦଖଲ କରୁଛନ୍ତି। ପ୍ରଚାରତନ୍ତ୍ର ବା ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ସେମାନଙ୍କ ମୁଖା ଖୋଲିବା ପରିବର୍ତ୍ତେ ଗୁଣଗାନ କରିବାରେ ଲାଗିଛନ୍ତି। ନୈତିକତା ବଦଳରେ ଅର୍ଥ ଓ ବାହୁବଳର ରାଜୁତି ଚାଲିଛି। ରାମରାଜ୍ୟ, ସ୍ୱରାଜ ଏବଂ ସୁରାଜ ପାଇଁ ସର୍ବଶକ୍ତିମାନ ପ୍ରଭୁ ଜଗନ୍ନାଥଙ୍କ ଚାହିଁଲେ ଭାରତୀୟ ରାଜନୀତିକୁ ଧର୍ମ ଓ ନୀତି ଆଧାରରେ ପୁଣି ପରିଶୁଦ୍ଧ କରିପାରିବେ ବୋଲି ଆଜି ହୋଲି ଛୁଟିରେ ଚାହା ଦୋକାନ ଟେବୁଲରେ ବରିଷ୍ଠ, ବୁଦ୍ଧିଜିବୀ ମାନଙ୍କ ମଧ୍ୟରେ ଚାଳିଥିଲା ଆଲୋଚନା  ।

 

ପ୍ରଦିପ ବାବୁ-ଗତ କିଛି ମାସ ତଳେ ଓଡିଶା ସମେତ ଦେଶର ଅନ୍ୟ ରାଜ୍ୟମାନଙ୍କରେ ନିର୍ବାଚନ ହୋଇଥିଲା । ସେତେବେଳେ କ୍ଷମତା ପାଇବା ପାଇଁ ରାଜନେତାମାନେ ଯେଉଁ ପ୍ରକାର ଦଳବଦଳ କରି ଆଚରଣ ଓ ବ୍ୟବହାର ପ୍ରଦର୍ଶନ କରିଥିଲେ ।, ତଥା ନିଜର ନୀତି, ଆଦର୍ଶ ଓ ସ୍ୱାଭିମାନକୁ ଜଳାଞ୍ଜଳି ଦେଉଛନ୍ତି ତାହା ସାଧାରଣ ଲୋକଙ୍କୁ କେବଳ ଚକିତ କରିନାହିଁ, ରାଜନୀତି ଯେ ନୀତିହୀନ, ସ୍ୱାର୍ଥପର, ଚରିତ୍ରହୀନ, କ୍ଷମତାଲିପ୍‌ସୁ ବ୍ୟକ୍ତିଙ୍କ ଦ୍ୱାରା କବଳିତ ହୋଇସାରିଲାଣି, ଏହା ସେମାନେ ପରୋକ୍ଷରେ ଜନସାଧାରଣଙ୍କୁ ଜଣାଇଦେଲେ ।

ଫକିର ବାବୁ – ଏବେ ଧାରଣା ବଦ୍ଧମୂଳ ହେଲାଣି ଯେ ରାଜନୀତିରେ ଆଉ ନୀତି ଆଦର୍ଶର ସ୍ଥାନ ନାହିଁ। ଦେଶ ବା ରାଜ୍ୟର ଶାସନ କାର୍ଯ୍ୟ ପରିଚାଳନା ପାଇଁ ଯେଉଁ ଲୋକମାନଙ୍କୁ ନିର୍ବାଚିତ କରାଯାଉଛି, ସେମାନଙ୍କଠାରେ ନୀତି-ଆଦର୍ଶ ବା ନୈତିକତା ରହିବା ଆଉ ଆବଶ୍ୟକ ନୁହେଁ। ରାଜନୈତିକ ଲକ୍ଷ୍ୟ ହାସଲ ପାଇଁ ନୈତିକତା ବା ଉଚ୍ଚମୂଲ୍ୟବୋଧକୁ ଜଳାଞ୍ଜଳି ଦିଆଯାଉଛେ । କଳେବଳେ କୌଣସି ପଦ ଦଖଲ ରାଜନୀତିର ଏକମାତ୍ର ଲକ୍ଷ୍ୟ ବୋଲି ସର୍ବତ୍ର ଲୋକେ ଭାବି ନେଲେଣି।

ପ୍ରଫୁଲ୍ଲ ଦାଶ – ‘ରାଜ’ ଶବ୍ଦ ସହିତ ଯେଉଁ ଶବ୍ଦ ସଂଯୁକ୍ତ ହୁଏ ତାହାର ଅର୍ଥ ପ୍ରାୟତଃ ଶ୍ରେଷ୍ଠ ବା ମହାନତାସୂଚକ ହୋଇଥାଏ। ଉଦାହରଣସ୍ୱରୂପ ‘ରାଜବୈଦ୍ୟ’ ଉପାଧି ତାହାକୁ ହିଁ ଦିଆଯାଏ ଯିଏ ଅନ୍ୟ ବୈଦ୍ୟ ବା ଚିକିତ୍ସକଙ୍କ ଅପେକ୍ଷା ଚିକିିତ୍ସା ବିଜ୍ଞାନରେ ଅଧିକ ପ୍ରତିଭାଶାଳୀ ବିବେଚିତ ହୋଇଥାଏ। ସେହିପ୍ରକାର ରାଜଜ୍ୟୋତିଷ, ରାଜପୁରୋହିତ, ରାଜର୍ଷି, ରାଜଯୋଗୀ ଶବ୍ଦ ଶ୍ରେଷ୍ଠମାନଙ୍କ ପାଖରେ ହିଁ ସଂଯୁକ୍ତ କରାଯାଏ। ସେହିପରି ସର୍ବଶ୍ରେଷ୍ଠ ମାର୍ଗକୁ ରାଜମାର୍ଗ କୁହାଯାଇଥାଏ। ତେଣୁ ରାଜନୀତି ମଧ୍ୟ ଶ୍ରେଷ୍ଠ ନୀତିର ଦ୍ୟୋତକ ବୋଲି କୁହାଯାଇପାରେ।

କ୍ଷୀରୋଦ ପ୍ରଧାନ- ପ୍ରାଚୀନ କାଳରୁ ରାଜନୀତି ଶବ୍ଦର ପ୍ରୟୋଗ ଶ୍ରେଷ୍ଠ, ଆଦର୍ଶଯୁକ୍ତ, ଚରିତ୍ରବାନ, ନୀତି ଓ ଆଦର୍ଶର ଧାରକମାନଙ୍କ ପାଇଁ କରାଯାଉଥିଲା। ସମାଜର ଉଚ୍ଚତର ଶ୍ରେଣୀର ଗୁଣୀ, ବିଦ୍ୱାନ ଓ ନୀତିବାନ, ଆଦର୍ଶବାନ, ଚରିତ୍ରସମ୍ପନ୍ନ ବ୍ୟକ୍ତିମାନଙ୍କ ଦ୍ୱାରା ରାଜ୍ୟ ଶାସନ ପାଇଁ ଗ୍ରହଣ କରାଯାଉଥିବା ନୀତିକୁ ‘ରାଜନୀତି’ କୁହାଯାଉଥିଲା। ସନ୍ଥ ତୁଳସୀଦାସ ‘ରାମଚରିତ ମାନସ’ରେ ‘ରାଜ ନୀତି ବିନା, ଧନ ବିନୁ ଧରମା’ ବୋଲି ଲେଖିଛନ୍ତି। ଏହାର ଅର୍ଥ ନୀତି ବିହୀନ ରାଜା ସର୍ବଥା ବର୍ଜନୀୟ ଓ ନିନ୍ଦନୀୟ।

ଅନନ୍ତ ଦାଶ – ଯେଉଁ ଶାସକ ବା ରାଜା ଅପରାଧ ପାଇଁ ପ୍ରଜା ଅଥବା ନାଗରିକଙ୍କୁ ଦଣ୍ଡିତ କରିବାର ଅଧିକାର ରଖିଥିବ ସେ ନିଜେ ପ୍ରଥମେ ଅପରାଧରହିତ ହେବା ଉଚିତ। ଇଂରାଜୀରେ କୁହାଯାଇଛି – ‘ଦି କିଙ୍ଗ କ୍ୟାନ୍ କମିଟ୍ ନୋ କ୍ରାଇମ’ ରାଜା କେବେ ଅପରାଧ କରିପାରିବ ନାହିଁ। ଆଜି ବି ଇଂଲଣ୍ଡରେ ଆଇନତଃ ଏହା ହିଁ ସ୍ୱୀକାର କରାଯାଉଛି। ଏହି ଉକ୍ତି ବାସ୍ତବରେ ସତ୍ୟନିଷ୍ଠ, ଚରିତ୍ରବାନ, ଧର୍ମପ୍ରିୟ ଏବଂ ବିବେକୀ ରାଜାଙ୍କ ପାଇଁ ପ୍ରଯୁଜ୍ୟ ଥିଲା।

ପ୍ରଦୀପ ବାବୁ -ଆଜିକାଲି ତ ଅପରାଧୀମାନଙ୍କର ରାଜନୀତିରେ ଅବାଧ ପ୍ରବେଶ। କୋଟିକୋଟି ଟଙ୍କାର ରାଜସ୍ୱ ଲୁଟ କରିଥିବା, ଅପରାଧିକ ପୃଷ୍ଠଭୂମି ଥିବା, ବିଭିନ୍ନ ଦୁର୍ନୀତିରେ ସମ୍ପୃକ୍ତିର ଆପାତତଃ ପ୍ରମାଣଯୋଗ୍ୟ ତଥ୍ୟ ଥିବା, କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତିଙ୍କୁ ବିଭିନ୍ନି ରାଜନୈତିକ ଦଳରୁ ନିର୍ବାଚନ ଲଢ଼ିବା ପାଇଁ ଟିକଟ ମିଳୁଛି ଏବଂ ଏମାନଙ୍କ ମଧ୍ୟରୁ ଅନେକ ଭୋଟରେ ଜିତି ବିଧାୟକ, ସାଂସଦ କିମ୍ବା ମନ୍ତ୍ରୀ ହେଉଛନ୍ତି।

ଅନନ୍ତ ଦାଶ-ଆଜିକାଲି ଆଦର୍ଶନୀତି ଏବଂ ରାଜନୀତିକୁ ପରିଶୁଦ୍ଧ କରିବା ପାଇଁ ପ୍ରତିଷ୍ଠିତ ଦଳ ମଧ୍ୟ ଏହି ଅପରାଧୀଙ୍କ ପାଇଁ ନିଜ ଦ୍ୱାର ଉନ୍ମୁକ୍ତ କରିଛି। ଟିକେଟ ନପାଇ ନିଜର ପୁରୁଣା ଦଳରୁ ଇସ୍ତଫା ଦେଉଥିବା ସାଂସଦ, ବିଧାୟକଙ୍କୁ ଅନାୟାସରେ ଅନ୍ୟ ଦଳ ସାମିଲ କରିବା ସଙ୍ଗେସଙ୍ଗେ ଆଗାମୀ ନିର୍ବାଚନ ପାଇଁ ସେମାନଙ୍କୁ ଟିକଟ ମଧ୍ୟ ଦେଉଛନ୍ତି। ନୀତି, ଆଦର୍ଶ, ମୂଲ୍ୟବୋଧର ସତେ ଯେପରି ସମାଧି ହୋଇଯାଇଛି। ରାଜନୀତି ଏବେ ଭ୍ରଷ୍ଟନୀତି ଏବଂ ରାଜନେତା ଦୁରାଚାରୀରେ ପରିଣତ ହୋଇଛନ୍ତି।

ଭବାନୀ ବାବୁ-ବୈଦିକ କାଳରେ, ପ୍ରାଗ୍ ଐତିହାସିକ ସମୟରେ ମହାତ୍ମା ବିଦୁର ଏବଂ କୌଟିଲ୍ୟଙ୍କ ପରି ଅତ୍ୟନ୍ତ ଦୈବୀଗୁଣସମ୍ପନ୍ନ ରାଜନୀତି ବିଶେଷଜ୍ଞ ଶାସନ ପରିଚାଳନାରେ ସାଧୁତା ସହ ଦକ୍ଷତା ପାଇଁ ନୀତି ପ୍ରଣୟନ କରି ବହୁଚର୍ଚ୍ଚିତ ହୋଇଥିଲେ। ଏହା ‘ବିଦୁର ନୀତି’ ଏବଂ ‘କୌଟିଲ୍ୟ ଅର୍ଥଶାସ୍ତ୍ର’ ନାମରେ ଆଜି ବି ଚର୍ଚ୍ଚିତ।

ପ୍ରଫୁଲ୍ଲ ଦାଶ-ମହାଭାରତ ଅନନ୍ତ ଜ୍ଞାନର ଭଣ୍ଡାର। ସେଥିରେ ଧର୍ମନୀତି, ରାଜନୀତି, ଜ୍ଞାନ-ବିଜ୍ଞାନ, ଯୋଗ, ଇତିହାସ, ମାନବଶାସ୍ତ୍ର, ରହସ୍ୟ, ଦର୍ଶନ, ଶାସନ ବ୍ୟବସ୍ଥା ଆଦି ବିଷୟ ସମାବେଶ ହୋଇଛି। ଏତେ ପ୍ରାଚୀନ ହେଲେ ମଧ୍ୟ ଆଜି ବି ସେଥିରେ ପ୍ରଦତ୍ତ ଶ୍ରୀମଦ୍ ଗୀତାର ବାଣୀ ଏବଂ ଭୀଷ୍ମ ପିତାମହଙ୍କ ଉପଦେଶ ନୂଆ ପରି ଲାଗୁଛି।

ଫକିର ବାବୁ -ନେତା ହେଉଛି ସଂବିଧାନ, ଆଇନ ରକ୍ଷକ। ସେମାନେ ଯେଭଳି ଆଚରଣ କରିବେ ଅନ୍ୟମାନେ ତାହାକୁ ସେହି ଅନୁରୂପ ଅନୁସରଣ କରିବେ। ସ୍ୱାମୀ ବିବେକାନନ୍ଦ କହିଥିଲେ, ‘ଶିଶୁ ଆପାତତଃ ଅନ୍ୟ ଉପରେ ନିର୍ଭରଶୀଳ ମନେ ହେଉଥିଲେ ହେଁ ସେ ସମଗ୍ର ଗୃହର ରାଜା।’ ନେତା ହେବା ବଡ କଠିନ। ସଙ୍ଗଠନ ପାଖରେ ସର୍ବସ୍ୱ, ଅର୍ଥାତ୍ ନିଜର ସତ୍ତା ପର୍ଯ୍ୟନ୍ତ ବିସର୍ଜନ କରିବାକୁ ପଡିଥାଏ। ଯିଏ ସମସ୍ତଙ୍କର ଦାସ, ସେ ହିଁ ସମସ୍ତଙ୍କର ପ୍ରଭୁ। ଯାହା ପ୍ରେମରେ ଛୋଟ ବଡ଼ ଭାବ ଅଛି, ସେ ନେତା ପଦବାଚ୍ୟ ନୁହେଁ।

ଭବାନୀ ବାବୁ-ଭାରତୀୟ ରାଜନୈତିକ ଦର୍ଶନରେ ଧର୍ମ ଓ ନୈତିକତାର ସ୍ଥାନ ବହୁ ଉଚ୍ଚରେ। ମହାତ୍ମା ଗାନ୍ଧୀ ରାଜନୀତିର ସ୍ତରକୁ ଊର୍ଦ୍ଧ୍ୱକୁ ନେଇ ସର୍ବଦା କହୁଥିଲେ, ଏହା ନିଃସ୍ୱାର୍ଥ ଲୋକସେବା ତଥା ନୈତିକତା ଉପରେ ଆଧାରିତ ହେବା ଉଚିତ। ରାଜନୀତିକୁ ଶ୍ରେଷ୍ଠନୀତି ବୋଲି ମତ ଦେଇ ସେ କହୁଥିଲେ ଯେ ଏହା କ୍ଷମତା ପାଇଁ ଶକ୍ତି ଓ ସଂଘର୍ଷର ତତ୍ତ୍ୱ ନୁହେଁ। ତାଙ୍କ ମତରେ କୌଣସି ଜନସେବା କିମ୍ବା ଲୋକହିତ କାର୍ଯ୍ୟ ଅନୈତିକ ଏବଂ ଅଣ-ଆଧ୍ୟାତ୍ମିକ ମାର୍ଗ ଗ୍ରହଣ କରି କରାଯିବା ଅନୁଚିତ। ଅତଃ ରାଜନୀତି ଆଧ୍ୟାତ୍ମିକ ଏବଂ ନୈତିକ ମୂଲ୍ୟବୋଧର ସଂରକ୍ଷକ ହେବା ଆବଶ୍ୟକ। ସେ କହୁଥିଲେ, ସାଧ୍ୟର ପ୍ରାପ୍ତି ଶୁଦ୍ଧ ସାଧନ ମାଧ୍ୟମରେ କରାଯିବା ଉଚିତ। ଧର୍ମ ଓ ରାଜନୀତିର ସମାହାର ପାଇଁ ଗାନ୍ଧିଜୀ ବହୁ ଉଦ୍ୟମ କଲେ। ସେ ଜାଣିଥିଲେ ଯେ ଧର୍ମ ବ୍ୟକ୍ତିକୁ ନୈତିକ ମୂଲ୍ୟବୋଧ ଓ ସିଦ୍ଧାନ୍ତ ପ୍ରତି ପ୍ରେରିତ କରିଥାଏ। ଧର୍ମକୁ ରାଜନୀତି ସହିତ ସମାବିଷ୍ଟ କରିବା ଦ୍ୱାରା ବ୍ୟକ୍ତି ନୈତିକତା ପ୍ରତି ଆକର୍ଷିତ ହୋଇଥାଏ।

ଏବେକାର ରାଜ ନେତା ରାଜନୀତି ରେ ନୀତିହୀନ ହୋଇ ସ୍ୱାର୍ଥାନୀତ ହୋଇ ଟଙ୍କା ଗଚ୍ଛିତ କରନ୍ତି । ପରେ ପ୍ରବର୍ତନ ବିଭାଗ ସେମାନଙ୍କୁ ଜେଲ ହାଜତରେ ପୁରାଇ ଟଙ୍କା ଜବତ କରେ । ଏଭଳି ଦୃଶ୍ୟ ବହୁ ଲୋକଲୋଚନକୁ ଆସିଛି ।

ଏଥିରେ, ରାସ୍ତା କଡ଼ରେ ଚାଲିବା ଗରିବ ଲୋକଙ୍କ ଜୀବନ ଯାତ୍ରା ସୁଗମ ଭାବରେ ଚାଲିଛି ଏବିଷୟରେ କୌଣସି ଚିନ୍ତା ନାହିଁ । 
ରାଜନେତାମାନେ ଏହି ବିଶାଳ ଅସମାନତାକୁ ସମାନ କରିବା ସେମାନଙ୍କର ଏକମାତ୍ର ଲକ୍ଷ୍ୟ ବୋଲି କହି ଲୋକଙ୍କୁ ଠକି ନିଜର ପକେଟ ପୂରଣ କରୁଛନ୍ତି।

ଆଗକୁ……..


Discover more from

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

ଶ୍ରୀରାମ ମନ୍ଦିର ଠାରେ ଦୋଳ ମେଳଣ

Sun Mar 16 , 2025
ପଟ୍ଟାମୁଣ୍ଡାଇ ୧୬/୩ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକର ବିଭିନ୍ନ ସ୍ଥାନରେ ଦୋଳ ମେଳଣ ପାଳନ ହୋଇଯାଇଛି। ଏହି ଅବସରରେ ପଟ୍ଟାମୁଣ୍ଡାଇ ବଣିକ ସଂଘ ପକ୍ଷରୁ ଶ୍ରୀରାମ ମନ୍ଦିର ଠାରେ ମେଳଣର ଆୟୋଜନ କରାଯାଇଥିଲା। ଏହି ମେଳଣକୁ ପ୍ରାୟ ୧୪ଟି ଦୋଳ ବିମାନ ବିଭିନ୍ନ ଗ୍ରାମରୁ ଆସି ରାମମନ୍ଦିର ପାଢରେ ଏକତ୍ରିତ ହୋଇଥିଲେ। ମେଳଣ ପରେ ସମସ୍ତ ବିମାନରେ ଥିବା ରାଧାକୃଷ୍ଣଙ୍କୁ ଯଥାରୀତି ପୂଜାର୍ଚ୍ଚନା କରାଯାଇଥିଲା। ମେଳଣ ନିକଟରେ ସାରାଦିନ ଭଜନ […]

ଲୋକମତ

Discover more from

Subscribe now to keep reading and get access to the full archive.

Continue reading