
ପଟ୍ଟାମୁଣ୍ଡାଇ ୮/୫ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ସହରରେ ଖାଦ୍ୟ ସୁରକ୍ଷା ଅଧିକାରୀ ଏବଂ ପୌରପାଳିକା କର୍ତୃପକ୍ଷଙ୍କ ଦ୍ୱାରା ହୋଟେଲ ଓ ଖାଦ୍ୟ ଦୋକାନ ଉପରେ ଚଢ଼ାଉ କରାଯାଇଛି । ବିଭିନ୍ନ ଭୋଜନାଳୟ ଏବଂ ବ୍ୟବସାୟିକ ପ୍ରତିଷ୍ଠାନରେ ଖାଦ୍ୟର ଗୁଣବତା ଯାଂଚ କରାଯିବା ସହ ବାସୀ ଖାଦ୍ୟ ନଷ୍ଟ କରିଦିଆଯାଇଛି । ଏକକ ବ୍ୟବହୃତ ପଲିଥିନ ଏବଂ ପ୍ଲାଷ୍ଟିକ ଜବତ କରାଯାଇ ଜରିମାନା ବାବଦରେ ୩୦ହଜାର ୫୦୦ଟଙ୍କା ଆଦାୟ କରାଯାଇଛି ।

ପଟ୍ଟାମୁଣ୍ଡାଇ ପୌରପରିଷଦର ନିର୍ବାହୀ ଅଧିକାରୀଙ୍କ ତତ୍ୱାବଧାନରେ ଖାଦ୍ୟ ସୁରକ୍ଷା ଅଧିକାରୀ ଭାରତ ଭୂଷଣ ସ୍ୱାଇଁ, ବହୁବିଧ କାର୍ଯ୍ୟ କର୍ମଚାରୀ ପ୍ରଶାନ୍ତ କୁମାର ସାହୁ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପାରାଦୀପର କ୍ଷେତ୍ର ସହକାରୀ ମନୋଜ ନାୟକ, ପୌରକାର୍ଯ୍ୟାଳୟର ଏକ ସ୍ୱତନ୍ତ୍ର ଏନଫୋର୍ସମେଂଟ ଦଳ ସହ ପୋଲିସ ବାହିନୀଙ୍କ ଦ୍ୱାରା ପଟ୍ଟାମୁଣ୍ଡାଇବଜାରସ୍ଥିତ ବିଭିନ୍ନ ଭୋଜନାଳୟ ଏବଂ ବ୍ୟବସାୟିକ ପ୍ରତିଷ୍ଠାନରେ ଖାଦ୍ୟର ଗୁଣବତା ଯାଂଚ କରାଯାଇଥିଲା । ଏହି ଚଢାଉରେ ବିଭିନ୍ନ ଭୋଜନାଳୟ ଏବଂ ବ୍ୟବସାୟିକ ପ୍ରତିଷ୍ଠାନରୁ ପ୍ରାୟତଃ ୫ ରୁ ୬ କି.ଗ୍ରା ପଲିଥିନ, ୧୨ ଗୋଟି ସୋଲ ଗିନା ପ୍ୟାକେଟ ଏବଂ ବାସି ଖାଦ୍ୟ ମଧ୍ୟ ଜବତ ହୋଇଥିଲା । ଏଥିରେ ପରିବେଶ ପ୍ରଦୂଷଣ ସ୍ୱାସ୍ଥ୍ୟ ପାଇଁ ଖାଦ୍ୟର ମାନ ଏବଂ ସୁସ୍ଥ ପରିବେଶ ବିଷୟରେ ସଚେତନ କରାଯାଇଥିଲା ।ଏହି ଚଢ଼ାଉ ସମୟରେ, ଅଧିକାରୀମାନେ ଖାଦ୍ୟର ଗୁଣବତା, ରୋଷେଇ ଘରର ପରିମଳ, ଖାଦ୍ୟ ସଂରକ୍ଷଣ ପଦ୍ଧତି ଏବଂ ଏଫଏସଏସଏଆଇ ଲାଇସେନ୍ସ ଯାଂଚ କରିଥିଲେ ।
