
କେନ୍ଦ୍ରାପଡ଼ା, ୫ା୩: ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲା ସ୍ତରୀୟ ଗ୍ରୀଷ୍ମ ପ୍ରବାହ ପ୍ରତିକାର ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଗ୍ରୀଷ୍ମ ପ୍ରବାହର ମୁକାବିଲା କରିବା ନିମନ୍ତେ ଏହି ବୈଠକରେ ଆଲୋଚନା ହୋଇଥିଲା । ଜିଲ୍ଲାର ବିଭିନ୍ନ ସ୍ଥାନମାନଙ୍କରେ ପିଇବା ପାଣି ଟାଙ୍କିର ବ୍ୟବସ୍ଥା କରାଯିବା, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ, ପୌର ପରିଷଦ ନିର୍ବାହୀ ଅଧିକାରୀ ଏବଂ ବିଡିଓମାନେ ଏଥିପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବା, ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ଜଳଛତ୍ର ଖୋଲିବା ସହ ବିଶୁଦ୍ଧ ପାନୀୟ ଜଳ ପ୍ରଦାନ କରିବାର ବ୍ୟବସ୍ଥା କରିବା, ନାଳ ତଥା କେନାଲରେ ଆବଶ୍ୟକସ୍ଥଳେ ପାଣି ଛାଡିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ। ଏଥିସହିତ ବିଦ୍ୟାଳୟକୁ ପିଲାମାନେ ସାଙ୍ଗରେ ପାଣି ବୋତଲ ଧରି ଆସିବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପରାମର୍ଶ ଦେବା ସହ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀଙ୍କୁ ଗର୍ଭବତୀ ମା’ ମାନଙ୍କୁ ସତର୍କତା ଅବଲମ୍ବନ କରିବା, ପରିବହନ ଅଧିକାରୀଙ୍କୁ ଯାତାୟତ ବସରେ ପାନୀୟ ଜଳ ବ୍ୟବସ୍ଥା କରିବା ପାଇଁ ପରାମର୍ଶ ଦିଆଯାଇଥିଲା। ବିଦ୍ୟୁତ ବିଭାଗକୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସହ ଆବଶ୍ୟକସ୍ଥଳେ ବିଦ୍ୟୁତ କାଟ କରିବା ପୂର୍ବରୁ ଡାକବାଜି ଯନ୍ତ୍ର ଯୋଗେ ପ୍ରାକ୍ ସୂଚନା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଓ.ଆର.ଏସ. ଏବଂ ଆବଶ୍ୟକୀୟ ଔଷଧ, ସ୍ୱତନ୍ତ୍ର ଅଂଶୁଘାତଜନିତ ୱାର୍ଡ ଏବଂ ଅଂଶୁଘାତଜନିତ ମୃତ୍ୟୁକୁ ତହସିଲଦାର ଏବଂ ମେଡ଼ିକାଲ ଅଫିସରଙ୍କ ମିଳିତ ଅନୁସନ୍ଧାନ ପରେ ତୁରନ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଥିଲା। ଆସନ୍ତା ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ଏକ ଆପାତକାଳୀନ କଣ୍ଟ୍ରୋଲ ରୁମ ପରିଚାଳିତ କରି ଜନସାଧାରଣଙ୍କୁ ଆବଶ୍ୟକ ଅନୁଯାୟୀ ସାହାଯ୍ୟ ଯୋଗାଇବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କୁ ନିୟମ ଅନୁଯାୟୀ ସରକାରଙ୍କ ପ୍ରଦତ୍ତ ଗାଇଡଲାଇନ ଅନୁସାରେ ଗଣମାଧ୍ୟମ ସହାୟତାରେ ସଚେତନତା ସୃଷ୍ଟି କରିବା ନିମନ୍ତେ ପରାମର୍ଶ ଦିଆଯାଇଥିଲା। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନୀଲୁ ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ପ୍ରମୋଦ କୁମାର ପ୍ରହରାଜ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ସମସ୍ତ ବିଡିଓ ଏବଂ ତହସିଲଦାର, ଡେପୁଟି କଲେକ୍ଟର, କେନ୍ଦ୍ରାପଡା ପୌରପାଳିକା ନିର୍ବାହୀ ଅଧିକାରୀ, ଅଧୀକ୍ଷଣ ଯନ୍ତ୍ରୀ (ରାସ୍ତା ଏବଂ କୋଠାବାଡି, ଜନ ସ୍ୱାସ୍ଥ୍ୟ ବିଭାଜନ, ଗ୍ରାମ୍ୟ ଉନ୍ନୟନ), ଆଞ୍ଚଳିକ ପରିବହନ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।
Discover more from
Subscribe to get the latest posts sent to your email.