
ପଟ୍ଟାମୁଣ୍ଡାଇ ତା ୪/୮- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ପଂଚାୟତ ଦାମୋଦରପାଟଣା ଗ୍ରାମର ସୁଚିତ୍ରା ଦାସ (୪୬) ଗତକାଲି ସକାଳ ୫ଟା ସମୟରେ ସବୁ ଦିନ ପରି ବ୍ରାହ୍ମଣୀ ନଦୀକୁ ଶୌଚ ହେବାକୁ ଯାଇଥିଲେ । ମାତ୍ର ଦୀର୍ଘ ସମୟ ପରେ ସେ ଘରକୁ ନଫେରିବାରୁ ପରିବାର ଓ ଗ୍ରାମବାସୀ ନଦୀକୂଳରେ ଖୋଜାଖୋଜି କରି ନପାଇବାରୁ ପଟ୍ଟାମୁଣ୍ଡାଇ ଦମକଳ ବାହିନୀକୁ ଖବର ଦେଇଥିଲେ । ଏହି ଖବର ପ୍ରଚାରିତ ହେବା ପରେ ନଦୀ କୂଳ ଲୋକାରଣ୍ୟ ହୋଇ ପଡିଥିଲା । ପଟ୍ଟାମୁଣ୍ଡାଇ ପ୍ରଶାସନିକ ଅଧିକାରୀ ପୋଲିସ ଓ ବନ ବିଭାଗ ଅଧିକାରୀଙ୍କ ସହିତ ଅଗ୍ନିଶମ ବାହିନୀ ସୁବାଷ ନନ୍ଦଙ୍କ ନେତୃତ୍ୱରେ ବ୍ରାହ୍ମଣୀ ନଦୀ ମଧ୍ୟରେ ବୋଟ ସହାୟତା ରେ ନିଖୋଜ ମହିଳାଙ୍କ ଖୋଜାଖୋଜି ଆରମ୍ଭ କରିଥିଲେ । ମାତ୍ର ଗତକାଲି ଉକ୍ତ ମହିଳାଙ୍କ କୌଣସି ପତ୍ତା ମିଳିନଥିଲା । ଆଜି ପୁନଃରାୟ ଅଗ୍ନିଶମ ବାହିନୀ ଖୋଜାଖୋଜି କରିବା ପରେ ଆଜି ଦିନ ୧. ୧୫ ମିନିଟ ସମୟରେ ରାମନାହାକଡିଆ ଝାଡ଼ ମହାପୁରୁଷଙ୍କ ନିକଟରେ ଥିବା ନଦୀରୁ ମହିଳାଙ୍କ ମୃତ ଦେହ ମିଳିଥିଲା । କୁମ୍ଭୀର ଆକ୍ରମଣରେ ମୃତ ମହିଳା ସୁଚିତ୍ରା ଦାସ ସ୍ଥାନୀୟ ଦାମୋଦର ପାଟଣା ନୋଡାଲ ସ୍କୁଲରେ ପାଚିକା ଭାବେ କାମ କରନ୍ତି । ସ୍ୱାମୀ ଖଗେଶ୍ୱର ଦାସ ଅତ୍ୟନ୍ତ ଗରିବ । ମୃତ ପରିବାରକୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି ।
