
ପଟ୍ଟାମୁଣ୍ଡାଇ ତା ୨୪/୯-କେନ୍ଦ୍ରାପଡ଼ା ଜିଲ୍ଲା ପଟାମୁଣ୍ଡାଇ ଧୋୟାଞ୍ଚଳରେ ନୂତନ ବ୍ରାହ୍ମଣୀ ବ୍ଲକ ଗଠନ ପାଇଁ ବ୍ରାହ୍ମଣୀ ବ୍ଲକ ଗଣ ସଂଗ୍ରାମ ସମିତି ପକ୍ଷରୁ ଆବାହକ ଅଭିମନ୍ୟୁ ମଲ୍ଲିକଙ୍କ ନେତୃତ୍ୱରେ ଡ଼ ଚକ୍ରଧର ଦାଶ, ଅଶୋକ ମଲ୍ଲିକ, ଦିଲ୍ଲୀପ ବିଶ୍ୱାଳ, ଧନେଶ୍ୱର ପ୍ରଧାନ, ରଜତ ବାରିକ, ପ୍ରସନ୍ନ ପାଢ଼ୀ, ଆଦିକନ୍ଦ ଦାସ, ଅରୋଶିଷ ରାଉତ, ସତ୍ୟ ସୁନ୍ଦର ରାୟ ପ୍ରମୁଖ ରାଜ୍ୟ ପଂଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାୟକଙ୍କୁ ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟରେ ବୁଧବାର ସାକ୍ଷାତ କରି ଆଲୋଚନା କରିବା ସହ ଏକ ଦାବିପତ୍ର ପ୍ରଦାନ କରଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକର ୭ଟି ପଞ୍ଚାୟତ ଓ ଆଳି ବ୍ଲକର ୧୧ଟି ପଞ୍ଚାୟତ ଏବଂ ପଟ୍ଟାମୁଣ୍ଡାଇ ତହସିଲର ୨ଗୋଟି ଆ.ର୍ଆଇ ସର୍କଲ ଓ ଆଳି ତହସିଲର ୫ଟି ଆ.ର୍ଆଇ ସର୍କଲକୁ ନେଇ ଏକ ନୂତନ ବ୍ଲକ ଏବଂ ତହସିଲ ଗଠନ କରିବାକୁ ଆଲୋଚନା କରିଥିଲେ । ବନ୍ୟା, ବାତ୍ୟା ଓ ମରୁଡ଼ି ଭଳି ପ୍ରାକୃତିକ ବିପର୍ଯୟ ସ୍ଥାନୀୟ ଅଞ୍ଚଳର ଅର୍ଥନୀତିକୁ ଦୋହଲାଇ ଦେବାରେ ଲାଗିଛି । ଯାହାଫଳରେ ଏ ଅଂଚଳର ବହୁ ଶିକ୍ଷିତ ଯୁବକ କାମଧନ୍ଦା ନପାଇ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହା ଛଡା କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀ ସାଙ୍ଗକୁ ପଟ୍ଟାମୁଣ୍ଡାଇ ବ୍ଳକ୍ ଓ ପଟ୍ଟାମୁଣ୍ଡାଇ ତହସିଲ ହୋଇଥିବାରୁ ବିଭିନ୍ନ ସମସ୍ୟା ଦେଖାଦେଇଛି । ନୂତନ ବ୍ରାହ୍ମଣୀ ବ୍ଲକ ଗଠନ ଦାବୀ ନେଇ ୧୯୯୩ ମସିହା ଠାରୁ ବିଭିନ୍ନ ସମୟରେ ଗଣମାଧ୍ୟମ, ସ୍ମାରକପତ୍ର, ଗଣଆନ୍ଦୋଳନ ଏବଂ ହଜାର ହଜାର ପୋଷ୍ଟକାର୍ଡ଼ ଜରିଆରେ ତତ୍କାଳୀନ ସରକାରଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ । ସମ୍ପ୍ରତି ନୂତନ ସରକାରଙ୍କର ଗ୍ରାମ,ପଞ୍ଚାୟତ, ବିଜ୍ଞାପିତ ଅଞ୍ଚଳ, ବ୍ଳକ, ତହସିଲ ଓ ଜିଲ୍ଲା ଗଠନ ପାଇଁ ନେଇଥିବା ନିଷ୍ପତ୍ତିକୁ ପ୍ରତିନିଧି ମଣ୍ଡଳୀ ସ୍ୱାଗତ କରିବା ସହିତ ନୂତନ ବ୍ରାହ୍ମଣୀ ବ୍ଲକ ଗଠନ ଦାବୀ ପ୍ରତି ସଦୟ ଦୃଷ୍ଟି ଦେଇ ସୁବିଚାର କରିବାକୁ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।
