- କୁଜଙ୍ଗ ରାଜକୁମାରୀ କାନୀକାଙ୍କୁ ବିବାହ କରି ରାଜା ବୀରଭଦ୍ର ଭଞ୍ଜ ଏହି ଅଞ୍ଚଳର ନାମ କରଣ କରିଥିଲେ ରାଜକନିକା ।
- ରାଜା ବୀରଭଦ୍ର ରାଣୀ କାନୀକା ରହୁଥିବା ଜଙ୍ଗଲ ଭିତର ଅଞ୍ଚଳର ନାମକରଣ କରିଥିଲେ ଭିତରକନିକା ।
କେନ୍ଦ୍ରାପଡା ଜିଲ୍ଲା ଭିତରକନିକା ଡାଙ୍ଗମାଳର ବାଙ୍କୁଆଳ ଗାଁରେ କେଉଁ କାଳରୁ ମା ଜୟଦୁର୍ଗା, ଅନନ୍ତ ନାରାୟଣ, ନାଗା ଗୋସେଇଁ , ବୁଦ୍ଧଦେବ ଆଉ କପିଳେଶ୍ୱର ପୂଜା ପାଇ ଆସୁଛନ୍ତି । କେବେ କିଏ କେମିତି ଏହି ଦେବତା ମାନଙ୍କୁ ଏଠି ସ୍ଥାପନ କଲେ ତାହାତ କେହି ଦେଖିନାହାନ୍ତି ସତ ହେଲେ ଏହି ଠାକୁର ମାନଙ୍କ ସ୍ଥାପନା ସମ୍ପର୍କରେ ଯାହା ଶୁଣାଯାଏ ତାହା ପ୍ରାୟ ୨୦୦ ବର୍ଷର ଐତିହାସିକ ଘଟଣାକୁ ସୂଚନା ଦିଏ ।
ନିଜ ନିଜ ବାପା ଅଜାଙ୍କ ଠାରୁ ଏଯାଏ ଶୁଣିଶୁଣି ଆସୁଥିବା ଏହି ଠାକୁରଙ୍କ କାହାଣୀ ସମ୍ପର୍କରେ , ସ୍ଥାନୀୟ ଗ୍ରାମର ପୁରୁଖା ଲୋକ ଯାହା କୁହନ୍ତି । କୁଜଙ୍ଗର ଷଣ୍ଢ ରଜାଙ୍କର ଦୁଇଟି ରାଣୀ ଥିଲେ । ବଡରାଣୀ ପାଟ ମହାଦେଇ ଓ ସାନରାଣୀ ଲକ୍ଷ୍ମୀ ମହାଦେଇ । ପାଟ ମହାଦେଇଙ୍କ କନ୍ୟା, ରାଜକୁମାରୀଙ୍କ ନାମ କାନିକା ଥିଲା । ରଜାଙ୍କ ଦେହାନ୍ତ ପରେ ବଡରାଣୀ ପାଟ ମହାଦେଇଙ୍କର ମଧ୍ୟ ଦେହାନ୍ତ ହୋଇଥିଲା । କାନୀକା ରାଜକୁମାରୀଙ୍କୁ ହତ୍ୟାକରି ସମସ୍ତ ରାଜ୍ୟର ଅଧିକାରୀ ହେବାକୁ ସାନରାଣୀ ଲକ୍ଷ୍ମୀ ମହାଦେଇ ଚକ୍ରାନ୍ତ ଆରମ୍ଭ କରିଥିଲେ । ରାଜାଙ୍କର ମନ୍ତ୍ରୀ ଓ ସେନାପତି ଏହି ଚକ୍ରାନ୍ତ ଜାଣିପାରି କାନୀକା ରାଜକୁମାରୀଙ୍କୁ ସୁରକ୍ଷା ଦେବାକୁ ସମୁଦ୍ରରେ ବାଣିଜ୍ୟ ବ୍ୟବସାୟ କରି ଯାଉଥିବା ବୋଇତରେ ସାଧବ ପୁଅ ମାନଙ୍କ ସହିତ ପଠାଇ ଦେଇଥିଲେ । ଏହି ସାଧବ ପୁଅମାନେ ରାଜକୁମାରୀ କାନୀକାଙ୍କୁ ଆଣି ଏହି ବିଶାଳ ଜଙ୍ଗଲ ଅଞ୍ଚଳରେ ରହୁଥିଲେ । ତେଣେ ମୟୁରଭଞ୍ଜର ରାଜକୁମାର ବୀରଭଦ୍ର ଭଞ୍ଜ ଏହି ଅଞ୍ଚଳକୁ ବୁଲି ଆସିଥିଲେ । କାନୀକା ରାଜକୁମାରୀଙ୍କ ସମ୍ପର୍କରେ ଜାଣି ସେ କାନୀକା ରାଜକୁମାରୀଙ୍କୁ ବିବାହ କରିଥିଲେ । ସେବେଠାରୁ ଏହି ଅଞ୍ଚଳର ନାମକରଣ ହୋଇଥିଲା ରାଜକାନିକା । ଯେଉଁ ଜଙ୍ଗଲ ପରିପୂର୍ଣ୍ଣ ଅଞ୍ଚଳ ଭିତରେ ରାଜକୁମାରୀ କାନୀକା ରହୁଥିଲେ , ରାଜା ସେହି ଜଙ୍ଗଲ ଅଞ୍ଚଳର ନାମ ରଖିଥିଲେ ଭିତରକାନିକା । ଯାହା ଏବେ ଭିତର କନିକା ରୁପେ ଜଣାଶୁଣା । ରାଜା ବୀରଭଦ୍ର ଭଞ୍ଜ ଥିଲେ ଜଗନ୍ନାଥଙ୍କ ପରମ ଭକ୍ତ । ସେତେବେଳେ ରାଜା ଜଗନ୍ନାଥଙ୍କ ନିକଟରେ ଏକ ସ୍ୱତନ୍ତ୍ର ପ୍ରକାରର ବ୍ୟଞ୍ଜନ ଭୋଗ ଲାଗି କରୁଥିଲେ । ରଜା ଜଗନ୍ନାଥଙ୍କ ନିକଟରେ ଲାଗି କରୁଥିବା ସେହି ଭୋଗର ନାମ କରଣ ମଧ୍ୟ କାନୀକା ରଖିଥିଲେ । ଯାହା ଏବେ ମଧ୍ୟ ଚାଉଳ ଓ ଗୁଆ ଘିଅରେ ପ୍ରସ୍ତୁତ କାନୀକା ସର୍ବାଦୃତ ପ୍ରିୟ ସୁସ୍ୱାଦୁ ଖାଦ୍ୟ । କାନୀକା ରାଜା ବୀରଭଦ୍ରଙ୍କୁ ବିବାହ କରିବାପରେ ରାଣୀ କାନୀକାଙ୍କର ଜନ୍ମ ସ୍ଥାନ କୁଜଙ୍ଗ ରାଜ୍ୟକୁ ବୁଲି ଯାଇଥିଲେ । ବିବାହ ବେଳେ ରାଜକୁମାରୀ କାନୀକା କିଛି ଯୌତୁକ ନେଇ ନଥିବାରୁ ତାଙ୍କ ବାପଘର ଲୋକେ କାନୀକାଙ୍କୁ କ’ଣ ଯୌତୁକ ନେବାକୁ କହିଥିଲେ । ରାଜକୁମାରୀ କାନୀକା କୁଜଙ୍ଗ ରାଜବାଟୀର ପ୍ରଖ୍ୟାତ ଦେବଦେବୀଙ୍କୁ ଯୌତୁକ ଭାବେ ନେବାକୁ ଦାବି କରିବାରୁ, ମା ଜୟଦୁର୍ଗାଙ୍କ ସହ ଅନ୍ୟ ଦେବାଦେବୀଙ୍କୁ ମଧ୍ୟ ସେ ଯୌତୁକରେ ପ୍ରାପ୍ତ ହୋଇଥିଲେ । ଏହି ଠାକୁର ମାନଙ୍କୁ ଆଣି ରାଜକୁମାରୀ କାନୀକା ଏହିଠାରେ ଥିବା ଜଙ୍ଗଲରେ ସ୍ଥାପନ କରିଥିଲେ ବୋଲି କୁହାଯାଏ ।
ଭିତରକନିକା ଜଙ୍ଗଲର ସୁରକ୍ଷା ପାଇଁ ଯେତେବେଳେ ସରକାର ଚିନ୍ତାକଲେ ସେତେବେଳେ ଏହି ଜଙ୍ଗଲ ଅଞ୍ଚଳରେ ନିଳମଣି ମହାନ୍ତି ନାମକ ଜଣେ ଫରେଷ୍ଟରଙ୍କୁ ନିଯୁକ୍ତି ଦେଇଥିଲେ । ନିଳମଣି ଏହି ଅଞ୍ଚଳରେ ଜଙ୍ଗଲ ସୁରକ୍ଷା ନିମନ୍ତେ ବୁଲୁବୁଲୁ ଠାକୁର ମାନଙ୍କ ସନ୍ଧାନ ପାଇଥିଲେ । ଏହାପରେ ରାଜକନିକାର ତରାସ ଗାଁର ରଘୁନାଥ ସାମନ୍ତରାୟ ନାମକ ଜନୈକ ବ୍ୟକ୍ତି ଠାକୁରଙ୍କ ପାଇଁ ଚାଳଘର ନିର୍ମାଣ କରିଦେଇଥିଲେ । କନିକା ରାଜା ଠାକୁରଙ୍କ ପୂଜାପାଇଁ ବାହାରୁ ଦୁଇଜଣ ବ୍ରାହ୍ମଣ ବ୍ୟବସ୍ଥା କରି ସେମାନଙ୍କୁ ଜମିବାଡି ଦେଇଥିଲେ ।
ସେବେଠାରୁ ଚାଳଛପର ମନ୍ଦିରରେ କୁଜଙ୍ଗ ରାଜବାଟୀର ପ୍ରତ୍ୟକ୍ଷ ଦେବୀ ମା ଜୟଦୁର୍ଗା , ନାଗା ଗୋସାଇଁ, ବୁଦ୍ଧଦେବ, ଅନନ୍ତନାରାୟଣ ଓ କପିଳେଶ୍ୱର ପୂଜା ପାଇ ଆସୁଥିଲେ । ମା ଜୟଦୁର୍ଗା ଏମିତି ପ୍ରତ୍ୟକ୍ଷ ଦେବୀ ଯେ କାହି କେଉଁକାଳରୁ ଭକ୍ତିରେ ଭକ୍ତଙ୍କ ମନବାଞ୍ଛା ପୁରଣ କରିଆସୁଛନ୍ତି । ରୋଗ ବୈରାଗ,ଦୁଃଖ ସୁଖ, ହାନି ଲାଭରେ ଏହି ଅଞ୍ଚଳ ବାସୀଙ୍କୁ ଦୁର୍ଗା ମା ହିଁ କେବଳ ସାହା ହୋଇଥାନ୍ତି । ୨୦୨୦ ମସିହାରେ ମା ଙ୍କୁ ଚାଳଛପର ମନ୍ଦିରରୁ ଦେଉଳରେ ସ୍ଥାପନ କରାଯାଇଛି । ସେଠାରେ ୩ଟି ଦେଉଳ ରହିଛି । ଗୋଟିଏ ଦେଉଳରେ ମା ଜୟଦୁର୍ଗାଙ୍କୁ ,ଅନ୍ୟ ଏକ ଦେଉଳରେ ବୁଦ୍ଧଦେବ ଓ ଅନନ୍ତନାରାୟଣଙ୍କୁ ପ୍ରତିଷ୍ଠା କରାଯାଇଛି। ସେହିପରି ଅନ୍ୟ ଏକ ମନ୍ଦିରରେ ନାଗା ଗୋସେଇଁ ପୂଜା ପାଉଛନ୍ତି ।
Discover more from
Subscribe to get the latest posts sent to your email.
Hi, this is a comment.
To get started with moderating, editing, and deleting comments, please visit the Comments screen in the dashboard.
Commenter avatars come from Gravatar.