
ପଟ୍ଟାମୁଣ୍ଡାଇ ୨/୧ – କୃଷି ଓ କୃଷକଙ୍କ ବିକାଶ ପାଇଁ ରାଜ୍ୟ ସରକାର କରୁଛନ୍ତି ଅନେକ ଯୋଜନା । ବିଶେଷ କରି ଚାଷୀ ତା’ର ଉତ୍ପାଦିତ ଧାନକୁ ବିକ୍ରି କରି ଲାଭ ପାଇପାରିବା ନେଇ ସରକାର ମଣ୍ଡିର ବ୍ୟାବସ୍ଥା କରାଇଛନ୍ତି । ହେଲେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର ଅନେକ ଧାନ ମଣ୍ଡିରେ ଅବ୍ୟବସ୍ଥା ଦେଖାଦେଉଛି । ମଣ୍ଡିରେ ଧାନ ନେଉନଥିବାରୁ ମିଲରେ ଦିନ ଦିନ ଧରି ଧାନ ପକାଇ ରଖୂଥିବା ବେଳେ ପରେ ଏମିଲ ନୁହେଁ ଅନ୍ୟମିଲକି ନିଅ ବୋଲି କହୁଛନ୍ତି ।ଏପରି ମିଲରଙ୍କ ମନଇଚ୍ଛା କାମ ଯୋଗୁ ଚାଷୀ ହଇରାଣ ଓ ଖର୍ଚ୍ଚାନ୍ତ ହେଉଛନ୍ତି । ନିର୍ଦ୍ଧାରିତ ସମୟରେ ଚାଷୀଙ୍କ ଠାରୁ ଧାନ କ୍ରୟ କରାଯାଉନଥିବାରୁ ଅସନ୍ତୋଷ ତେଜୁଛି । ଏକାଧିକା ମିଲର କୁଇଂଟାଲ ପିଛା ୫ କିଲୋରୁ ଅଧିକ ଧାନ କଟଣି ଛଟଣି କରାଉଥିବା ଅଭିଯୋଗ ମଧ୍ୟ ହେଉଛି । ଫଳରେ ଚାଷୀ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି ।
କଖାରୁଣୀର ଚାଷୀ ରଂଜିତ ପ୍ରଧାନ କୁହନ୍ତି ଖଂଟିଅଂଟା ସମବାୟ ସମିତି ଏକ ପ୍ରକାର ଅଚଳାବସ୍ଥା ଲଗିରହିଥିବା କାରଣରୁ ପ୍ରତ୍ୟକ ବର୍ଷ ଧାନ ଦେବାରେ ଅସୁବିଧାର ସମ୍ମୁଖିନ ହୁଏ । ଖଡିଅଂଟା ସମିତିରେ ବୋର୍ଡ ନଥିବା ବେଳେ ଅସ୍ଥାୟୀ ସଂପାଦକଙ୍କ ମନମାନୀରେ ପରିଚାଳିତ ସମିତିରେ ବିଭିନ୍ନ ହେରଫେରରେ ସ୍ଥାଣୁ ପାଲଟି ରହିଛି । ଏଥିନେଇ ଚଳିତ ବର୍ଷ ପାଖ ସଂସାରପାଳ ମଣ୍ଡିରେ ଧାନ ଟୋକନପାଇ ବୁଧବାର ସଂପାଦକଙ୍କ ନିଦ୍ଧେଶରେ ନିମପୁର ପ୍ରଶାନ୍ତି ରାଇସ ମିଲକୁ ଧାନ ନେଇ ଯାଇଥିଲି । ମାତ୍ର ମିଲର ଅନ୍ୟ ଏକ ମିଲ୍ ଅଳଭାକୁ ଡକାଇ ବସ୍ତା ପିଛା ଧାନ କଟିବାକୁ ମନାକଲାରୁ ସେ ନେବାକୁ ମନା କରିଦେଇଥିଲେ । ସେତେବେଳକୁ ନମ୍ବର ଦୁଇଦିନ ଗଲାଣି ଗାଡି ଭଡା ସହ ଏପଟସେପଟରେ ଅଲଗା ଖର୍ଚ୍ଚାନ୍ତ ହେବାକୁ ପଡିଲା । ଯଦି ପ୍ରଶାନ୍ତି ମିଲ ଧାନ ନନେଉଛି ତେବେ କଣ ପାଇଁ ଅନ୍ୟମିଲକୁ ଅଣାଗଲା । ସଂପାଦକ କଣ ପାଇଁ ସେଠାକୁ ପଠାଇଲେ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ଏହିଭଳି ଭାବେ ଚାଷୀ ବିଗ୍ନେଶ୍ୱର ପ୍ରଧାନ, ବୈଷ୍ଣବ ଦାସ, ଉମେଶ ଦାସ, ନିରଜଂନ ଦାଶ, ତ୍ରିଲୋଚନ ପ୍ରଧାନ, ଭର ତବଳ, ବଂଟି ନାୟକ, ବିଜୟ ନାୟକ ପ୍ରମୂଖ ବହୁ ଚାଷୀ କାଟନି ଛଟନି ଓ ମିଲରମାନଙ୍କ ମନମାନୀର ଶିକାର ହୋଇ କ୍ୟୁଂଟାଲ ପିଛା ୧୦ କେଜି ଭଳି ଧାନ କଟନିଛଟଣି କରି ନେଉଥିବା ଅଭିଯୋଗ ଉଠାଇଛନ୍ତି ।
୨୦୧୧ ଜନଗଣନା ଅନୁଯାୟୀ କେନ୍ଦ୍ରାପଡା ଜିଲାରେ ଜନସଂଖ୍ୟା ୧୪.୪୦ ଲକ୍ଷରୁ ଅଧିକ ଥିବା ବେଳେ ୧୩.୫ ଲକ୍ଷରୁ ଅଧିକ ଲୋକ ମୁଖ୍ୟତଃ ଅର୍ଥନୀତି କୃଷି ଉପରେ ନର୍ଭର କରନ୍ତି । ସେଥିରେ ୯୪.୨% ରୁ ଅଧିକ ଲୋକ ଗ୍ରାମାଂଚଳରେ ବସବାସ କରନ୍ତି । ୮୨.୫ ପ୍ରତିଶତ ଚାଷୀମାନେ ୧,୨୪,୬୦୦ ହେକ୍ଟରରୁ ଅଧିକ ଜମିରେ ଧାନ ଚାଷ କରନ୍ତି । ସେମାସମାନଙ୍କ ଭିିତରେ ଅନେକ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ବାସ କରନ୍ତି ।ଯେଉଁମାନେ ମୌସୁମୀ ଏବଂ ପାରମ୍ପରିକ ଚାଷ ଉପରେ ବହୁଳ ଭାବରେ ନିର୍ଭର କରନ୍ତି। ସେମାନଙ୍କ ମଧ୍ୟରୁ ୨୦୨୫-୨୬ ଖରିଫ ଋତୁରେ ଧାନ ବିକ୍ରି ପାଇଁ ୫୨ ହଜାର,୯୨୦ ଜଣ ଚାଷୀ ପଞ୍ଜୀକରଣ କରାଇଥିଲେ । ବିଭାଗୀୟ ଅପାରଗତା ଯୋଗୁଁ ଜିଲାରେ ୫୧ ହଜାରେ ୨୧ ଜଣ ଚାଷୀ ଦାନଦେବା ପାଇଁ ଯୋଗ୍ୟ ହୋଇ ଟୁକନ ପାଇ ଶୁକ୍ରବାର ଶୁଦ୍ଧା ୨ ଲକ୍ଷ ୪୫ ହାଜର କ୍ୟୁଂଟାଲ ଧାନ ବିକ୍ରି କରିଛନ୍ତି ବୋଲି ଏଆରସିଏସ ଜୋଗେନ୍ଦ୍ର ବିଶ୍ୱାଳ କହିଛନ୍ତି ।
ନବ ନିର୍ମାଣ କୃଷକ ସଙ୍ଗଠନ ସଂପାଦକ ଦାଶରଥି ସାହୁ କହିଛନ୍ତି ରାଜ୍ୟ ସରକାର ଚାଷୀ ମାରଣ ନୀତି ଅବଲମ୍ବନ କରୁଛନ୍ତି । ଚାଷୀ ତା ଧାନର ଉଚିତ ମୂଲ୍ୟ ପାଇବାରୁ ବଂଚିତ ହେଉଛନ୍ତି । ମଣ୍ଡିରେ କଟନିଛଟନି ବଳବତର ରହିଛି । ଜିଲାରେ ବହୁ ଚାଷୀ ପଞ୍ଜୀକରଣ କରିପାରି ନଥିବା ବେଳେ ଏବେ ଅନେକ ଚାଷୀ ଟୁକନ ପାଇନାହାଁନ୍ତି । ତେବେ ସେମାନେ ଧାନ ଦେବାର ବିକ୍ରି କରିପାରୁ ନାହାଁନ୍ତି । ଏଣୁ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅନେକ ଅଭାବୀ ଚାଷୀ ପରିବାରମାନେ ଗାଁ ଗାଁରେ ବୁଲୁଥିବା ବେପାରୀଙ୍କୁ ଯଥେଷ୍ଟ କମ୍ ମୂଲ୍ୟରେ ସେମାନଙ୍କର ଧାନ ବିକି କରୁଛନ୍ତିି । ସରକାରଙ୍କ ୮ଟଙ୍କା ବୋନସ୍ ଦେବା ଘୋଷଣା ଧୂଆଁବାଣରେ ପରିଣତ ହୋଇଛି । ସରକାର ଚାଷୀଙ୍କର ସବୁ ଧାନତକ କିଣିବା ନେଇ ଅନିଶ୍ଚିତତା ଦେଖାଦେଇଛି । ଯାହା ଖରିଫ ଧାନକିଣା ଲକ୍ଷ୍ୟ ପୂରଣ ନେଇ ଆଶଙ୍କା ଦେଖାଦେଇଛି ବୋଲି ସେ କହିଛନ୍ତି।
