ଉତ୍କଳଗୌରବଙ୍କ ଜନ୍ମଜୟନ୍ତୀ ପାଳନ
ପଟ୍ଟାମୁଣ୍ଡାଇ : ୨୮/୦୪-ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକ ମଂଚ ଆନୁକୁଲ୍ୟରେ ସୋମବାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମଦିବସ ପାଳନ କରାଯାଇଅଛି। ମଂଚର କାର୍ଯ୍ୟକାରୀ ସଭାପତି କଣ୍ଡୁରୀ ଚରଣ ସ୍ୱାଇଁଙ୍କ ପୈାରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ପାଦକ ଭରତ ଚନ୍ଦ୍ର ପାତ୍ର, କୋଷାଧ୍ୟକ୍ଷ ଚତୁର୍ଭୁଜ ରାଉଳ, ନାଟ୍ୟକାର ଗୋଲକ ମହାରଣା, ପ୍ର. କୈଳାସ ଚନ୍ଦ୍ର ପାତ୍ର, ବିଜୟ କୁମାର ସାହୁ, କଥାକାର ପ୍ରଦୀପ ନାୟକ, ଶ୍ରୀକାନ୍ତ କୁମାର ଲେଙ୍କା ଆଦି ଯୋଗଦେଇ ମଧୁବାବୁଙ୍କ ଜୀବନ ଓ ସଂଘର୍ଷ ବିଷୟରେ ଆଲୋକପାତ କରି କହିଥିଲେ ଯେ ମଧୁସୂଦନ ଦାସ କଟକ ଜିଲ୍ଲାର ସତ୍ୟଭାମାପୁରରେ ୧୮୪୮ ଅପ୍ରେଲ ୨୮ରେ କରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ପିତା ଚୌଧୁରୀ ରଘୁନାଥ ଦାସ ଓ ମାତା ପାର୍ବତୀ ଦେବୀଙ୍କ ପୁଅ ମଧୁସୂଦନ । ତାଙ୍କର ପାଠପଢ଼ା ସତ୍ୟଭାମାପୁରର ଗାଁ ଚାଟଶାଳୀରୁ ଆରମ୍ଭ ହୋଇଥିଲା । ଚାଟଶାଳୀ ପଢ଼ା ଶେଷ କରି ୧୩ ବର୍ଷ ବୟସରେ କଟକ ଇଂରାଜୀ ବିଦ୍ୟାଳୟରେ ନାମ ଲେଖାଇଥିଲେ । ଇଂରାଜୀ ବିଦ୍ୟାଳୟରେ ପାଠ ପଢିବା ପାଇଁ ତାଙ୍କ ଆଇ ମନା କରିଥିଲେ। ନାତି ଇଂରାଜୀ ପଢିଲେ କାଳେ ‘କିରସ୍ତାନ ବା ଖ୍ରୀଷ୍ଟିଆନ’ ହୋଇଯିବେ ବିଲି ତାଙ୍କର ଆଶଂଙ୍ଖା ଥିଲା। ୧୮୬୪ରେ ମଧୁସୂଦନ ଅନ୍ୟ ଚାରିଜଣଙ୍କ ସହ କଟକ ସ୍କୁଲରୁ ଦ୍ୱିତୀୟ ଶ୍ରେଣୀରେ ଏଣ୍ଟ୍ରାନ୍ସ ପାସ କରିଥିଲେ । ଏହାପରେ ସେ ବାଲେଶ୍ୱରରେ କିରାଣି ଚାକିରିଟିଏ କଲେ । କିଛି ପଇସା ସଞ୍ଚୟ କରି ସେ ଉଚ୍ଚଶିକ୍ଷା ପାଇଁ କଲିକତା ଯାତ୍ରା କରିଥିଲେ। ୧୮୭୦ରେ ସେ ବି.ଏ. ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । କଲିକତାରେ ଅମ୍ବିକା ପ୍ରସାଦ ହାଜିରା ନାମକ ବଙ୍ଗୀୟ ଖ୍ରୀଷ୍ଟିୟାନ ପାଦ୍ରୀଙ୍କ ସହିତ ସେ ପରିଚିତ ହେଲେ । ଅମ୍ବିକା ପ୍ରସାଦ ମଧୁସୂଦନଙ୍କର ଉଚ୍ଚଶିକ୍ଷାପ୍ରତି ଆଗ୍ରହ ଦେଖି ତାଙ୍କୁ ଏ ଦିଗରେ ସାହାଯ୍ୟ କଲେ । ସେଠାରେ ସେ ଖ୍ରୀଷ୍ଠିଆନ ଧର୍ମ ଗ୍ରହଣ କରିଥିଲେ । ପରବର୍ତି ସମୟରେ ସେ ହେଲେ ପ୍ରଥମ ଭାରତୀୟ ଖ୍ରୀଷ୍ଟିଆନ ମଣ୍ଡଳର ସଭାପତି । ପରେ ସେ ଇଂରାଜୀ ସାହିତ୍ୟରେ ଏମ୍.ଏ. ପାସ କଲାପରେ କଲିକତାରେ କେତେକ ସ୍କୁଲରେ ଶିକ୍ଷକତା କଲେ । ତତ୍କାଳିନ କଲିକତାରେ କଲେଜ ପାଠ ପଢ଼ିବା ନିମନ୍ତେ ଏଣ୍ଟ୍ରାନ୍ସ ପରୀକ୍ଷା ପାସ କରିବା ଦରକାର ପଡୁଥିଲା । ଏଣ୍ଟ୍ରାନ୍ସ ପରୀକ୍ଷା ନିମନ୍ତେ ଏକ ଛାତ୍ର ସହାୟକ ପୁସ୍ତକ ‘ମଡେଲ କୋଶ୍ଚିନ୍ସ’ ରଚନା କରିଥିଲେ । ଗଣିତ ଓ ଭୂଗୋଳରେ ତାଙ୍କର ଭଲ ଦଖଲ ଥିଲା । ନିଜର ଗୁଣ ଓ କର୍ମନିଷ୍ଠା ବଳରେ ସେ କଲିକତାର ଶ୍ରୀରାମପୁର କଲେଜରେ ଅଧ୍ୟାପକ ଭାବରେ ନିଯୁକ୍ତ ହେଲେ । ଛାତ୍ର ଛାତ୍ରୀମାନଙ୍କର ଅତି ପ୍ରିୟ ମଧୁବାବୁ କଲିକତା ବିଶ୍ୱବିଦ୍ୟାଳୟରୁ ବି.ଏଲ୍. ପାସ କରିଥିଲେ । କଲିକତାରେ ବହୁ ଓଡିଆ ବସବାସ କରୁଥିଲେ । ସେମାନଙ୍କର ଶିକ୍ଷାଗତ ଉନ୍ନତି ପାଇଁ ମଧୁବାବୁ କଲିକତାରେ ନୈଶ ବିଦ୍ୟାଳୟ ସ୍ଥାପନା କରାଇଥିଲେ ।ଓଡ଼ିଶାବାସୀଙ୍କ ପାଇଁ ଆଇନଜୀବୀ ଭାବରେ ମଧୁସୂଦନ ଦାସଙ୍କ ଗୌରବାଜ୍ୱଳ ଅବଦାନ ହେଲା
ମଧୁ ବାବୁ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଥିଲେ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଜାଗ୍ରତ ପ୍ରହରୀ ମଧୁସୂଦନଙ୍କର ଓଡ଼ିଶା ପ୍ରତି ଅତୁଳନୀୟ ଅବଦାନ ଥିଲେ ମଧ୍ୟ ରାଷ୍ଟ୍ରମର୍ଯ୍ୟାଦା ପାଇବାରୁ ସେ ବଞ୍ଚତ୍ତ ହୋଇଛନ୍ତି। ସେଥିପାଇଁ ସମସ୍ତେ ମଧୁବାବୁଙ୍କ ଜନ୍ମଦିବସକୁ ଓକିଲ ଦିବସରେ ସୀମିତ ନ ରଖି ତାକୁ ରାଷ୍ଟ୍ର ଦିବସ ରୂପେ ପାଳନ କଲେ ତାଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ମତପ୍ରକାଶ କରିଥିଲେ।
ମଧୁବାବୁ ଥିଲେ ଏକାଧାରରେ ଜଣେ ସମାଜ ସଂସ୍କାରକ, ସାହିତ୍ୟ ସାଧକ, ଉକତ୍ଳ ସମ୍ମିଳନୀର ପ୍ରତିଷ୍ଠାତା, ଶିଳ୍ପୋଦ୍ୟୋଗୀ, କଳାପ୍ରେମୀ, ଶିକ୍ଷାବିତ୍, ଦାର୍ଶନିକ, ବ୍ୟବସ୍ଥାପକ, ଜନନାୟକ ଏବଂ ରାଷ୍ଟ୍ରନାୟକ। ମଧୁବାବୁ ପ୍ରଥମ ଓଡ଼ିଆ ଗ୍ରାଜୁଏଟ୍, ପ୍ରଥମ ଓଡ଼ିଆ ଏମ୍.ଏ.। ସେ ଥିଲେ ପ୍ରଥମ ବିଲାତ ଯାତ୍ରୀ, ପ୍ରଥମ ଓଡ଼ିଆ ଓକିଲ। ସେ ଥିଲେ ପ୍ରଥମ ଓଡ଼ିଆ ମନ୍ତ୍ରୀ ଏବଂ ମନ୍ତ୍ରୀପଦ ଅବୈତନିକ ଦାବି କରି ଇସ୍ତଫା ଦେବାରେ ଭାରତର ପ୍ରଥମ ମନ୍ତ୍ରୀ। ଛୋଟଲାଟ୍ ସଭା ଏବଂ ବଡ଼ଲାଟ୍ ସଭାରେ ସେ ଥିଲେ ପ୍ରଥମ ଓଡ଼ିଆ ସଦସ୍ୟ। ସେ ଥିଲେ ପ୍ରଥମ ଭାରତୀୟ ଖ୍ରୀଷ୍ଟିଆନ୍ ମଣ୍ଡଳର ସଭାପତି ଓ ଜଣେ ଭଲ ଲେଖକ ଏବଂ କବି ,ସେ ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ପ୍ରଖ୍ୟାତ ଜାତୀୟବାଦୀ ନେତା ତଥା ଜଣେ ବିଶିଷ୍ଟ ଆଇନଜ୍ଞ ଓ ଦେଶବତ୍ସଳ ନାୟକ ରୂପେ ମଧୁସୂଦନ ଦାସଙ୍କର ଓଡ଼ିଶା ପାଇଁ ସର୍ବଶ୍ରେଷ୍ଠ ଅବଦାନ ରହିଥିଲା।
ସେ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିବା ପରେ ସାମାଜିକ ଚଳଣି ଅନୁସାରେ ତାଙ୍କ ପିତା ତାଙ୍କ ସହ ସମ୍ବନ୍ଧ ତୁଟାଇ ଦେଇଥିଲେ । ଏଣୁ ସେ ଗାଁ ବାହାରେ କୋଠିଟିଏ ଗଢ଼ାଇ ସେଠାରେ ବସବାସ କରୁଥିଲେ । ତାଙ୍କ ମା’ ପାର୍ବତୀ ଦେବୀ ତାଙ୍କ ପାଖକୁ ସକାଳେ ଓ ସଞ୍ଜରେ ଦେଖାକରି ସେକାଳର ଚଳଣି ଅନୁସାରେ ଗାଁ ମୁଣ୍ଡରେ ଥିବା ରସକୁଣ୍ଡ ପୋଖରୀରେ ଗାଧୋଇ ଘରକୁ ଆସୁଥିଲେ ।ମଧୁବାବୁ ଖ୍ରୀଷ୍ଟିଆନ ହେଲା ପରେ ତାଙ୍କ ପାଇଁ ମୁସଲମାନ ରାନ୍ଧୁଣିଆ ଜଣେ ତାଙ୍କ କୋଠିରେ ରାନ୍ଧୁଥିଲେ । ଏହି ଘରର ନାମ ବାବର୍ଚ୍ଚିଖାନା ବୋଲେି ରଖାଯାଇଥିଲା ବୋଲି ସେମାନେ କହିଥିଲେ । ଆହୁରି ମଧ୍ୟ ସତି ଚଉରା ବିଷୟ ଅଲୋଚନା କରି ଶିକ୍ଷାବିତ କଂଣ୍ଡୁରି ଚରଣ ସ୍ୱାଇଁ କହିଥିଲେ ମଧୁବାବୁଙ୍କ ନିଜ ପଣ ଜେଜେମା କୃଷ୍ଣାଦେଈ ପତି ସୁଦର୍ଶନଙ୍କ ଚିତାନଳରେ ଝାସ ଦେଇ ସତୀ ହେବା ଘଟଣାରେ ମର୍ମାହତ ହୋଇ କଟକରେ ସତୀ ଚଉରା ଗଢ଼ାଇଥିଲେ । ଏବେ ଏହା ଅବହେଳିତ ହୋଇ ଜଣଙ୍କ ବ୍ୟକ୍ତିଗତ ମାଲିକାନାରେ ରହିଛି । ଏଠାରେ ଥିବା ପିଣ୍ଡି ମାଟିରେ ମିଶିଗଲାଣି ।
ମଧୁବାବୁ ଶିଳ୍ପର ଉନ୍ନତି ପାଇଁ କଟକର ସୁନାରୂପାର ତାରକସି କାମ କରିବାର ବ୍ୟବସ୍ଥା କରାଇଥିଲେ । ଲଣ୍ଡନ ଯାଇଥିବା ବେଳେ ସେ ସେଠାରେ ଏହିସବୁ କାମର ଏକ ପ୍ରଦର୍ଶନୀର ଆୟୋଜନ କରିଥିଲେ । କଟକରେ ସେ ଉତ୍କଳ ଟ୍ୟାନେରୀ ନାମକ ଜୋତା କାରଖାନା ପ୍ରତିଷ୍ଠା ମଧ୍ୟ କରିଥିଲେ ।
ତାଙ୍କ ଅନ୍ତନଳୀରେ ଘା’ ହୋଇଥିବାରୁ ୧୯୩୪ ମସିହା ଫେବୃୟାରୀ ୪ ତାରିଖ ରାତି ୧.୨୦ ମିନଟ ସମୟରେ ତାଙ୍କ ଜୀବନ ଦୀପ ଲିଭି ଯାଇଥିଲା ବୋଲି ବକ୍ତାମାନେ ମତରଖିଥିଲେ । ଶେଷରେ ପ୍ରମୋଦ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
Discover more from
Subscribe to get the latest posts sent to your email.