
ପଟ୍ଟାମୁଣ୍ଡାଇ ୭/୮- ରାଜ୍ୟରେ ବଢ଼ିଚାଲିଛି ଯୁବତୀ, ଛାତ୍ରୀ ଓ ମହିଳାଙ୍କ ଆତ୍ମହତ୍ୟା । ବାଲେଶ୍ୱର ଏଫଏମ କଲେଜ ଘଟଣା ଓ ପୁରୀ ବଳଙ୍ଗା ମାମଲା ସାରା ରାଜ୍ୟକୁ ଦୋହଲାଇ ଦେଇଥିବା ବେଳେ ଏବେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବଡପଡାର ଛାତ୍ରୀ ବ୍ଲକମେଲିଗଂ ଶିକାର ହୋଇ ପୋଡିହୋଇ ମରିବା ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ସଂଗୀତାଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ପାଇଁ ପୋଲିସ ପୁରା ଦମ ଲଗାଇ ଦେଇଛି । ଶବ ବ୍ୟବଛେଦ ପରେ ସଂଗୀତାଙ୍କ ମର ଶରୀର ଗାଁ ରେ ପହଂଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଏହି ଘଟଣାକୁ ନେଇ ରାଜନୈତିକ ବାତାବରଣ ସରଗରମ ହୋଇପଡିଛି । ଗୁରୁବାର ଘଟଣା ସମ୍ପର୍କ ରେ ସ୍ଥିତି ଅନୁଧ୍ୟାନ ପାଇଁ ଶାଶକ ଭାଜପା, କଂଗ୍ରେସ, ବିଜେଡି ଓ କମ୍ୟୁନିଷ୍ଟ ଦଳ ନେତା ମାନେ କାଠିଆପଡାରେ ପହଂଚି ମୃତା ଛାତ୍ରୀ ପରିବାରକୁ ଭେଟି ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ । କାଠିଆ ପଡା ଗାଁକୁ ବିଭିନ୍ନ ରାଜନୈତିକ ଦଳ ନେତାଙ୍କ ଗସ୍ତ ଯୋଗୁଁ ଘଟଣା ପ୍ରବାହ ତୀବ୍ର ହୋଇଛି । ଏହି ଅଘଟଣରେ ବିରୋଧି ଦଳ ରାଜ୍ୟ ସରକାରଙ୍କ ଗୃହ ବିଭାଗର ସ୍ଥାଣୁତା ଓ ବିପର୍ଯ୍ୟସ୍ତ ଶାସନ ବ୍ୟବସ୍ଥା ଉପରେ ଅଙ୍ଗୁଳି ନିର୍ଦ୍ଧେଶ କରିଥିବା ବେଳେ ଶାଶକ ଦଳର ନେତାମାନେ ଉପଯୁକ୍ତ ତଦନ୍ତ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାରଙ୍କ ଠାରେ ନିବେଦନ କରିଥିଲେ ।

କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ବଡ଼ପଡ଼ା କାଠିଆପଡା ଅଂଚଳରେ ବୁଧବାର ଯୁକ୍ତ ତିନି ଶେଷ ବର୍ଷର ଛାତ୍ରୀ ଦେହରେ ନିଆଁ ଲଗାଇ ମରିବା ଘଟଣା ସାରା ରାଜ୍ୟରେ ପୁଣି ଆଲୋଡ଼ନ ସୃଷ୍ଟି କରିଛି। ୨୦ବର୍ଷୀୟା ମୃତ ଛାତ୍ରୀଙ୍କ ବାପା ଶଶିକାନ୍ତଙ୍କ କହିବା ଅନୁସାରେ, ଝିଅକୁ ବ୍ଲାକମେଲ କରାଯାଉଥିଲା । ଜଣେ ଯୁବକ ଅଶ୍ଲୀଳ ଭିଡିଓ ଓ ଫଟୋ ରଖି ହଇରାଣ କରୁଥିବା ନେଇ ସେ ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ। ମାତ୍ର ପୋଲିସ ତାଙ୍କ ଅଭିଯୋଗକୁ ଗ୍ରହଣ କରିନଥିଲା। ଉକ୍ତ ଯୁବକର ଅତ୍ୟାଚାର ଅସହ୍ୟ ହେବାରୁ ସେ ମନସ୍ତାପ ଭିତରେ ରହିଥିଲା । ଆମମାନଙ୍କ ଅନୁପସ୍ଥିିତର ସୁଯୋଗ ନେଇ ସେ ଦେହରେ କିରାସିନି ଢାଳି ଆତ୍ମାହୁତି ଦେଇଛି ବୋଲି ମୃତା ସଂଗୀତାଙ୍କ ବାପା ବୟାନ ଦେଇଥିଲେ ।
ପୋଲିସ ଉପରେ ଅଙ୍ଗୁଳି ଉଠିବା ପରେ ପୋଲିସ ତଦନ୍ତର ମୋଡ଼ ବଦଳିଛି

ଗତକାଲି କେନ୍ଦ୍ରାପଡ଼ା ଏସପି, ସିଦ୍ଧାର୍ଥ କଟାରିଆ, ଡିଏସପି ଓ ଦୁଇ ଆଇସିଙ୍କ ସହ ମାଜଷ୍ଟେଡ ଅତିରିକ୍ତ ତହସିଲଦାର ଦିଲିପ ନାଏକଙ୍କ ଉପସ୍ଥିତିରେ ପୋଲିସ ମୃତା ସଂଗୀତାଙ୍କ ଶବ ଜବତ କରି ବ୍ୟବଛେଦ ପାଇଁ କେନ୍ଦ୍ରାପଡ଼ା ଡାକ୍ତରଖାନାକୁ ନେଇଥିଲା । ମାତ୍ର ଆଜି ସକାଳେ ସେଠାରୁ କଟକ ନିଆଯାଇ ବ୍ୟବଛେଦ କରାଯାଇଛି । ବ୍ୟବଛେଦ ପରେ ଆତ୍ମଦାହ କରିଥିବା ଛାତ୍ରୀଙ୍କ ମୃତ ଶରୀର ଗାଁ କୁ ଫେରିଛି । ଛାତ୍ରୀ ମୃତ୍ୟୁ ଘଟଣାର ରହସ୍ୟ ଉନ୍ମୋଚନ ପାଇଁ ପୋଲିସ ସମସ୍ତ ଦିଗକୁ ଛାନଭିନ୍ କରି ତଦନ୍ତକୁ ନୂଆ ମୋଡ଼ ଦେବା ପାଇଁ ପ୍ରକ୍ରିୟା ଜାରି ରହିଛି । ଗତକାଲି ପୋଲିସ ସନ୍ଦିଗ୍ଧ ପ୍ରେମିକ ଯୁବକ ଘର ଉପରେ ଚଢ଼ାଉ କରିଥିଲେ ମଧ୍ୟ ସେ କୌଶଳ କ୍ରମେ ଫେରାର ହୋଇଯାଇଛି ।ଗୁରୁବାର ପୋଲିସ କାଠିଆପଡା ଗ୍ରାମକୁ ଯାଇ ମୃତା ସଂଗୀତାଙ୍କ ବାପା ମା ଙ୍କୁ ପଚରା ଉଚରା କରିବା ସହିତ ସାହି ପଡିଶା ଓ ଗ୍ରାମବାସୀଙ୍କ ବୟାନ ରେକର୍ଡ କରିଛନ୍ତି । ପୋଲିସ ତଦନ୍ତ ଧାରା ବାରମ୍ବାର ବଦଳୁ ଥିବାରୁ ସଂଗୀତାଙ୍କ ପରିବାର ଲୋକମାନେ ଆଶଙ୍କା ମଧ୍ୟରେ ଥିବା କିଛି ଗ୍ରାମ ବାସୀ ପ୍ରକାଶ କରିଛନ୍ତି ।
ପ୍ରଶାସନର ଅବହେଳା ପାଇଁ ନିର୍ଯ୍ୟାତିତା ଛାତ୍ରୀଜଣକଂର ଅମୂଲ୍ୟ ଜୀବନ ଯାଇଛି-ପିସିସି

ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦେଶରେ ଗୁରୁବାର ପୁର୍ବାହ୍ନରେ ପିସିସି ଉପସଭାପତି ସସ୍ମିତା ବେହେରାଙ୍କ ନେତୃତ୍ୱରେ ଗଠିତ ତଥ୍ୟ ଅନୁସନ୍ଧାନକାରୀ ଦଳ ସଦସ୍ୟା ପିସିସି ମୁଖପାତ୍ର ସୋନାଲି ସାହୁ, ମନୀଷା ଦାଶ ପଟ୍ଟନାୟକ, ଓ ଜୟଶ୍ରୀ ପାତ୍ର, ମଧୁସ୍ମିତା ଆଚାର୍ଯ୍ୟ, ଅମ୍ରିତା ଦାସ ପ୍ରମୁଖ ପି ସି ସି କୋଷାଧକ୍ଷ ତଥା କେନ୍ଦ୍ରାପଡ଼ା ଲୋକ ସଭା କଂଗ୍ରେସ ପ୍ରାର୍ଥୀ ଇଂ ସିଦ୍ଧାର୍ଥ ଦାସ, ବିଧାନସଭା ପ୍ରାର୍ଥୀ ପୂର୍ବତନ ବିଧାୟିକା ଡ଼ ସିପ୍ରା ମଲିକ, ଜିଲ୍ଲା କଂଗ୍ରେସ ସଂଯୋଜକ ପ୍ରଫୁଲ୍ଲ ଦାଶ, ରାଜନଗର ନିର୍ବାଚନମଣ୍ଡଳୀ କଂଗ୍ରେସ ଯୁବନେତା ପ୍ରଶାନ୍ତ ରାଉତ ପୂର୍ବତନ ଜିଲ୍ଲା ଯୁବକଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ ଓ ଯୁବନେତା ପ୍ରଦୀପ ପ୍ରଧାନ ପ୍ରମୁଖ କାଠିଆପଡା ଗ୍ରାମରେ ପହଂଚି ମୃତା ଛାତ୍ରୀଙ୍କ ବାପା ଶଶିକାନ୍ତ ପରିଡାଙ୍କୁ ଭେଟି ଆଲୋଚନା କରିବା ସହିତ ଚଳିତ ସରକାରରେ ମହିଳା ଓ ଛାତ୍ରୀମାନେ ସୁରକ୍ଷିତ ନୁହଁନ୍ତି ଓ ପୋଲିସ ଓ ପ୍ରଶାସନର ଅବହେଳା ପାଇଁ ନିର୍ଯ୍ୟାତିଟା ଛାତ୍ରୀଜଣକର ଅମୂଲ୍ୟ ଜୀବନ ଯାଇଛି ବୋଲି ଅଭିଯୋଗ କରି ଏହାର ବିଚାର ବିଭାଗୀୟ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଥିଲେ । ସେହିପରି ରାଜନଗର ବିଧାନସଭା କଂଗ୍ରେସ ପ୍ରାର୍ଥୀ ଅଶୋକ ପ୍ରତିହାରୀ ଓ ଜିଲ୍ଲା ଓବିସି ଅଧ୍ୟକ୍ଷ ମଳୟ ଦାସ ମଧ୍ୟ ମୃତା ଛାତ୍ରୀଙ୍କ ପରିବାରକୁ ସ୍ୱତନ୍ତ୍ର ଭାବେ ଭେଟିବା ସହିତ ଉପଯୁକ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ ।
ଭାଜପା ପ୍ରତିନିଧିଦଳର ସ୍ଥିତି ଅନୁଧ୍ୟାନ

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡ଼ପଡା ପଂଚାୟତ କାଠିଆପଡା ଗ୍ରାମରେ ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣାର ଅନୁଧ୍ୟାନ କରିଛି ଶାସକ ଭାଜପା ଟିମ ଓ କେନ୍ଦ୍ରାପଡ଼ା ଜିଲା ଭାଜପା ସଭାପତି ଶଶାଙ୍କ ସେଠୀ, କେନ୍ଦ୍ରାପଡ଼ା ବିଧାନସଭା ସଭା ଭାଜପା ପ୍ରାର୍ଥୀ ଗୀତାଞ୍ଜଳି ସେଠୀ, ପୂର୍ବତନ ସାଂସଦ ଅର୍ଚନା ନାୟକ, ନାରୀନେତ୍ରୀ କାନନବାଳା ଦାସ ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ଉପିନ ରାଉତ ଓ ଅମିତାଭ ସୁଆର, ସମ୍ପାଦକ ଚନ୍ଦନ ପାତ୍ର, ସ୍ୱାଗତ ଦାସ ପ୍ରମୁଖ ଭାଜପା ନେତାମାନେ ମୃତା ଛାତ୍ରୀଙ୍କ ପରିବାରକୁ ଭେଟି ଘଟଣା ସମ୍ପର୍କରେ ଆଲୋଚନା କରିବା ସହିତ ପୋଲିସର ଅପାରଗତା ଓ ଦାୟିତ୍ୱହୀନତା ଯୋଗୁ ସରକାରଙ୍କୁ ଅପବାଦ ମୁଣ୍ଡାଇବାକୁ ପଡ଼ିଛି । ଆଜି ଜୀବନ୍ତ ଦଗ୍ଧ ହୋଇଥିବା ଛାତ୍ରୀଙ୍କ ମାମଲାରେ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଧିକାରୀଙ୍କ ପ୍ରତିକ୍ରିୟା ହିଁ ପୋଲିସ ବ୍ୟବସ୍ଥାର ବିଫଳତା ଓ ବେପରୁୱା ଚିତ୍ର-ଚରିତ୍ରକୁ ପଦାରେ ପକାଇଛି ।ଏହି ଅଘଟଣର ଉପଯୁକ୍ତ ତଦନ୍ତ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାରଙ୍କ ଠାରେ ନିବେଦନ କରିଥିଲେ ।
ବାମପନ୍ଥୀ ନେତାଙ୍କ ଘଟଣାସ୍ଥଳ ପରିଦର୍ଶନ
ବାମପନ୍ଥୀ ଦଳ ନେତାମାନେ ଓ ଜିଲା ସିପିଏମ ଜିଲା ସମ୍ପାଦକ ଗୟାଧର ଧଳଙ୍କ ନେତୃତ୍ୱରେ ନରୋତମ ପାର୍ଥସାରଥୀ, ସୋମନାଥ ବିଶ୍ୱାଳ, ଜିଲ୍ଲା କୃଷକ ସଭା ସମ୍ପାଦକ ବିଜୟ ଦାସ ଦାଶରଥୀ ସାହୁ, ଗୁଣମଣି ବେହେରା ପ୍ରମୁଖ କାଠିଆପଡା ଗାଁକୁ ଯାଇ ମୃତା ଛାତ୍ରୀ ପରିବାର ଲୋକ ମାନଙ୍କୁ ଭେଟି ଆଲୋଚନା କରିବା ସହିତ ଏହି ମାମଲାର ନ୍ୟାୟିକ ତଦନ୍ତ କରି ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ବିଧାନ ପାଇଁ ଦାବୀ କରିଥିଲେ ।
ମହିଳାଙ୍କ ପ୍ରତି ସମାଜର ଦୃଷ୍ଟିକୋଣରେ ପରିବର୍ତନ କରାଯିବା ଜରୁରୀ
ନ୍ୟାୟ ପାଇବା ପାଇଁ ଜୀବନ୍ତ ଦଗ୍ଧ ହେବା ଭଳି ଅଭାବନୀୟ ଘଟଣାଗୁଡ଼ିକ ରାଜ୍ୟରେ ମହିଳାଙ୍କ ସୁରକ୍ଷା ଓ ସାମାଜିକ କଳଙ୍କର ଏକ ଗମ୍ଭୀର ଚିତ୍ର ଉପସ୍ଥାପନ କରୁଛି । ମହିଳାଙ୍କ ବିରୁଦ୍ଧରେ ଅପରାଧରେ ବୃଦ୍ଧି ଏବଂ ପୋଲିସ ଓ ସରକାରଙ୍କ ନିଷ୍କ୍ରିୟତା ଏକ ଗଭୀର ସାମାଜିକ ସମସ୍ୟା ସୃଷ୍ଟି କରୁଛି । ବିଶେଷଜ୍ଞମାନଙ୍କ ମତରେ, ଏହାର ସମାଧାନ ପାଇଁ କଡ଼ା ଆଇନ କାର୍ଯ୍ୟକାରୀ କରାଯିବା ସହ ପୋଲିସକୁ ଅଧିକ ଉତରଦାୟୀ କରାଯିବାର ଆବଶ୍ୟକତା ରହିଛି । ଏହା ସହିତ ସାମାଜିକ ସଚେତନତା ଓ ଶିକ୍ଷା ମାଧ୍ୟମରେ ମହିଳାଙ୍କର ବ୍ୟବସ୍ଥା ପ୍ରତି ଦୃଷ୍ଟିକୋଣ ଓ ମହିଳାଙ୍କ ପ୍ରତି ସମାଜର ଦୃଷ୍ଟିକୋଣରେ ପରିବର୍ତନ କରାଯିବା ଜରୁରୀ । ଓଡ଼ିଶା ସରକାର ଏବଂ ପୋଲିସ ପ୍ରଶାସନକୁ ଏହି ଘଟଣାଗୁଡ଼ିକରୁ ଶିକ୍ଷା ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।
କାଠିଆପଡାରେ ରାଜ୍ୟ ବିଜେଡି ଟିମ

ରାଜ୍ୟ ବିଜେଡି ସୁପ୍ରିମୋ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ରାଜ୍ୟ ବିଜେଡି ତଥ୍ୟ ଅନୁସନ୍ଧାନକାରୀ ଦଳ କଲେଜ ଛାତ୍ରୀ ଆତ୍ମଦାହ ଘଟଣାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରିବା ପାଇଁ ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ସହିତ ଗୁରୁବାର ସନ୍ଧ୍ୟାରେ କାଠିଆପଡା ଗାଁରେ ପହଂଚିଛି । ଏହି ରାଜ୍ୟ ବିଜେଡି ଟିମରେ ପୂର୍ବତନ ମହିଳା, ଶିଶୁ ବିକାଶ ଓ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ, ପୂର୍ବତନ ସାଂସଦ ଡ଼ା ରାଜଶ୍ରୀ ମଲିକ, ରାଜ୍ୟ ମହିଳା ବିଜେଡି ସାଧାରଣ ସମ୍ପାଦିକା ଲୋରା ମହାପାତ୍ର, ରାଜ୍ୟ ବିଜେଡି ସଂଖ୍ୟାଲଘୁ ସାମ୍ମୁଖ୍ୟ ଆବାହକ ଋଜୁୱାନା ବେଗମ ସାମିଲ ଥିବାବେଳେ ତାଙ୍କ ସହିତ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଳିତା ଦାସ, ଜିଲ୍ଲା ବିଜେଡି ସଭାପତି ଶିବ ପ୍ରସାଦ ଭୋଳ, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ରୋଶନା ସାହୁ ଓ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ପ୍ରମୁଖ କାଠିଆପଡା ଗାଁରେ ପହଂଚି ମୃତା ଛାତ୍ରୀ ପରିବାରକୁ ଭେଟି ଘଟଣା ସମ୍ପର୍କରେ ପଚାରି ବୁଝି ଥିଲେ । ପୋଲିସ ଅବହେଳା ପାଇଁ ସମ୍ପୃକ୍ତା କଲେଜ ଛାତ୍ରୀଙ୍କ ଅମୂଲ୍ୟ ଜୀବନ ଯାଇଛି ବୋଲି ରାଜ୍ୟ ବିଜେଡି ଟିମ ଅନୁଭବ କରିବା ସହିତ କର୍ତବ୍ୟରେ ଅବହେଳା କରିଥିବା ପୋଲିସ ଅଫିସରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ, ମୃତ ପରିବାରକୁ ଉପଯୁକ୍ତ କ୍ଷତିପୂରଣ, ଘଟଣାର କ୍ରାଇମବ୍ରାଂଚ ତଦନ୍ତ ଓ ଦୋଷୀକୁ କଠୋର ଦଣ୍ଡ ବିଧାନ ପାଇଁ ରାଜ୍ୟ ବିଜେଡି ଟିମ ସରକାରଙ୍କ ଠାରେ ଦାବୀ କରିଛି ।
