ଡେରାବିଶ, ୧୫ ।୦୬ (ବେବର୍ତା ଅଜୟ ଦାସ) – ଯାଜପୁର ଜିଲ୍ଲାରେ ଆରମ୍ଭ ହୋଇଥିବା ଝାଡାବାନ୍ତି ସଂକ୍ରମଣ ଦିନକୁ ଦିନ ତାହାର ପଡୋଶୀ ଜିଲ୍ଲାକୁ ବ୍ୟାପିବାରେ ଲାଗିଛି। ଏହାକୁ ନିଚ୍ଚନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆ ଯାଉଥିଲେ ସୁଦ୍ଧା ଏହି ସଂକ୍ରମଣ ଅନେକ ଜିବନ ନେଇ ସାରିଲାଣି। ଏହି ଏହି ଝାଡାବାନ୍ତି ସଂକ୍ରମଣ ଏବେ କେନ୍ଦ୍ରାପଡା ଜିଲ୍ଲାରେ ତାହାର ଉପସ୍ଥିତି ଜାହିର କରିଥିବାରୁ ଜନସାଧାରଣମାନଙ୍କ ମଧ୍ୟରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଥିବା ଦେଖାଯାଇଛି। ତେବେ ଏହି ସଂକ୍ରମଣରେ ଡେରାବିଶ ବ୍ଲକର ଏଣ୍ଡର ପଂଚାୟତ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର(ଗଉଡୁଣୀ ପୋଖରୀ) ଗ୍ରାମର ଜନୈକ ବୃଦ୍ଧା ଶନିବାର ବିଳମ୍ବିତ ରାତିରେ ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ ହେଲେ ଗ୍ରାମର ବସନ୍ତ ମଲିକଙ୍କ ପତ୍ନୀ ସଜନୀ ସେଠୀ(୬୦)। ଅନ୍ୟ ପକ୍ଷରେ ମୃତକାଙ୍କ ପରିବାରର ଅନ୍ୟ ତିନି ଜଣ ଡାଇରିଆ ସଂକ୍ରମିତ ହୋଇ ବର୍ତମାନ ଚିକିତ୍ସିତ ଅବସ୍ଥାରେ ରହିଥିବା ବେଳେ ଜଣେ କଟକ ବଡ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣାଯାଇଛି। ସେହିପରି ବ୍ଲକ ଅଂଚଳରେ ଝାଡାବାନ୍ତି ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ଜଣାଯାଇଛି। ସୁଚନା ଅନୁଯାଇ ଗତ ମଙ୍ଗଳବାର ମୃତକା ସଜନୀଙ୍କ ବଡ ପୁଅ ଭାଗିରଥି(୩୮) ପ୍ରଥମ କରି ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ପ୍ରଥମେ ଡେରାବିଶ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ମାହାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତୀ ହୋଇଥିଲେ। ପରିବାରର ଅନ୍ୟତମ ସଦସ୍ୟ ଭାବେ ସଜନୀଙ୍କ ସାମପୁଅ ନିରଞ୍ଜନ(୩୨) ଝାଡାବାନ୍ତି ରୋଗରେ ଆକ୍ରାନ୍ତ ହୋଇ ଏବେ ସୁଦ୍ଧା କଟକ ବଡ ଡାକ୍ତରଖାନାରେ ରହି ଚିକିତ୍ସିତ ହେଉଛନ୍ତି। ସେହିପରି ସଜନୀଙ୍କ ନାତି ସୁଧାଂଶୁ(୯) ମଧ୍ୟ ଏହି ସଂକ୍ରମଣର ଶିକାର ହୋଇ ଚିକିତ୍ସିତ ହେଉଥିବା ପରିବାର ସୁତ୍ରରୁ ଜଣାଯାଇଛି। ଅନ୍ୟପକ୍ଷରେ ବୃଦ୍ଧା ସଜନୀଙ୍କୁ ଶୁକ୍ରବାର ରାତିରେ ଝାଡାବାନ୍ତି ହେବାରୁ ପରିବାର ପକ୍ଷରୁ ତାଙ୍କୁ ଶନିବାର ସକାଳୁ ଡେରାବିଶ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଇଥିଲା। ସଜନୀଙ୍କ ଅବସ୍ଥା ପୁନର୍ବାର ଅଧିକ ଗୁରୁତର ହୋଇପଡିବାରୁ ତୁରନ୍ତ ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଓ ପରେ କଟକ ବଡ ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ହେଲେ ରାତି ୨ଟାରେ ଚିକିତ୍ସିତ ଅବସ୍ଥାରେ ସଜନୀଙ୍କ ମୃତ୍ୟୁ ହୋଇଯାଇଥିଲା। ଖବର ପାଇଁ ରବିବାର ପୁର୍ବହ୍ନରେ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ନୃପେନ୍ଦ୍ର ଶତପଥୀ ଓ ଡେରାବିଶ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା. ଚିତରଞ୍ଜନ ବେହେରାଙ୍କ ନେତୃତ୍ୱରେ ଏକ ସ୍ୱାସ୍ଥ୍ୟ ଟିମ ସଂପୃକ୍ତ ଗ୍ରମରେ ପହଂଚି ମୃତକାଙ୍କ ଝାଡା ନମୁନା ସହ ପରିବାର ବ୍ୟବହାର କରୁଥିବା ପାଣିର ନମୁନା ସଂଗ୍ରହ କରି ପରିକ୍ଷା ନିମନ୍ତେ ରାଜ୍ୟ ପରିକ୍ଷାଗାର ପଠାଇଛି। ଏଥିସହିତ ଏହି ସ୍ୱାସ୍ଥ୍ୟ ଟିମ ସଂପୃକ୍ତ ଗ୍ରାମ ପରିବେଶର ସ୍ଥିତି ଅନୁଧ୍ୟାନ କରି ଏହାର ବିଶୋଧନ ବ୍ୟବସ୍ଥା କରାଇଥିବା ନେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା, ବେହେରା ସୁଚନା ଦେଇଛନ୍ତି।
Discover more from Lokamata Odisha
Subscribe to get the latest posts sent to your email.