ମେଡିକାଲ କଲେଜ ପ୍ରତିଷ୍ଟା ଘୋଷଣା ପାଇଁ ଦାବୀ

ପଟ୍ଟାମୁଣ୍ଡାଇ ୮/୩ – କେନ୍ଦ୍ରାପଡାରେ ନୂତନ ସରକାରୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଘୋଷଣା କରାଯାଇଛି । ଯାହା ଅଂଚଳର ଉଚ୍ଚଶିକ୍ଷା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ହୋଇପାରିବ ବୋଲି ଶନିବାର କେନ୍ଦ୍ରାପଡା ଜିଲାର ଅଗ୍ରଣୀ ସଂଗଠନ ଜନମଂଚ ପକ୍ଷରୁ ପଟ୍ଟାମୁଣ୍ଡାଇରେ ଏକ ବୈଠକରେ ସଭ୍ୟାମାନେ ସରକାରୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତତ ସହିତ କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ଜନମଂଚ ପକ୍ଷରୁ ଦିର୍ଘ ଦିନର ଦାବୀକୁ ଘୋଷଣା ଓ କାର୍ଯ୍ୟକାରୀ କରିବାକୁ ସଭ୍ୟମାନେ ନିବେଦନ କରିଛନ୍ତି । ପୂର୍ବରୁ ଏଠାରେ କୌଣସି ସରକାରୀ ବିଶ୍ୱବିଦ୍ୟାଳୟ ନଥିବା ବେଳେ ଏହା ଏକକ ନା ସହବନ୍ଧନ ଭାବେ ଗଢାହେବ ତାହା ସ୍ପଷ୍ଠ କରିବା ସହିତ ଆଗାମୀ ଶିକ୍ଷାବର୍ଷରୁ ବିଶ୍ୱବିଦ୍ୟାଳୟ କାର୍ଯ୍ୟକାରୀ କରାଇବାକୁ ସଭାରେ ଦାବୀ ଜଣାଯାଇଛି ।
ପଟ୍ଟାମୁଣ୍ଡାଇ ଅରବିନ୍ଦ ପୂର୍ଣ୍ଣାଙ୍ଗ ସ୍କୁଲ ପରିସରରେ ଜନମଂଚର ବରିଷ୍ଠ ସଭ୍ୟ ପ୍ରଦିପ ସାମନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସଂଗଠନର ଆବାହକ ପ୍ରଫେସର ଦୁର୍ଯ୍ୟଧନ ପରିଡା ଆଲୋଚନାରେ ଯୋଗ ଦେଇ ସଂପ୍ରତି ଆମେରିକା ଇରରାନ ଉପରେ ଆକ୍ରମଣ କରିବା ସହିତ ତାଙ୍କର ସେନାମୂଖ୍ୟଙ୍କୁ ହତ୍ୟାକରିବା , ତାହା ପୂର୍ବରୁ ଭେନେଜୁଲାର ରଷ୍ଟ୍ରପତି ଉପରେ ଆକ୍ରମଣ କରି ଦମ୍ପତିଙ୍କୁ ବନ୍ଦି କରିନେବା , ପରେପରେ କ୍ୟୁବା ଉପରେ ଆକ୍ରମଣ କରିବାକୁ ହୁଁକାର ଦେବା ଓ ରୁଷରୁ ତେଲ କିଣିବାକୁ ଔଦ୍ଧତ ମୂଳକ ଭାବେ ଏକ ମାସ ସମୟସୀମା ଦେବା ଭଳି ଘଟଣାକୁ ସଭାରେ ତିବ୍ର ନିନ୍ଦା କରାଯାଇଥିଲା । ଜାତିସଂଘ ତଥା ପୃଥିବୀର ଜନମତ ଏହି ଆହ୍ୱାନକୁ ସମ୍ମୁଖିନ ହୋଇ ଦୃଢତାର ସହ ଠିଆ ହେବାକୁ ସଭାରେ ଆଲୋଚନା ହୋଇଥିଲା । ଏହି ବୈଠକରେ ସର୍ବେଶ୍ୱର ବାରିକ,ଅଭିମନ୍ୟୁ ମଲ୍ଲିକ, ସର୍ବେଶ୍ୱର ସେଠୀ, ମଳୟ ଉଠଅ, ପ୍ରଫେସର ଦୁର୍ଯ୍ୟଧନ ପରିଡା, କୃପାସିନ୍ଧୁ ସାମଲ, ବିଭୁ ପ୍ରଶାଦ ଦାଶ, ଅନ୍ତର୍ଯ୍ୟାମୀ ପରିଡା ପ୍ରମୁଖ ଆଲୋଚନାରେ ଭାଗ ନେଇଥିବା ବେଳେ ଶେଷରେ ରବିନ୍ଦ୍ର କୁମାର ପରିଡା ଧନ୍ୟବାଦ ଦେଇଥିଲେ ।
