
କେନ୍ଦ୍ରାପଡ଼ା,୧/୬-ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଶଂସିତ ହୋଇଥିବା କେନ୍ଦ୍ରାପଡାର କମଳା ମହାରଣା ତଥା ସମସ୍ତଙ୍କର ପ୍ରିୟ ଜରି ମାଉସୀଙ୍କର ପରଲୋକ ଘଟିଛି । ଗତ ମେ’ ୨୮ରେ ଘରେ ଗୋଡ଼ ଖସିଯିବାରୁ ଆହତ ହୋଇ କଟକର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ । ଶନିବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୬ବର୍ଷ ବୟସ ହୋଇଥିଲା । ଏହି ଖବର ଜଣାପଡ଼ିବା ପରେ ତାଙ୍କ ଘର କେନ୍ଦ୍ରାପଡ଼ା ବ୍ଲକ ଗୁଲନଗରଠାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ରୁଣ୍ଡ ହୋଇଛନ୍ତି ।

ସେ ଦୀର୍ଘ ବର୍ଷ ଧରି ସୁସ୍ଥ ପରିବେଶ ଓ ଅଳିଆ ସାମଗ୍ରୀରୁ ହସ୍ତକଳାକୁ ଗୁରୁତ୍ୱ ଦେଇ ଫୋପଡ଼ା ଯାଉଥିବା ପ୍ଲାଷ୍ଟିକ୍ ଓ ଅନ୍ୟ ସାମଗ୍ରୀକୁ ସମ୍ବଳ କରି ସୁନ୍ଦର ଘରକରଣା ସାମଗ୍ରୀ ତିଆରି କରୁଥିଲେ। ଏହି କାର୍ଯ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମଧ୍ୟ ସାମିଲ କରିଥିଲେ। ତାଙ୍କର ଏହି ବର୍ଜ୍ୟବସ୍ତୁରୁ ଶିଳ୍ପ କଳାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ୯୮ତମ ମନ୍ କି ବାତ ରେଡିଓରେ ପ୍ରସାରଣ କରିଥିଲେ। ସେହିପରି ଗତ ସାଧାରଣ ନିର୍ବାଚନର ପ୍ରଚାର ପାଇଁ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କମଳାଙ୍କ ପାଦ ଛୁଇଁ ଆଶୀର୍ବାଦ ନେବା ଦୃଶ୍ୟ ଦେଶରେ ବହୁ ଚର୍ଚ୍ଚାର ଖୋରାକ୍ ଯୋଗାଇଥିଲା। ସେହିପରି ପ୍ରଧାନମନ୍ତ୍ରୀଙ୍କୁ ଜରିରେ ନିର୍ମିତ ରାକ୍ଷୀ, ‘ଅପରେଶନ ସିନ୍ଦୂର’ ସମୟରେ ଦେଶର ୩ ସେନାଧ୍ୟକ୍ଷଙ୍କ ପାଇଁ ଟୋପି ପଠାଇ ବେଶ ଚର୍ଚ୍ଚାରେ ରହିଥିଲେ କମଳା ମାଉସୀ। ତାଙ୍କର ସୁସ୍ଥ ପରିବେଶ ଓ ବର୍ଜ୍ୟବସ୍ତୁରୁ କାରୁକାର୍ଯ୍ୟ ସମଗ୍ର ଦେଶରେ ଏକ ପ୍ରେରଣାଦାୟୀ କାର୍ଯ୍ୟ ବୋଲି ଉପସ୍ଥିତ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି। ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
