
ପଟ୍ଟାମୁଣ୍ଡାଇ ୧୦/୧୦- କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମାଟିଆପଡା ହାଇସ୍କୁଲରେ ବନ୍ୟ ପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଧାନଶିକ୍ଷକ ମନୋଜ ଶତପଥୀଙ୍କ ପୌରାହିତ୍ୟରେ ଆୟୋଜିତ ସଭାରେ ଦିହୁଡିପୁର ସରପଂଚ ନରେଶ ମଲିକ ମୁଖ୍ୟଅତିଥି, ସାମାଜିକକର୍ମୀ ସତ୍ୟବ୍ରତ ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗ ଦେଇ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ବିଶ୍ୱ ପ୍ରସିଦ୍ଧ ଭିତରକନିକାର ଜୈବ ବିବିଧତାର ବିବିଧତା ଓ ବନ୍ୟ ପ୍ରାଣୀଙ୍କ ସୁରକ୍ଷା ଉପରେ ଆଲୋକପାତ କରିଥିଲେ । ବିଜ୍ଞାନ ଶିକ୍ଷକ ସ୍ୱପ୍ନେଶ୍ୱର ଆଚାର୍ଯ୍ୟ ଓ ଶିକ୍ଷୟତ୍ରୀ ଶୁଭଶ୍ରୀ ପରିଡା ଜନସଂଖ୍ୟା ବୃଦ୍ଧି ଯୋଗୁଁ ଜୀବଜନ୍ତୁଙ୍କ ଉପରେ ଏହାର ପ୍ରଭାବ ସମ୍ପର୍କରେ ଛାତ୍ରୀଛାତ୍ରମାନଙ୍କୁ ବୁଝାଇବା ସହିତ “ପୃଥିବୀ ପୃଷ୍ଠରେ ମଣିଷ ସୁଖ ସ୍ୱାଚ୍ଛନ୍ଦ୍ୟ ସହ ବଂଚିବାକୁ ହେଲେ ପ୍ରକୃତିରେ ଥିବା ସମସ୍ତ ଜୀବଜନ୍ତୁ, କୀଟପତଙ୍ଗ, ପକ୍ଷୀ ଓ ଜଳଚର ଜୀବଙ୍କ ପ୍ରତି ଉପଯୁକ୍ତ ଗୁରୁତ୍ୱ ଦେଇ ସେମାନଙ୍କ ଜୀବନଧାରାକୁ ସମ୍ମାନ ଜଣାଇବା ଆବଶ୍ୟକ । ପ୍ରତ୍ୟେକ ଜୀବଜନ୍ତୁ ନିଜ ନିଜ ଧର୍ମ ପାଳନ କରି ପ୍ରକୃତିର ସାମଗ୍ରିକ କାର୍ଯ୍ୟରେ ସହଯୋଗ କରିଆସୁଥିବା ଯୋଗୁଁ ଆମ ଚାରିପଟେ ଥିବା ବୃକ୍ଷଲତା ଓ ଜୀବଜନ୍ତୁଙ୍କ ବିଷୟରେ ସଚେତନ ହେବା ସହିତ ସେମାନଙ୍କ ବାସସ୍ଥାନକୁ ନଷ୍ଟ କଲା ଭଳି କୌଣସି କାର୍ଯ୍ୟ ନକରିବା ମାନବର ଧର୍ମ ବୋଲି ଛାତ୍ରୀଛାତ୍ର ମାନଙ୍କୁ ଶିକ୍ଷାଦାନ ଦେଇଥିଲେ । ସହକାରୀ ଶିକ୍ଷକ ମାନସ ରଞ୍ଜନ ସାହୁ ସ୍ୱାଗତଭାଷଣ ଓ ଅତିଥିପରିଚୟ ପ୍ରଦାନ କରିଥିଲେ । ଏଇ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାକୁ ସହକାରୀ ଶିକ୍ଷକ ବିନୋଦ ସାହୁ, ବିନ୍ଦୁରେଖା ନାୟକ ଓ ଚନ୍ଦ୍ରଭାନୁ ସାହୁ ପରିଚାଳନା କରିଥିଲେ । ଶେଷରେ ଶିକ୍ଷୟତ୍ରୀ ପୁଷ୍ପଲତା ପ୍ରଧାନ ଧନ୍ୟବାଦ ଦେଇଥିଲେ । ଏଇ ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷକ ଚନ୍ଦ୍ରଭାନୁ ସାହୁ ଶୁଭାଶିଷ ପତ୍ରୀ, ରଂଜିତ ସାହୁ ଓ ମାଧୁରୀ ଭୁଏ ପରିଚାଳନା କରିଥିଲେ ।
