
ପଟ୍ଟାମୁଣ୍ଡାଇ ୩୦/୭ -ପଟ୍ଟାମୁଣ୍ଡାଇ ରେ ବନ୍ୟା ପରିସ୍ଥିତି ଅପରିବର୍ତିତ ରହିିଛି । ତେବେ ତୁହାକୁ ତୁହା ବର୍ଷା ବନ୍ୟା ବିପନ୍ନଙ୍କ ଦୁର୍ଦଶା ବୃଦ୍ଧି କରିଛି । ବୁଧବାର ସକାଳ ଠାରୁ ଲଗାଣବର୍ଷା ଲାଗି ରହିଛି ଓବ୍ରାହ୍ମଣୀ ନଦୀରେ ଦେଖା ଦେଇଥିବା ୨ୟ ବନ୍ୟାରେ ପଟ୍ଟାମୁଣ୍ଡାଇ ବ୍ଲକର ସିଂହ ଗାଁ, ଶ୍ରୀରାମପୁର, ଡାମରପୁର, ବଳଭଦ୍ରପୁର ଓ ବାଛରା ପଂଚାୟତର ଅନେକ ଗାଁ ବାହ୍ୟଜଗତରୁ ବିଛିନ୍ନ ହୋଇରହିଛି । ବୁଧବାର କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟାର ପଟ୍ଟାମୁଣ୍ଡାଇ ବ୍ଲକର ଧୋୟାଂଚଳ ବୋଟ ଯୋଗେ ଯାଇ ବନ୍ୟା ସ୍ଥିତି ଅନୁଧ୍ୟାନ କରିବା ସହିତ ବିପନ୍ନ ଲୋକମାନଙ୍କ ସହିତ ଅଭାବ ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ । ଏଥି ସହିତ ବନ୍ୟା ବିପନ୍ନ ଶ୍ରୀରାମପୁର, ଡାମରପୁର ଓ ବଳଭଦ୍ରପୁର ଲୋକମାନଙ୍କ ଯାତାୟାତ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଗୋଟିଏ ଏସଆରସି ବୋଟ ଯୋଗାଇ ଦିଆଯାଇଥିବା ବେଳେ ଆଉ ଏକ ବୋଟ ଯୋଗାଇ ଦେବାକୁ ଜିଲାପାଳ ତହସିଲଦାରଙ୍କୁ ନିର୍ଦେଶ ଦେବା ସହିତ ବନ୍ୟାଂଚଳର ଗୃହପାଳିତ ପଶୁମାନଙ୍କ ପାଇଁ ଗୋଖାଦ୍ୟ ଯୋଗାଇ ଦେବାକୁ ପ୍ରଶାସନକୁ ନିର୍ଦେଶ ଦେଇଥିଲେ ଓ ବନ୍ୟା ଅଂଚଳରେ ପିଇବା ପାଣି ଓ ସ୍ୱାସ୍ଥ୍ୟସେବା ଉପରେ ଗୁରୁତ୍ୱାରୋପ କରି ତଦନୁଯାୟୀ କାର୍ଯ୍ୟ କରିବାକୁ ନିର୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ସହିତ ପଟ୍ଟାମୁଣ୍ଡାଇ ବିଡ଼ିଓ ଅଶୋକ ମହାନ୍ତିଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଓ ଲୋକପ୍ରତିନିଧି ବନ୍ୟାଅଂଚଳଳ ପରିଦର୍ଶନ କରିଥିଲେ ।
