
ପଟ୍ଟାମୁଣ୍ଡାଇ 24/8-କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ ଓ ପୌରାଞ୍ଚଳରେ ବ୍ରାହ୍ମଣୀ ଏବଂ ଖରସ୍ରୋତା ନଦୀର ବନ୍ୟା ଜଳ ପ୍ରଳୟ ରଚିଛି। ଗତ ୧୧ ଦିନ ଧରି ନିରବଚ୍ଛିନ୍ନ ଭାବେ ବନ୍ୟା ଜଳ ମାଡ଼ିଚାଲିଥିବାରୁ ଅଞ୍ଚଳବାସୀଙ୍କ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ମୁଖ୍ୟ ରାସ୍ତାଘାଟଠାରୁ ଆରମ୍ଭ କରି ଗାଁ ଗଣ୍ଡାର ଲିଙ୍କ ରୋଡ୍ ପର୍ଯ୍ୟନ୍ତ ସବୁକିଛି ବନ୍ୟା ଜଳରେ ବୁଡ଼ି ରହିଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଲୋକେ ବାହାର ଦୁନିଆରୁ ବିଚ୍ଛିନ୍ନ ହୋଇ ପାଣି ଘେରରେ ଦିନ କାଟୁଛନ୍ତି। ଯୋଗାଯୋଗ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବାରୁ ଏହାର ସୀଧାସଳଖ ପ୍ରଭାବ ଡାକ ସେବା (ପୋଷ୍ଟାଲ ସେବା) ଉପରେ ପଡ଼ିଛି। ପଟ୍ଟାମୁଣ୍ଡାଇ ବନ୍ୟାଂଚଳର ବିଭିନ୍ନ ପୋଷ୍ଟ ଅଫିସଗୁଡ଼ିକରେ ଶହ ଶହ ପତ୍ର, ଦଲିଲ ଓ ପାର୍ସଲ ଅଟକି ରହିଛି। ବିଶେଷ କରି ରାକ୍ଷୀ ପୂର୍ଣ୍ଣିମା ପର୍ବ ଅତି ନିକଟତର ହୋଇଥିବା ବେଳେ ବହୁ ଭଉଣୀ ନିଜ ଭାଇମାନଙ୍କ ପାଇଁ ଶ୍ରଦ୍ଧାର ସହ ପଠାଇଥିବା ରାକ୍ଷୀ ଡାକପିଅନ ପହଞ୍ଚାଇବାରେ ଅସମର୍ଥ ହୋଇଛନ୍ତି। ରାସ୍ତାରେ ୪-୫ ଫୁଟ୍ର ବନ୍ୟା ଜଳ ଏବେ ପ୍ରବାହିତ ହେଉଥିବା ବେଳେ ବାଟସାରା ସାପ ଓ କୁମ୍ଭୀରର ଭୟ ରହିଥିବାରୁ ଡାକ କର୍ମଚାରୀମାନେ ଗାଁ ଗାଁକୁ ଯାଇ ରାକ୍ଷୀ ପହଞ୍ଚାଇ ପାରୁନାହାନ୍ତି।
ସବୁବର୍ଷ ଭାଇ ହାତରେ ସ୍ନେହର ରାକ୍ଷୀ ବାନ୍ଧିବାକୁ ଅପେକ୍ଷା କରିଥାଏ, ଦୂରରେ ଥିବା ଭାଇ ପାଖକୁ ଡାକରେ ରାକ୍ଷୀ ପଠାଇଥିଲି। ହେଲେ ୧୧ ଦିନ ହେଲା ବନ୍ୟା ପାଣି ଘେରାଇ ରହିଥିବାରୁ ଡାକ ସେବା ବନ୍ଦ ହୋଇଯାଇଛି। ଭାଇ ପାଖରେ ରାକ୍ଷୀ ପହଞ୍ଚିପାରିବ କି ନାହିଁ ସେହି ଚିନ୍ତାରେ ଆଖିରୁ ଲୁହ ଶୁଖୁନି ବୋଲି ବନ୍ୟାଞ୍ଚଳର ଜଣେ ଆକୁଳ ଭଉଣୀ ନିଜର ଦୁଃଖ ପ୍ରକାଶ କରିଛନ୍ତି।
ଜୁଲି ପ୍ରଧାନ- ବନ୍ୟାଞ୍ଚଳରେ ଫସିଥିବା ସାନ ଭଉଣୀ
ପୋଷ୍ଟ ଅଫିସ ଯିବା ରାସ୍ତାରେ ଆଣ୍ଠୁଏ ଉଚ୍ଚର ବନ୍ୟା ପାଣି। ଚାରିଆଡ଼େ ସାପ ବିଛା ସହ କୁମ୍ଭିର ଭୟ। ଗାଁରୁ ବାହାରି ପୋଷ୍ଟ ଅଫିସ ଯାଇ ରାକ୍ଷୀ ପଠାଇବା ଆମ ପାଇଁ ଅସମ୍ଭବ ହୋଇପଡ଼ିଛି। ବର୍ଷକର ଏହି ଗୋଟିଏ ପର୍ବରେ ଭାଇ ହାତ ଖାଲି ରହିଯିବ ସେହି କଥା ଭାବି ମନ ଜମା ମାନୁନି।
ମାମାଲି ଦାସ -ବିଚ୍ଛିନ୍ନାଞ୍ଚଳର ଆଉ ଜଣେ ଭଉଣୀ
“ଘର ଭିତରେ ବନ୍ୟା ପାଣି ପସି ସବୁ ଜିନିଷ ନଷ୍ଟ ହୋଇଗଲାଣି, ତା’ ସାଙ୍ଗକୁ ଯୋଗାଯୋଗ ବିଚ୍ଛିନ୍ନ। ଡାକସେବା ସମ୍ପୂର୍ଣ୍ଣ ଠପ୍। ମୁଁ ପଠାଇଥିବା ରାକ୍ଷୀ ଡାକଘର ଥାକରେ ଅଟକି ରହିଛି। ପ୍ରକୃତିର ଏହି ବିପତ୍ତି ଆମ ଭାଇ-ଭଉଣୀଙ୍କ ସ୍ନେହର ପର୍ବ ଉପରେ ଦାଉ ସାଜିଛି।
ପଟ୍ଟାମୁଣ୍ଡାଇ ବ୍ଲକ୍ର ପ୍ରାୟ ୧୪ରୁ ଉର୍ଦ୍ଧ୍ୱ ପଞ୍ଚାୟତ ଏବଂ ୧୧ଟି ପୌର ୱାର୍ଡ ବନ୍ୟାଜଳରେ ଜଳମଗ୍ନ ହୋଇ ରହିଛି। ବିଦ୍ୟୁତ ସେବା ବିଚ୍ଛିନ୍ନ ହେବା ସହ ପାନୀୟ ଜଳର ଘୋର ଅଭାବ ଦେଖାଦେଇଛି। ଏବେ ବି ଅନେକ ପରିବାର ଘର ଛାତ ଓ ବନ୍ୟା ଆଶ୍ରୟ ସ୍ଥଳରେ ଆଶ୍ରୟ ନେଇଛନ୍ତି। ଡାକ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଫୋନ୍ ମାଧ୍ୟମରେ ଲୋକଙ୍କୁ ସୂଚନା ଦେଇ ଡାକଘରୁ ଚିଠି ଓ ରାକ୍ଷୀ ସଂଗ୍ରହ କରିବାକୁ କୁହାଯାଉଛି । ମାତ୍ର ଚାରିଆଡ଼େ ପାଣି ଭରି ରହିଥିବାରୁ ଲୋକେ ପୋଷ୍ଟ ଅଫିସ ପର୍ଯ୍ୟନ୍ତ ଆସିବା ବି କଷ୍ଟକର ହୋଇପଡ଼ିଛି। ଜରୁରିକାଳୀନ ଯାତାୟତ ପାଇଁ ପ୍ରଶାସନ ପକ୍ଷରୁ ସେପରି କୌଣସି ବୋଟ କି ଡଙ୍ଗାର ବ୍ୟାବସ୍ଥା କରାଯାଇନି । ଭଡା ଟଙ୍ଗାପାଇଁ ୨ ରୁ ତିନି ହଜାର ଦେବାକୁ ପଡୁଛି । ଏହାର ଉଦାହରଣ ଭାବେ ବାଲିପଟଣଅ ଅଂଚଳରେ ଦେଖିବାକୁ ମିଳିଥିଲା । ଜଣେ ମହିଳାଙ୍କୁ ସାପ କାମୁଦିଥିବା ବେଳେ କୌଣସି ସରକାରି ବୋଟ କି ଦଙ୍ଗା ମିଳିନଥିଲା । ସେମାନେ ଜଣେ ବ୍ୟଜକ୍ତିଗତଙ୍କ ଡଙ୍ଗା ୨୦୦୦ ଭଡାକରି ହସ୍ପିଟାଲ ଆସିଥିଲା । ଆମ ପାଖରେ ସେତିକି ସମ୍ଭଳ ନଥିବାରୁ ଦୀର୍ଘ ୧୧ ଦିନର ଏହି ବନ୍ୟା ଦୁର୍ଦ୍ଦଶା ଜନସାଧାରଣଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି।
