କେନ୍ଦ୍ରାପଡା ବିଶ୍ୱ ସମ୍ବାଦ କେନ୍ଦ୍ର ପକ୍ଷରୁ ନାରଦ ଜୟନ୍ତୀ ପାଳିତ
ପଟ୍ଟାମୁଣ୍ଡଇ୧୩-୫ -ବିଶ୍ୱ ସମ୍ବାଦ କେନ୍ଦ୍ର, କେନ୍ଦ୍ରାପଡା ଶାଖା ପକ୍ଷରୁ ପଟ୍ଟାମୁଣ୍ଡାଇ ସରସ୍ୱତି ଶିଶୁ ମନ୍ଦିର ସମ୍ମିଳନୀ କକ୍ଷରେ ମଙ୍ଗଳବାର ସନ୍ଧ୍ୟାରେ ବିଶ୍ୱର ଆଦ୍ୟ ପତ୍ରକାର ଦେବର୍ଷି ନାରଦ ମୁନିଙ୍କ ପବିତ୍ର ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱ ସମ୍ବାଦ କେନ୍ଦ୍ର ସଭ୍ୟ ସୁଧାଂଶୁ ତ୍ରିପାଠୀଙ୍କ ପୌରହିତରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ଗାଳ୍ପିକ ପ୍ରଦୀପ ନାୟକ ଏବଂ ମୁଖ୍ୟବକ୍ତା ଭାବେ ରଷ୍ଟ୍ରୀୟ ପ୍ରବକ୍ତା ଆଇନଜୀବୀ ସଂଜୟ ପତ୍ରୀ ଯୋଗଦେଇ ଗଣମାଧ୍ୟମର ଜନକ ଦେବର୍ଷି ନାରଦଙ୍କ ଜୟନ୍ତୀ ପାଳନ ଅବସରରେ ତାଙ୍କ ଅଭିଭାଷଣ ରଖିଥିଲେ ।
ମୁଖ୍ୟଅତିଥି ଗାଳ୍ପିକ ପ୍ରଦୀପ ନାୟକ ତାଙ୍କ ଅଭିଭାଷଣରେ କହିଥିଲେ ତ୍ରୀଲୋକର କଲ୍ୟାଣ ପାଇଁ ନାରଦଙ୍କର ଭୂମିକା ଅତୁଳନୀୟ ରହିଥିଲା । ପୌରାଣିକ ମତରେ ଦେବର୍ଷି ନାରଦ ହେଉଛନ୍ତି ତିନି ଲୋକର ପ୍ରଥମ ଖବରଦାତା । ସେଥିପାଇଁ ତାଙ୍କୁ ଆଦି ପତ୍ରକାର କୁହାଯାଏ । ନାରଦଙ୍କର ଅନ୍ୟ ଏକ ନାମ ହେଉଛି, ସେ ‘ଇଚ୍ଛାବିହାରୀ’। ନିଜର ମନପବନ ଯାନରେ ଇଚ୍ଛା ଅନୁସାରେ, ସେ ସ୍ୱର୍ଗ-ମର୍ତ୍ୟ-ପାତାଳ ପରିଭ୍ରମଣ କରି ସତ୍ୟଖବର ପରିପ୍ରକାଶ କରିଥାଆନ୍ତି। ମାତ୍ର ଏବେକାର କେତେକ ଗଣମାଧ୍ୟମ ପ୍ରଥଭଷ୍ଟ ହୋଇଛି । ନିକଟରେ କେତେକ ଟିଭି ଚ୍ୟାନେଲ ଭ୍ରାନ୍ତ ଖବର ପରିବେଷଣ କରି ଭାରତ ମୋଟ ଜନସଂଖ୍ୟାର ଶତକଡ଼ା ୮୯ ଭାଗ ଲୋଙ୍କ ଗୁମୁରାଃ କରିଥିଲେ । ସମୟ ଥିଲା କୌଣସି ପ୍ରସଙ୍ଗରେ ବିଦ୍ୱାନଗଣ ସଭାସମିତି ମାଧ୍ୟମରେ ନିଜର ମତାମତ ରଖୁଥିଲେ। ସେ ସଂପର୍କରେ ସମ୍ବାଦପତ୍ରରେ ରିପୋର୍ଟମାନ ପ୍ରକାଶିତ ହେଉଥିଲା। ଲୋକେ ପଢ଼ୁଥିଲେ ଓ ଜାଣୁଥିଲେ। ଅନେକ ବିଶେଷଜ୍ଞ ବହି ମାଧ୍ୟମରେ ନିଜର ବିଚାରଧାରା ପ୍ରକାଶିତ କରୁଥିଲେ। ସମୟ ବଦଳୁଛି। ଏବେ ୨୪ଙ୍ଘଟା ଶହଶହ ଟିଭି ଚ୍ୟାନେଲ। ଗଦାଗଦା ସମ୍ବାଦପତ୍ର, ପତ୍ରିକା ଓ ପୁସ୍ତକ ପ୍ରକାଶ ପାଉଛି । ମାତ୍ର ଏବେକାର ଭ୍ରାନ୍ତ ଖବର ଜନ ମାନସ ପ୍ରତି ବିପଦ ସୃଷ୍ଠି କରିବାରେ ଲାଗିଛି । ଘଟଣାଟି ଘଟିବା ମାତ୍ରେ ବା ପ୍ରସଙ୍ଗଟିଏ ଉପସ୍ଥାପିତ ହେଉହେଉ ତୀବ୍ର ବେଗରେ ଟିଭି ଓ ସାମାଜିକ ଗଣମାଧ୍ୟମରେ ଖେଳି ବୁଲୁଛି । ରାଜନୈତିକ ନେତାଙ୍କ ପାଟିରୁ କଥାଟିଏ ବାହାରୁବାହାରୁ ତା ଉପରେ ଲୋକଙ୍କ ମନ୍ତବ୍ୟ ଦେବା ଆରମ୍ଭ ହୋଇ ଯାଉଛି। ସମସ୍ତ ରାଜନୈତିକ ଦଳର ‘ଆଇଟି ସେଲ୍’ ଏଥିପାଇଁ କାମ କରୁଛି। ‘ଟ୍ରୋଲ୍’ କରିବା ପାଇଁ ପ୍ରଶିକ୍ଷିତ ସମର୍ଥକ ତୟାର ଅଛନ୍ତି। ସୁନିୟୋଜିତ ଓ ସୁସଂଗଠିତ ଭାବେ ଚାଲିଛ ଗଣମାଧ୍ୟମ ଜରିଆରେ ନିଜସ୍ୱ ବିଚାରଧାରାର ପ୍ରଚାରପ୍ରସାର। ଆଜିର ଗଣମାଧ୍ୟମ ପ୍ରତିନିଧିମାନେ ଭ୍ରାନ୍ତ ଖବରରୁ ନିବୃତ ରହି ଦେବର୍ଷି ନାରଦଙ୍କ ମାର୍ଗ ଅନୁସରଣ କରିବା ଜରୁରୀ ହୋଇପଡିଛି ବୋଲି କହିଥିଲେ।
ମୂଖ୍ୟବକ୍ତା ଆଇନଜୀବୀ ପତ୍ରୀ ଉଦବୋଧନ ଦେଇ କହିଥିଲେ ଯେ ଜଗତ କଲ୍ୟାଣ ସକାଶେ ଦେବର୍ଷି ନାରଦ ସର୍ବଦା ପ୍ରୟାସରତ ଥିଲେ। ତାଙ୍କ ନିକଟରେ ସମସ୍ତ ସୂଚନା ଉପଲବ୍ଧ ରହୁଥିଲା ଯାହାକୁ ସେ କେଉଁଠି କେତେବେଳେ ଓ କିଭଳି ପ୍ରୟୋଗ କରି କଲ୍ୟାଣମୂଳକ କାର୍ଯ୍ୟ କରିହେବ ସେହି ପ୍ରଚେଷ୍ଟା କରୁଥିଲେ। ଆଜିକା ଯୁଗରେ ଖବରଦାତା ମାନେ ତାଙ୍କ ପ୍ରେରଣାରେ ସତ୍ୟତା ଓ ନିରପେକ୍ଷତା ଅବଲମ୍ବନ କରି ଖବର ପରିବେଷଣ କରିବା ଉଚିତ। ଆଣ୍ଟିଫିସିଆଲ୍ ଇଟେଂଲିଜେନ୍ସ ଯୁଗରେ ମଧ୍ୟ ଦେବର୍ଷି ନାରଦଙ୍କ ପ୍ରାସଙ୍ଗିକତା ରହିଥିବା ଦର୍ଶାଇଥିଲେ। ଆଜିକାର ସମୟରେ ସମାଜ କଲ୍ୟାଣ ତଥା ଜନସମୂହର ଉନ୍ନତି ନିମନ୍ତେ ଭଲ ଖବର ପରିବେଷଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ପତ୍ରକାରମାନେ ଏଥିପାଇଁ ପ୍ରୟାସ କରିବାକୁ ମତ ରଖିଥିଲେ। କାର୍ଯ୍ୟକ୍ରମରେ ସମ୍ବାଦ କେନ୍ଦ୍ର ସଭ୍ୟ ହିମାଶୁଂ ନାୟକ ବିବରଣୀ ପାଠ କରିଥିଲେ। ଏହି ସଭାରେ କେନ୍ଦ୍ରାପଡା, ପଟ୍ଟାମୁଣ୍ଡାଇ, ମହାକାଳପଡା, ମାର୍ସାଘାଇ ପ୍ରମୁଖ ଅଂଚଳର ଖବରଦାତା ମାନେ ଯୋଗ ଦେଇଥିଲେ।
Discover more from Lokamata Odisha
Subscribe to get the latest posts sent to your email.