- ପାରମ୍ପରିକ ବାଦ୍ୟର ଧ୍ୱନିରେ କମ୍ପୁଛି ପଟ୍ଟାମୁଣ୍ଡାଇ
- ବାଲିପଡା କାଠପାଇ ଅସ୍ଥାୟୀ ପୋଖରୀରେ ହେଉଛି ବିସର୍ଜ୍ଜନ

ପଟ୍ଟାମୁଣ୍ଡାଇ ୩/୧୦ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ସହରରେ ଦୁର୍ଗାଙ୍କ ଭସାଣି ଯାତ୍ରା ଆରମ୍ଭ ହୋଇଯାଇଛି । ଜଗତଜନନୀ ମା ଦୁର୍ଗା ଧରାପୃଷ୍ଠରୁ ମେଲାଣି ନେଉଛନ୍ତି । ଢୋଲ ବାଜା, ଘଂଟଘଂଟା, ଦୁଲଦୁଲି , ସିଙ୍ଘବାଜାରେ ପଟ୍ଟାମୁଣ୍ଡାଇ ସହର କମ୍ପୁଛି। ଗୋଟିଏ ପରେ ଗୋଟିଏ ମେଢ ଅସ୍ଥାୟୀ ପୋଖରୀ ମୁହାଁ ହେଉଛନ୍ତି । ପଟ୍ଟାମୁଣ୍ଡାଇ ସହରରେ ୨୭ଟି ମଣ୍ଡପରେ ପୂଜା ପାଉଥିବା ମୃଣ୍ମୟୀ ମୂର୍ତି ଶୁକ୍ରବାର ବାଲିପଡା କାଠପାଇ ଠାରେ କୁତ୍ରିମ ପୋଖରୀ ବିସର୍ଜିତ ହେବାରଥଲା । ମାତ୍ର ଏଥର ଡିଜେ ମୁକ୍ତ ଓ ନିଶାମୁକ୍ତ ଭସାଣ ହେଉଥିବାରୁ ସକାଳୁ ପ୍ରାୟତ ମେଢ ପଟ୍ଟାମୁଣ୍ଡାଇ କେନାଲରେ ବିସର୍ଜନ କରାଯାଇଥିଲା ।ସଂନ୍ଧ୍ୟାରେ ମା’ଙ୍କ ଭସାଣ ପାଇଁ ସହରରେ ଉତ୍ସାହ ଦେଖାଯାଇଛି। ମା’ଙ୍କ ଭସାଣ ଯାତ୍ରା ପୂର୍ବାହ୍ନରୁ ଆରମ୍ଭ ହୋଇଥିବା ବେଳେ ଏହା ରାତିଯାଏଁ ଚାଲିବ। ବାଲିପଡାରେ କରାଯାଇଥିବା କୃତ୍ରିମ ପୋଖରୀରେ ମା’ଙ୍କ ବିସର୍ଜନ କରାଯାଉଛି।

ପଟ୍ଟାମୁଣ୍ଡାଇ ସହର ଓ ଗ୍ରାମାଂଚଳରେ ଦୂର୍ଗତିନାଶିନୀ ମା ଦୂର୍ଗାଙ୍କ ଆବାହନ ଓ ପୂଜାର୍ଚ୍ଚନା ପାଇଁ ଏକ ଭିନ୍ନ ମାହୋଲ ସୃଷ୍ଟି ହୋଇଥିଲା। ମଣ୍ଡପ ଗୁଡିକରେ ମହାଷଷ୍ଠୀ ଓ ସପ୍ତମୀ,ରୁ ପୂଜା ଆରମ୍ଭ ହୋଇଥିଲା । ମହାଅଷ୍ଟମୀ, ନବମୀ ପାଗ ଅନୁକୂଳ ଥିବାରୁ ମଣ୍ଡପଗୁଡିକରେ ଅସମ୍ଭାଳ ଭିଡ ପରିଲକ୍ଷିତ ହୋଇଥିଲା। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ମାତ୍ର ଗୁରୁବାର ମହାଦଶମୀ ଓ ମା’ ଦୁର୍ଗାଙ୍କ ମୃଣ୍ମୟୀମୁର୍ତି ବିର୍ଷଜନ ପୂଜା ହୋଇଥିବା ବେଳେ ସକାଳୁ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗିରହିଥିଲା । ତୁହାକୁ ତୁହା ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲେ ମଧ୍ୟ ଭିଡ ଲାଗିରହିଥିଲା । ସନ୍ଧ୍ୟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଥିବା ବେଳେ ରାତିକୁ ରାବଣ ପୋଡି ଉତ୍ସବ ଦେଖିବା ପାଇଁ ଅପେକ୍ଷା ଥିଲା । ପୋଖରିଆପଡା ମଣ୍ଡପ ପକ୍ଷରୁ ଏମଏନ ହାଇସ୍କୁଲ ପଡିଆରେ ଆୟୋଜିତ ହୋଇଥିଲା ରାବଣ ପୋଡି ଉତ୍ସବ । ତୁହାକୁ ତୁହା ବର୍ହାରେ ରାବଣ ପୋଡ଼ି ଦେଖିବାକୁ ପଡିଆରେ ଅସଂଖ୍ୟ ଲୋକଙ୍କ ଭିଡ ହୋଇଥିଲା। ଏଭଳି ମାହୋଲ ଭିତରେ ଦଶହରା ସରିଯାଇଛି। ଏବେ ଧରାପୃଷ୍ଠରୁ ମେଲାଣି ନେଉଛନ୍ତି ମା ଦୁର୍ଗା ବିଭିନ୍ନ ମଣ୍ଡପରୁ ଭସାଣି ଯାତ୍ରା ଆରମ୍ଭ ହୋଇଛି।

ବଙ୍ଗାଳି ସାହି ମା’ଙ୍କ ପୂଜାରେ ନିୟୋଜିତ ପୂଜକ ଓ ଶ୍ରଦ୍ଧାଳୁମାନେ ଭାବବିହ୍ୱଳ ହୋଇପଡୁଛନ୍ତି। ଝିଅ ଶାଶୁଘରକୁ ବିଦାୟ ହେବା ସମୟରେ ଯେମିତି ଝିଅର କାନିରେ କନକ ଅଞ୍ଜୁଳି ବାନ୍ଧି ଦେଇ ପରିବାରରେ କାନ୍ଦବୋବାଳି ପଡେ । ସେମିତି ଏହି ବଙ୍ଗୀୟ ମହିଳା ମାନେ ସେମାନଙ୍କର ଝିଅ ସଦୃଶ ଦୁର୍ଗା ଦେବୀଙ୍କୁ ବିଦାୟ ବେଳାରେ କନକ ଅଞ୍ଜୁଳି ପ୍ରଦାନ କରି ବିଦାୟ ଦେବାର ଆବେଗମୟ ମୁହୁର୍ତ ଭକ୍ତ ମାନଙ୍କୁ ଆନମନା କରିଦେଇଛି । ଭକ୍ତମାନେ ମେଲାଣି ଶୋଭାଯାତ୍ରାରେ ସାମିଲ ହୋଇ ଆଖିର ଲୁହକୁ ରୋକିପାରୁ ନାହାନ୍ତି। ଯେଉଁ ରାସ୍ତାରେ ମା’ଙ୍କ ଶୋଭାଯାତ୍ରାର ଆୟୋଜନ ହୋଇଛି, ସେହି ରାସ୍ତାଗୁଡ଼ିକରେ ଲୋକଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ମା’ଙ୍କ ଆଗରେ ପାରଂପରିକ ଓ ନୃତ୍ୟ ଓ ବାଦ୍ୟ ଚାଲିଛି।

ଏଭଳି ସ୍ଥିତିରେ ପୋଲିସ ପ୍ରଶାସନ ପକ୍ଷରୁ ଭସାଣୀ ଉତ୍ସବକୁ କଟକଣାର ସହ ପାଳନ କରିବାକୁ କୁହାଯାଇଛି। ଭସାଣିକୁ କିଭଳି ଶାନ୍ତିଶୃଙ୍ଖଳାର ସହ ପାଳନ କରାଯିବ ସେଥିନେଇ ଅଧିକ ପୋଲିସ ମୁତୟନ କରାଯାଇଛି ବୋଲି ସୂଚନା ମିଳିଛି। ଭସାଣୀ ପାଇଁ ସମସ୍ତ ମେଢ ବାଲିପଡା ଅସ୍ଥାୟୀ ପୋଖରୀ କାଠପାଇକୁ ଯାଉଛନ୍ତି । ଅନ୍ୟପକ୍ଷରେ ପୋଖରିଆପଡା ଦୁର୍ଗା ପୁଜା କମିଟି ପକ୍ଷରୁ ଏମଏନ ହାଇସ୍କୁଲ ପଡିଆରେ ମେଲୋଡି ସହ ପପୁ େମେଡି ଦେଖିବାକୁ ଲୋକଙ୍କ ଭିଡ ଜମିଛି । ଚଳିତବର୍ଷ ଦୂର୍ଗାପୂଜା ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହିତ ସମ୍ପନ୍ନ କରିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ପଟ୍ଟାମୁଣ୍ଡାଇ ଏସଡିପିଓ କ୍ଷମାସାଗର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଥାନା ଆଇଆଇସି ବନ୍ଦନା ପାତ୍ରଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।
