ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କେନ୍ଦ୍ରାପଡ଼ାରେ ସମୀକ୍ଷା

କେନ୍ଦ୍ରାପଡ଼ା, ୧୦ା୬:କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଭାରୀ ତଥା ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ବ୍ୟପାର ଏବଂ ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଙ୍ଗଳବାର କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଆସି ସରକାରଙ୍କ ବିଭିନ୍ନ ଯୋଜନା ଓ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଜିଲା୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ମହାକାଳପଡା ବିଧାୟକ ଡ.ଦୁର୍ଗା ପ୍ରସନ୍ନ ନାୟକ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦେବାଶିଷ ଧଳ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକଙ୍କ ସମେତ ସମସ୍ତ ବିଡିଓ, ତହସିଲଦାର ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ବୈଠକରେ ମନ୍ତ୍ରୀ ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରିଥିଲେ । ଅଧିକାରୀମାନେ ତୃଣମୂଳ ସ୍ତରକୁ ଯାଇ ଲୋକଙ୍କ ସମସ୍ୟା ବୁଝିବା ସହିତ ତାର ସମାଧାନ ଉପରେ କାର୍ଯ୍ୟ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ମହତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଯୋଜନା, ସ୍ୱଚ୍ଛଭାରତ, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ଧାନ ସଂଗ୍ରହ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ବୟୋବନ୍ଦନା ଯୋଜନାରେ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ ସହିତ ଜିଲ୍ଲାର ସମସ୍ତ ଅଙ୍ଗନବାଡିର ସ୍ଥିତ ସମୀକ୍ଷା କରିଥିଲେ । ଅଙ୍ଗନବାଡି ଗୁଡିକର ଆନୁଷଙ୍ଗିକ ବ୍ୟବସ୍ଥା ଗୁଡିକ ତୁରନ୍ତ ସମାଧାନ ଉପରେ ଗୁରୁତ୍ୱ ଦେବାକୁ ମନ୍ତ୍ରୀ କହିଥିଲେ । ଜନହିତକାରୀ ଯୋଜନାର ସୁଫଳ ଯେପରି ହିତାଧିକାରୀ ପାଇପାରିବେ ଓ କୌଣସି ଅସୁବିଧା କିମ୍ବା ବିଳମ୍ବ ନ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ମନ୍ତ୍ରୀ ନିର୍ଦେଶ ଦେଇଥିଲେ । ସାମାଜିକ ନ୍ୟାୟ ସମାଜର ଦର୍ପଣ ହେବା ଉଚିତ ଏଥିରୁ ବିଚ୍ୟୁତ ହେବା କଥା ନୁହେଁ। ଏହା ସହିତ ମହିଳା ତଥା ସ୍ୱୟଂସହାୟକ ଗୋଷ୍ଠୀଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ନୁଆ ସମ୍ଭାବନା ସୃଷ୍ଟି କରି ଜୀବନ ଜୀବିକା ତଥା ସାମାଜିକ ଓ ଆର୍ôଥକ କ୍ଷେତ୍ରରେ ଉନ୍ନତି କରିବାକୁ ପଡିବ ବୋଲି ମନ୍ତ୍ରୀ କହିଥିଲେ । ଅନ୍ତୋଦୟ ଗୃହ ଯୋଜନାରେ ଘର ଯୋଗେଇବା ଏବଂ ହିତାଧିକାରୀ ଚୟନ ପ୍ରକ୍ରିୟାରେ ସଠିକ ତଦନ୍ତ, ଶଯ୍ୟାଶାୟୀ, ୮୦ ବର୍ଷରୁ ଉର୍ଦ୍ଧ ହିତାଧିକାରୀଙ୍କ ଭତ୍ତା କିପରି ଘର ଦାଣ୍ଡରେ ପହଂଚିବ ସେଥିପ୍ରତି ଯତ୍ନବାନ ହେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏକ ଟିମ ହୋଇ କାର୍ଯ୍ୟକରିବା ଏବଂ ଜିଲ୍ଲାର ଉନ୍ନତିରେ ନିଜର ଆନ୍ତରିକତା ଓ ଅତ୍ମୀୟତା ରହିଲେ ନିଶ୍ଚିତ ଭାବେ ଜିଲ୍ଲା ଏକ ନମ୍ବର ହୋଇପାରିବ ବୋଲି ମନ୍ତ୍ରୀ କହିଥିଲେ। ବୈଠକ ପୂର୍ବରୁ ମନ୍ତ୍ରୀ ଶ୍ରୀବଳଦେବଜୀଉଙ୍କୁ ଦର୍ଶନ କରି ଆଶିର୍ବାଦ ଭିକ୍ଷା କରିଥିଲେ ।
