
Kendrapara ୧୧/୪ -ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନାର ଶୁକ୍ରବାର ଶୁଭାରମ୍ଭ ହୋଇଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ଭାଜାପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ପ୍ରାୟ ୧ କୋଟି ୩ ଲକ୍ଷ ପରିବାରର ସାଢେ ୩ କୋଟି ଲୋକ ପାଇଁ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା’ ଓ ‘ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା’ ଏବଂ ‘ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା’ ଲାଗୁ ହୋଇଯାଇଛି। କଟକ ବାଲିଯାତ୍ରା ପଡିଆରୁ ଆଭାସି ଯୋଗେ ଏହି ଯୋଜନାର ରାଜ୍ୟସ୍ତରୀୟ ଉଦ୍ଘାଟନ କାର୍ଯ୍ୟକ୍ରମର ସିଧା ପ୍ରସାରଣ ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରପରିଷଦରେ କରାଯିବା ସହ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରର ସହେଯାଗରେ ଏହି ସ୍ୱାସ୍ଥ୍ୟକାର୍ଡ ବଂଟନର ଶୁଭାରମ୍ଭ କରାଯାଇଥିଲା ।

କଟକ ବାଲିଯାତ୍ରା ପଡ଼ିଆରୁ ଭିସି ଯୋଗେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଜନସଭାକୁ ସମ୍ବୋଧିତ କରି କହିଥିଲେ, ଓଡ଼ିଶା ପାଇଁ ଐତିହାସିକ ଦିନ । ଓଡ଼ିଶାର ବିକାଶ ଇତିହାସରେ ଆଉ ଏକ ଫର୍ଦ୍ଦ ଯୋଡ଼ିହେଲା। ଏହି ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା ୬ ବର୍ଷ ଆଗରୁ ଲାଗୁ ହେବାର ଥିଲା। କିନ୍ତୁ ତତ୍କାଳୀନ ସରକାର ଏହାକୁ ଲାଗୁ କରିନଥିଲେ। ରାଜ୍ୟରେ ନୂଆ ସରକାର ଆସିବାର ବର୍ଷେ ନପୁରୁଣୁ ଏହି ଯୋଜନା ଲାଗୁ ହୋଇପାରିଛି। ଏଥି ସହିତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା ମଧ୍ୟ ଆରମ୍ଭ ହୋଇଯାଇଛି। ଓଡ଼ିଶା ବାହାରେ ରହୁଥିବା ଓଡ଼ିଆ ଲୋକମାନେ ମଧ୍ୟ ଏହି ଯୋଜନାରୁ ଲାଭବାନ ହେବେ। ଏହା ପୁଣି ନିଃଶୁଳ୍କ ମାଧ୍ୟମରେ। ଏହି ସ୍ୱାସ୍ଥ୍ୟ କାର୍ଡ ଓଡ଼ିଶା ସହିତ ରାଜ୍ୟ ବାହାରେ ଥିବା ୨୯ ହଜାର ଡାକ୍ତରଖାନାରେ କାମ କରିବ। ଏହି କାର୍ଡଗୁଡ଼ିକ ଆଗାମୀ ୩ ମାସ ମଧ୍ୟରେ ସମସ୍ତଙ୍କର ପାଖରେ ପହଁଚିିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶା, ଦିଲ୍ଲୀ ସମତେ ଦେଶର ୩ଟି ରାଜ୍ୟରେ ଲାଗୁ ହୋଇପାରି ନଥିଲା। ଏବେ ମୋଦୀ ସରକାର ଓଡ଼ିଶା ଓ ଦିଲ୍ଲୀରେ ଲାଗୁ କରିଛନ୍ତି। ଡବଲ ଇଂଜିନ ସରକାର ବିକାଶର ଗତିକୁ ବଢ଼ାଇ ପାରିଛନ୍ତିବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ପଟ୍ଟାମୁଣ୍ଡାଇ ବିଡ଼ିଓ ଅଶୋକ କୁମାର ମହାନ୍ତିଙ୍କ ତତ୍ୱାବଧାନରେ ସହକାରୀଯନ୍ତ୍ରୀ ଇଂ ପ୍ରସନ୍ନ ରାଉତ, ବିନୟ ମିଶ୍ର ଓ ବିଶ୍ୱଜିତ ମିଶ୍ରଙ୍କ ସମେତ ଅନ୍ୟ ଯନ୍ତ୍ରୀ ମାନଙ୍କ ସହେଯାଗରେ ସାନଜରିଆ ପଂଚାୟତ କାର୍ଯ୍ୟାଳୟ ଓ ବଡପଡା ସ୍ୱାସ୍ଥ୍ୟକେନ୍ଦ୍ର ନିକଟ, ତୁଳସିଡିଆ ସ୍ୱାସ୍ଥ୍ୟ କେନ୍ଦ୍ର, ଅଣ୍ଢରା ଓ ଚନ୍ଦନଗର ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସ୍ୱାସ୍ଥ୍ୟକାର୍ଡ ବଂଟନର ଶୁଭାରମ୍ଭ କରାଯାଇଥିଲା । ସେହିପରି ପଟ୍ଟାମୁଣ୍ଡାଇ ପୌରପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ ,ପୌରଅଧ୍ୟକ୍ଷ ପ୍ରଫୁଲ୍ଲ ବିଶ୍ୱାଳ ଓ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ମେଡିକାଲ ଅଫିସର ନିରାକାର ପରିଡାଙ୍କ ତତ୍ୱାବଧାନରେ ଏମଏନ ହାଇସ୍କୁଲ ପଡିଆ ଠାରେ ମଧ୍ୟ ସ୍ୱାସ୍ଥ୍ୟକାର୍ଡ ବଂଟନ କରାଯାଇଥିଲା ।

