ଶ୍ରୀକ୍ଷେତ୍ର ଶହେ କଥା’ ପୁସ୍ତକ ଲୋକାର୍ପଣ ଓ ପ୍ରତିଭା ସମ୍ମାନ

ପଟ୍ଟାମୁଣ୍ଡାଇ ୬/୭ -ପଟ୍ଟାମୁଣ୍ଡାଇ ପ୍ରତିଭା ସମ୍ମାନ ପରିଷଦ ଆନୁକୁଲ୍ୟରେ ରବିବାର ବଡଏକାଦଶୀ ମହାପ୍ରଭୁଙ୍କ ସୁନାବେଶ ଦିନ ସ୍ଥାନୀୟ ଟାଉନ ହଲ ପରିସରରେ କଥାକାର ତଥା ଗବେଷକ ଡ. ନିଳମଣୀ ଲେଙ୍କାଙ୍କ ୨୬ ତମ ‘ଶ୍ରୀକ୍ଷେତ୍ର ଶହେ କଥା’ ପୁସ୍ତକ ଲୋକାର୍ପଣ ଓ ପ୍ରତିଭା ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ଲେଙ୍କାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୂଖ୍ୟ ଅତିଥିଭାବେ ମାନସ ଭୂଷଣ ପଣ୍ଡିତ ହୁଷିକେଶ ରଥ ଯୋଗ ଦେଇଥିବା ବେଳେ ମୂଖ୍ୟବକ୍ତ ଭାବେ ବାରୋ ଭାବଗ୍ରାହୀ କଳାନିକେତନ ପ୍ରତିଷ୍ଠାତା ସଙ୍ଗିତଜ୍ଞ ବିମଲ ପରିଡା, ଅଧ୍ୟାପକ ଦିଲ୍ଲିପ ମହାପାତ୍ର ଯୋଗ ଦେଇ ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ଆଲୋକପାତ କରି କହିଥିଲେ ଯେ ଶ୍ରୀଜଗନ୍ନାଥ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱସ୍ତରରେଦ୍ଧ୍ୟ ପରିଚିତ। ଶ୍ରୀଜଗନ୍ନାଥ ସଂସ୍କତିରେ ବେଦ, ଗୀତା, ତ୍ରିପିଟକ, କଳ୍ପସୂତ୍ର, ବାଇବେଲ, କୋରାନା ଇତ୍ୟାଦି ଧର୍ମଗ୍ରନ୍ଥର ତତ୍ୱ ନିହିତ ହୋଇ ରହିଛି । ଶ୍ରୀଜଗନ୍ନାଥ ସମଗ୍ର ବିଶ୍ୱ ଧର୍ମ ଦର୍ଶନର କେନ୍ଦ୍ରବିନ୍ଦୁ ଏବଂ ଭାରତୀୟ ସଂସ୍କୃତିର ଅନନ୍ୟ ପ୍ରତୀକ । ଐତିହାସିକ ଓ ପୌରାଣିକ ଦୃଷ୍ଟିକୋଣରୁ ଶ୍ରୀଜଗନ୍ନାଥ ଯାହା ହୁଅନ୍ତୁ ନା କାହିଁକି ଦାର୍ଶନିକ ଦୃଷ୍ଟିକୋଣରୁ ମଧ୍ୟ ସେ ହେଉଛନ୍ତି ସାକ୍ଷାତ ପରଂବ୍ରହ୍ମ। ଓଡ଼ିଶାର ଶ୍ରୀଜଗନ୍ନାଥ ଭାରତର ସବୁ ଧର୍ମ ସମ୍ପ୍ରଦାୟର ଦେବତା ରୂପେ ଗୃହୀତ । ତେଣୁ ସକଳ ଧର୍ମ, ସକଳ ଦର୍ଶନ ଓ ସକଳ ସଂସ୍କୃତିର କେନ୍ଦ୍ର ବିନ୍ଦୁ ଶ୍ରୀଜଗନ୍ନାଥ ହୋଇଥିବା ଯୋଗୁଁ ହିଁ ଭାରତରେ ଦେଖାଦେଇ ଥିବା ସକଳ ଧର୍ମ ସମ୍ପ୍ରଦାୟର ଆଚାର୍ଯ୍ୟମାନେ ଶ୍ରୀକ୍ଷେତ୍ର ବା ଓଡ଼ିଶାକୁ ଆସି ସେମାନଙ୍କର ମତବାଦର ସମର୍ଥନ ଲୋଡ଼ିଥିବା ସଂଗେସଂଗେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଲାଭ କରି ପ୍ରଭୁଙ୍କ ମହିମା ଗାନ କରିଛନ୍ତି । ବହୁ ଗବେଷକ ଶ୍ରୀଜଗନ୍ନାଥଙ୍କୁ ବୌଦ୍ଧ, ଜୈନ, ଶୈବ, ଶାକ୍ତ, ବୈଷ୍ଣବ ଓ ଅନ୍ୟାନ୍ୟ ମତବାଦର ପ୍ରତୀକ ରୂପେ ଚିତ୍ରିତ କରିଛନ୍ତି ବୋଲି ଆଲୋଚନା କରିଥିଲେ। ପ୍ରତିଭା ସମ୍ମାନ ସମ୍ବୋଦ୍ଧାନା ଉତ୍ସବରେ ପ୍ରବଦ୍ଧ ଓ ଗବେଷଣା ପାଇଁ ଡ. ଚିତ୍ରାକାନ୍ତି ସେଠୀ, ଗଳ୍ପ ପାଇଁ ସରସ୍ୱତୀ ବେହେରା, କବିତାରେ ଡାଃ ମନୋରଞ୍ଜନ ଦାଶ, ଆଦର୍ଶ ଶିକ୍ଷକ ଭାବେ ପ୍ରମୋଦ ନାୟକଙ୍କୁ ସମ୍ମାନିତ କରାଯାଇଥିଲା।ଏଥିରେ ଆଶିଷ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ସାମାଜିକ କର୍ମୀ ପ୍ରମୋଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବହୁ କବି,ଗାଳ୍ପିକ, ଶିକ୍ଷାବିତ ଓ ସଂସ୍କୃତି ପ୍ରେମୀ ଯୋଗ ଦେଇଥିଲେ।
