
ପଟ୍ଟାମୁଣ୍ଡାଇ୧୮/୯- ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ଏବଂ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ପକ୍ଷରୁ ଡିଜେ ଗାଡ଼ି ଜବତ ଅଭିଯାନ ଜୋରଦାର ଚାଲିଛି। ବେଆଇନ ଡିଜେ ବଜାଉଥିବା ଗାଡ଼ିଗୁଡ଼ିକ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ପୋଲିସ ଗତକାଲି ଚଢ଼ାଉ ବେଳେ ପୋଲିସ ନିୟମ ସଂପୂର୍ଣ୍ଣ ଉଲ୍ଲଂଘନ କରି ବାଜୁଥିବା ଦୁଇଟି ଡିଜେ ଗାଡ଼ିକୁ ଜବତ କରିଥିବା ବେଳେ, ଶୁକ୍ରବାର ରାତ୍ରୀରେ ପୁଣି କଷଣଅଣ୍ଟା ନିକଟରୁ ଆଉ ଗୋଟିଏ ଡିଜେ ଗାଡ଼ିକୁ ଜବତ କରାଯାଇଛି।

ସୂଚନା ଅନୁସାରେ, ଉଚ୍ଚ ଶବ୍ଦରେ ଡିଜେ ବାଜିବା ଦ୍ୱାରା ସ୍ଥାନୀୟ ଅଞ୍ଚଳର ବୟସ୍କ, ଅସୁସ୍ଥ ବ୍ୟକ୍ତି ଓ ପରୀକ୍ଷାର୍ଥୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା। ଏହା ପରେ ଆଦର୍ଶ ଥାନା ପୋଲିସ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ସ୍ପେଶାଲ ଚେକିଂ ଆରମ୍ଭ କରିଥିଲା। ନିର୍ଦ୍ଧାରିତ ମାନଦଣ୍ଡଠାରୁ ଅଧିକ ଶବ୍ଦରେ ବଜାଉଥିବା ଓ ବିନା ଅନୁମତିରେ ଚାଲୁଥିବା ଗାଡ଼ିଗୁଡ଼ିକୁ ସିଜ୍ କରାଯାଉଛି।ଆଜି କଷଣଅଣ୍ଟା ନିକଟରେ ଚେକିଂ ବେଳେ ଏକ ଡିଜେ ଗାଡ଼ି ବିନା ଅନୁମତିରେ ବେଆଇନ ଭାବେ ଚାଲୁଥିବା ଦେଖି ପୋଲିସ ତାହାକୁ ଅଟକାଇ ଜବତ କରିବା ସହ ଥାନାକୁ ଆଣିଛି।ଆଗାମୀ ଦିନରେ ମଧ୍ୟ ଏହିପରି ବେଆଇନ ଡିଜେ ଗାଡ଼ି ଓ ଶବ୍ଦ ପ୍ରଦୂଷଣକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଜାରି ରହିବ ଏବଂ ନିୟମ ନମାନିଲେ ଗାଡ଼ି ମାଲିକ ଓ ଡିଜେ ମାଲିକଙ୍କ ବିରୋଧରେ ଆଇନଗତ ମାମଲା ରୁଜୁ କରାଯିବ ବୋଲି ଆଦର୍ଶ ଥାନା ଅଧିକାରୀ ମାନସ ମଲ୍ଲିକ ସୂଚନା ଦେଇଛନ୍ତି।
