୧୧୮ଟି ସ୍କୁଲରେ ଶତ ପ୍ରତିଶତ ପାସ

କେନ୍ଦ୍ରାପଡ଼ା,୨ା୫:ଆଜି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। କେନ୍ଦ୍ରାପଡା ଜିଲ୍ଲାରେ ମାଟ୍ରିକ ପରୀକ୍ଷା ପାସହାର ୯୫.୯୭ ପ୍ରତିଶତ ହୋଇଥିବା ଜଣାପଡିଛି। ଦେବଦର୍ଶୀ ମଣ୍ଡଳ ଜିଲ୍ଲା ଟପ୍ପର ହୋଇଛନ୍ତି। ଜିଲ୍ଲାର ମୋଟ ୩୪୭ଟି ସ୍କୁଲର ୧୯ ହଜାର ୨୨୮ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିବା ବେଳେ ସେଥିରୁ ୧୮ହଜାର ୯୬୮ଜଣ ପରୀକ୍ଷା ଦେଇଥିଲେ। ୨୬୦ଜଣ ଅନୁପସ୍ଥିତ ଥିବା ବେଳେ ୧୮ହଜାର ୨୦୩ଜଣ ପାସ କରିଥିବା ଜଣାପଡିଛି। ୮୯୮୦ଜଣ ଛାତ୍ର ପାସ ହୋଇଥିବା ବେଳେ ୯୨୨୩ଜଣ ଛାତ୍ରୀ ପାସ ହୋଇଛନ୍ତି। ପାସ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଏ-୧ଗ୍ରେଡରେ ୫୩ଜଣ, ଏ-୨ଗ୍ରେଡରେ ୪୭୭, ବି-୧ଗ୍ରେଡରେ ୧୪୨୯, ବି-୨ ଗ୍ରେଡରେ ୨୯୨୮, ସି- ଗ୍ରେଡରେ ୪୩୭୪, ଡି- ଗ୍ରେଡରେ ୫୨୨୦ ଓ ଇ-ଗ୍ରେଡରେ ୩୭୨୨ଜଣ ପାସ କରିଛନ୍ତି। ୭୬୫ଜଣ ଛାତ୍ରଛାତ୍ରୀ ଅକୃତକାର୍ଯ୍ୟ ହୋଇଛନ୍ତି। ଜିଲ୍ଲାରେ ୧୧୮ଟି ସ୍କୁଲରେ ଶତ ପ୍ରତିଶତ ପାସହାର ରହିଥିବା ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକଙ୍କ ଠାରୁ ସୂଚନା ମିଳିଛି।
ଇସ୍ରୋର ବୈଜ୍ଞାନିକ ହେବି: ଦେବଦର୍ଶୀ

କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅଧିନ ଖରିନାସୀ ହାଇସ୍କୁଲର ଛାତ୍ର ଦେବଦର୍ଶୀ ମଣ୍ଡଳ ମୋଟ ୫୭୧ ନମ୍ବର ଅର୍ଥାତ ୯୫.୧୭ ପ୍ରତିଶତ ମାର୍କ ରଖି ଜିଲ୍ଲା ଟପ୍ପର ହୋଇଛନ୍ତି। ରାମନଗର ଗ୍ରାମର ନକୁଳ ଚନ୍ଦ୍ର ମଣ୍ଡଳ ଓ ସନ୍ଧ୍ୟାରାଣୀ ମଣ୍ଡଳଙ୍କ ସାନପୁଅ ହେଛନ୍ତି ଦେବଦର୍ଶୀ। ଦିନକୁ ୧୦ରୁ ୧୨ଘଣ୍ଟା ପରିଶ୍ରମ କରି ଏହି ସଫଳତା ହାସଲ କରିଛନ୍ତି। ମେଧାବୀ ଛାତ୍ର ଦେବଦର୍ଶୀ ପ୍ରଥମରୁ ମାଟ୍ରିକ ପର୍ଯ୍ୟନ୍ତ ପ୍ରତ୍ୟେକ ଶ୍ରେଣୀରେ ପ୍ରଥମ ହୋଇ ଆସିଛନ୍ତି। ଭବିଷ୍ୟତରେ ସେ ଇସ୍ରୋରେ ବୈଜ୍ଞାନିକ ହୋଇ ଦେଶସେବା କରିବେ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ତାଙ୍କ ପିତା ନକୁଳ ଚନ୍ଦ୍ର ପେଷାରେ ଜଣେ ଶିକ୍ଷକ ହୋଇଥିବା ବେଳେ ମା ସନ୍ଧ୍ୟାରାଣୀ ଜଣେ ଗୃହିଣୀ ଅଟନ୍ତି। ଦେବଦର୍ଶୀଙ୍କ ବଡଭାଇ ଦେବଦତ୍ତ ୨୦୨୦ମସିହାରେ ୯୩ ପ୍ରତିଶତ ମାର୍କ ରଖି ବ୍ଲକ ଟପ୍ପର
ଲାଲବାହାଦୂର ହାଇସ୍କୁଲ ଛାତ୍ର ବିନିତ ବ୍ଲକ ଟପ୍ପର

କେନ୍ଦ୍ରାପଡା ବ୍ଲକ ଅଧିନ ଭରତପୁର ପଞ୍ଚାୟତର ମେହେନ୍ଦିପୁର ଲାଲବାହାଦୂର ସରକାରୀ ଉଚ୍ଚବିଦ୍ୟାଳୟର ଛାତ୍ର ବିନିତ କୁମାର ଷଡଙ୍ଗୀ ଏ-୧ ଗ୍ରେଡରେ ୫୬୪ନମ୍ବର ଅର୍ଥାତ ୯୪ପ୍ରତିଶତ ମାର୍କ ରଖି କେନ୍ଦ୍ରାପଡା ବ୍ଲକରେ ଟପ୍ପର ହେବା ସହ ସମଗ୍ର ଜିଲ୍ଲାରେ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି। ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ର ଭାବେ ସୁନାମ ଅର୍ଜ୍ଜନ କରିବା ସହ ବିଭିନ୍ନ ବ୍ଲକ,ଜିଲ୍ଲା ଓ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ହୋଇ ଜିଲ୍ଲା ତଥା ରାଜ୍ୟ ପାଇଁ ସୁନାମ ଆଣିଛନ୍ତି। ବିନିତଙ୍କ ପିତା ସୁଧାଂଶୁ ଶେଖର ଷଡଙ୍ଗୀ ପେଷାରେ ଜଣେ ଶିକ୍ଷକ ହୋଇଥିବା ବେଳେ ମା’ ମନୋରମା ପଣ୍ଡା ଜଣେ ସୁଗୃହିଣୀ ଅଟନ୍ତି। ଦିନକୁ ୮ରୁ ୧୨ଘଣ୍ଟା ପରିଶ୍ରମ କରି ସେ ଏହି ସଫଳତା ହାସଲ କରିଛନ୍ତି ବିନିତ। ବିନିତ ଭବିଷ୍ୟତରେ ଜଣେ ଭାରତୀୟ ପ୍ରଶାସନିକ ଅଧିକାରୀ ହେବାକୁ ଲକ୍ଷ୍ୟ ରଖିଛନ୍ତି।ହୋଇଥିଲେ।
ଦେବୀପ୍ରଜ୍ଞା ପଟ୍ଟାମୁଣ୍ଡାଇ ବ୍ଲକ ଟପ୍ପର

ପଟ୍ଟାମୁଣ୍ଡାଇ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରୀ ଦେବୀପ୍ରଜ୍ଞା ଦେ ସର୍ବାଧିକ ୫୫୫ନମ୍ବର ରଖି ପଟ୍ଟାମୁଣ୍ଡାଇ ବ୍ଲକ ଟପ୍ପର ହେଇଥିବା ଜାଣାପଡିଛି । ପିଲାଟି ଦିନରୁ ସେ ନିଜର ନିଷ୍ଠା ଓ ଅଧ୍ୟବସାୟ ବଳରେ ବିଦ୍ୟାଳୟରେ ମେଧାବୀ ଛାତ୍ରୀ ଥିବାବେଳେ ଆଜି ଏହି ସଫଳତା ପାଇଛନ୍ତି । ସେ ତାଙ୍କ ସଫଳତାର ଶ୍ରେୟ କଠିନ ପରିଶ୍ରମ ଇଶ୍ୱରଙ୍କ ଆଶୀର୍ବାଦ, ଗୁରୁ ମା ଗୁରୁ ଓ ପିତା ପ୍ରଶାନ୍ତ ଦେ ମାତା ଡଲ୍ଲି ଦାସ ଓ ଗୁରୁଜନଙ୍କ ଆଶୀର୍ବାଦ ଯୋଗୁଁ ସମ୍ଭବ ହୋଇଛି । ଭବିଷ୍ୟତରେ ସେ ଉଚ୍ଚ ପଦସ୍ଥ ପ୍ରଶାସନିକ ଅଧିକାରୀ କିମ୍ୱା ଡାକ୍ତର ହୋଇ ଗରିବ ଜନସାଧାରଣଙ୍କ ସେବା କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ବୋଲି ଦେବୀପ୍ରଜ୍ଞା ପ୍ରକାଶ କରିଛନ୍ତି ।
